Latest Odisha News

BREAKING NEWS

ନୂଆ ସଂସାରରେ ଲୁହ ଆଣିଦେଲା ରୋଗ, ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ

ଯାଜପୁର: ହସଖୁସିରେ ଉଛୁଳୁଥିଲା ନୂଆ ସଂସାର । ଆଖିରେ ଥିଲା ଆଖିଏ ସ୍ୱପ୍ନ । ପାଦରୁ ଛାଡି ନ ଥିଲା ଅଳତା । ହାତରୁ ଲିଭି ନ ଥିଲା ମେହେନ୍ଦି ।   ସ୍ୱପ୍ନକୁ ସାକାର କରବା ପାଇଁ କାଟିକୁଟା ଯୋଗାଡି ବସା ବାନ୍ଧୁଥିଲେ ରାଜେଶ ଓ ତାଙ୍କ ପତ୍ନୀ। ହେଲେ  ବାଦ କଲା ଭାଗ୍ୟ । ବାହାଘରର ୪ ମାସ ପୁରିନି ମାଡି ଆସିଲା ବିପଦ ।  ସଂସାର ରଥ ଗଡିବା ଆଗରୁ ବାଟ ଓଗାଳିଛି ରୋଗ । ପତ୍ନୀଙ୍କ ପାଦତଳୁ ଯେମିତି ମାଟି ଖସିଯାଇଛି । ମୁଣ୍ଡ ଉପରେ ଆକାଶ ଖସି ପଡ଼ିଛି ! ଏ ହେଉଛି ଯାଜପୁର ଜିଲ୍ଲା ବିତନା ଗାଁର ରାଜେଶ ମାଝିଙ୍କ ଦୁଃଖ ଭରା ଜୀବନ କାହାଣୀ ।

ବିଂଝାରପୁର ବିତନା ଗାଁର ରାଜେଶ କାଣ୍ଡି । ବିବାହର ୪ ମାସ ପୁରିଛି । ପତ୍ନୀଙ୍କ ହାତଧରି ଗଢୁଥିଲେ ନୂଆଘର , ନୂଆ ସଂସାର ।  ବିବାହାର ୪ ମାସ ପରେ ଜଣାପଡ଼ିଲା ସେ କିଡନି ରୋଗରେ ପୀଡିତ । ଘର ସଂସାରର ଜଞ୍ଜାଳ ବୁଝିବା ପୂର୍ବରୁ   ଅନିଶ୍ଚିତ ହୋଇଯାଇଛି ଜୀବନ ।

ରାଜେଶ କର୍ମସଂସ୍ଥାନ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ସେଠାରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରୀକ୍ଷା ନିରୀକ୍ଷା ପରେ ସେ କୀଡନି ଖରାପ ଥିବା  ଜଣାପଡିଥିଲା  ।  ଏହା ଜଣାପଡ଼ିବା ପରେ ରାଜେଶ କାମ ଛାଡି ଘରେ ଅଛନ୍ତି । ରାଜେଶ ପରିବାରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ଆଗକୁ ସଂସାର ରଥ କିଭଳି ଗଡିବ ତାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ବାପା, ମା’ ଆର ପାରିକୁ ଚାଲିଯାଇଛନ୍ତି । ଏଭଳି ସ୍ଥିତିରେ କିଭଳି ରାଜେଶଙ୍କ ଚିକିତ୍ସା ହେବ ତାକୁ ନେଇ ଚିନ୍ତାରେ ନବ ବିବାହିତା ପତ୍ନୀ ।

ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର । ହେଲେ ଏତେ ଟଙ୍କା ଆସିବ କୁଆଡୁ ।  ତଥାପି ପାଖ ପଡୋଶୀଙ୍କ ଠାରୁ ଆର୍ଥିକ ସହଯୋଗ ନେଇ ତାଙ୍କର ଚିକିତ୍ସା କରାଉଛନ୍ତି ପତ୍ନୀ । ଡାଏଲିସିସ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନା ନିୟମିତ ଯାଉଛନ୍ତି ।  କୀଡନି ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । କିନ୍ତୁ ଏଥିପାଇଁ ଏତେ ଅର୍ଥ କେଉଁଠୁ ଆସିବ ତାକୁ ନେଇ ଚିନ୍ତାରେ ପରିବାର ଲୋକେ । ସେପଟେ ରାଜେଶଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।ଯାଜପୁରର ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ସରକାରୀ ନିୟମ ମୁତାବକ ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଏହି ଅସହାୟ ଦମ୍ପତିଙ୍କୁ  ସହାୟତା ଯୋଗାଇ ଦେବାକୁ ଚାହାଁନ୍ତି ତେବେ  ୮୧୧୭୮୧୨୬୦୪ ନମ୍ବରରେ ଯୋଗଯୋଗ କରିପାରିବେ ।

Leave A Reply

Your email address will not be published.