ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ କେଉଁଠାରେ ହେବ ସେ ନେଇ ସସ୍ପେନ୍ସ ଲାଗି ରହିଛି । ବିସିସିଆଇ ସ୍ପଷ୍ଟ ଭାବେ ପିସିବି ଓ ଆଇସିସିକୁ ଜଣାଇ ଦେଇଛି ଯେ, ସୁରକ୍ଷା ଦୃଷ୍ଟିକୋଣରୁ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବନି । ପିସିବି ହାଇବ୍ରିଡ ମଡେଲ ସପକ୍ଷରେ ନାହିଁ । ଆଇସିସି ହାଇବ୍ରିଡ ମଡେଲରେ ଏହାକୁ କରିବା ପାଇଁ ପିସିବିକୁ ମନେଇବା ଆରମ୍ଭ କରିଛି । ବୈଠକ ପରେ ଚାମ୍ପିୟନ୍ସ ଟ୍ରଫି କେଉଁଠାରେ ଓ କିପରି ଆୟୋଜିତ ହେବ ତାହା ସ୍ପଷ୍ଟ ହେବ । ଏପରିକି ପିସିବିକୁ ଅତିରିକ୍ତ ଫାଇନାନ୍ସିଆଲ ଇନ୍ସେଟିଭ ଦେବା ପାଇଁ ଆଇସିସି ରାଜି ହୋଇଥିବା ରିପୋର୍ଟରେ ଉଲ୍ଲେଖରେ ରହିଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୨ ପରଠାରୁ ଆଉ କୌଣସି ଦ୍ୱିପାକ୍ଷିକ ସିରିଜ ଆୟୋଜିତ ହୋଇ ନାହିଁ । ଉଭୟ ଦେଶ କେବଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଂଟରେ ସାମ୍ନା ସାମ୍ନି ହୋଇଛନ୍ତି । ୨୦୧୭ ପରେ ଚାମ୍ପିୟନ୍ସ ଟ୍ରଫି ପୂନର୍ବାର ଆୟୋଜିତ ହେବାକୁ ଯାଉଛି । ଶେଷ ଥର ଇଂଲଣ୍ଡରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ମୁକାବିଲାରେ ପାକିସ୍ତାନ ଟାଇଟଲ ହାସଲ କରିଥିଲା । ଫେବୃୟାରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ ବୋଲି ସ୍ଥିର ହୋଇଛି ।