ହାଇଦ୍ରାବାଦ୍: ସକାଳୁ ସକାଳୁ ଅଲ୍ଲୁଙ୍କ ଘରେ ପହଞ୍ଚିଲା ହାଇଦ୍ରାବାଦ୍ ପୋଲିସ୍ । ଚାହା ପିଇବାରୁ ସିଧା ଉଠାଇଆଣିଲେ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଓରଫ ଫ୍ୟାନ୍ସଙ୍କ ପ୍ରିୟ ପୁଷ୍ପାରାଜଙ୍କୁ ଆଜି ହାଇଦ୍ରାବାଦ୍ ପୋଲିସ୍ ବାନ୍ଧିଛି । ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ଆଜି ତାଙ୍କୁ ଗିରଫ କରିଛି ପୋଲିସ୍ । ହାଇଦ୍ରାବାଦ୍ ଜୁବଲି ହିଲ୍ସ ସ୍ଥିତ ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ ଆସି ତାଙ୍କୁ ସିଧାସଳଖ ଉଠାଇ ନେଇଛି । ବର୍ତ୍ତମାନ ଅଲ୍ଲୁଙ୍କୁ ପୋଲିସ ପଚରାଉଚରା କରାଯିବା ପରେ ତାଙ୍କୁ ଡାକ୍ତରୀ ମାଇନା ପରୀକ୍ଷା କରାଇଛି । ଏହାପରେ ଅଲ୍ଲୁଙ୍କୁ ହାଇଦ୍ରାବାଦ୍ ନାମପଲ୍ଲୀ କୋଟରେ ହାଜର କରାଇଛି ପୋଲିସ୍ । ଅନ୍ୟପଟେ ଅଲ୍ଲୁଙ୍କ ଓକିଲ ହାଇକୋର୍ଟର ଦ୍ବାରାସ୍ଥ ହୋଇଛନ୍ତି । ତେଲେଙ୍ଗାନା ହାଇକୋର୍ଟକୁ ଜରୁରୀ ଶୁଣାଣି କରିବା ପାଇଁ ନିବେଦନ କରିବା ସହ ସୋମବାର ପର୍ଯ୍ୟନ୍ତ ସମୟ ମାଗିଛନ୍ତି ।
ଗୋଟେ ପଟେ ପୁଷ୍ପାରାଜ୍ ଏବେ ସାରା ବିଶ୍ବବାସୀଙ୍କ ହୃଦୟରେ ରାଜ୍ କରୁଛନ୍ତି । ପୁଷ୍ପା ୨ ବିଶ୍ବବ୍ୟାପୀ ପାଖାପାଖି ୧୧୦୦ କୋଟି ରୋଜଗାର କରିଥିବା ବେଳେ ଦେଶରେ ୭୨୭ କୋଟି ଡେଇଁଲାଣି । ଗୋଟେ ପଟେ ପୁଷ୍ପା-୨ର କ୍ରେଜ୍ ଏବେ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହାରି ଭିତରେ ଏବେ ଅଲ୍ଲୁଙ୍କ ଗିରଫଦାରୀ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛି । ତେବେ କାହିଁକି ଅଲ୍ଲୁଙ୍କୁ ଗିରଫ କରାଗଲା ? କି ଭୁଲ୍ କରିଦେଲେ ପୁଷ୍ପାରାଜ୍?
ତେବେ ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ଏକ ଥିଏଟରରେ ତାଙ୍କ ସଦ୍ୟତମ ଚଳଚ୍ଚିତ୍ର ପୁଷ୍ପା-୨: ଦି ରୁଲର ପ୍ରିମିୟର ଶୋ ସମୟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଏହି ଦଳାଚକଟା ଘଟିବାରୁ ଏଥିରେ ଜଣେ ୩୫ ବର୍ଷୀୟା ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ନଅ ବର୍ଷୀୟ ପୁଅକୁ ଶ୍ୱାସରୁଦ୍ଧ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣା ବିବାଦକୁ ଆସିବା ପରେ ନିଜେ ଅଲ୍ଲୁ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବା ସହ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ସେହି ଘଟଣାରେ ହାଇଦ୍ରାବାଦ୍ ପୋଲିସ୍ ନିଜ ଆଡୁ ମାମଲା ରୁଜ୍ଜୁ କରି ପଚରାଉଚରା ଜାରି ରଖିଥିବା ବେଳେ ଅଲ୍ଲୁଙ୍କୁ ଗିରଫ କରିଛି ।
ସେପଟେ ଏହି ପୂରା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନିଜେ ଅଲ୍ଲୁ । ତାଙ୍କୁ ଜଳଖିଆ ଶେଷ କରିବାକୁ କି ପୋଷାକ ବଦଳିବାକୁ ସମୟ ନଦେଇ ସିଧା ଘରୁ ପୋଲିସ୍ ଉଠାଇ ଆଣିଥିବା ସେ ବୟାନ୍ ଦେଇଛନ୍ତି ।
ତେବେ ଏହାକୁ ନେଇ ଏକ ପ୍ରଶ୍ନ ସୃଷ୍ଟି ହେଉଛି । କୌଣସି ସୁପରଷ୍ଟାରଙ୍କ ପାଇଁ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଫିଲ୍ମର ପ୍ରମୋସନ ପାଇଁ ଷ୍ଟାରମାନେ ଥିଏଟର ଯାଇଛନ୍ତି ଆଉ ଭିଡ ଅଣାୟତ୍ତ ହୋଇଛି । ତାହାଲେ ଏଥିରେ ଅଲ୍ଲୁଙ୍କ ଭୁଲ୍ କେଉଁଠି ରହିଲା ? ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ଖବର ଅନୁଯାୟୀ, ଅଲ୍ଲୁ ପୂର୍ବରୁ ଖବର ନଦେଇ ହଠାତ୍ ହାଇଦ୍ରାବାଦ୍ ଥିଏଟରରେ ପହଞ୍ଚିଥିଲେ । ସେଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୂଚାରୁରୂପେ ବ୍ୟବସ୍ଥିତ କରାଯାଇନଥିଲା । ଯେଉଁ କାରଣରୁ ଅଲ୍ଲୁଙ୍କୁ ଦେଖି ଫ୍ୟାନ୍ସ ଉତ୍ସାହିତ ହୋଇ ଦଳଚକଟା ପରିସ୍ଥିତି ସୃଷ୍ଟି କରିଥିଲେ । ତେବେ ଏହାକୁ ନେଇ ପୋଲିସ୍ ଏବେ ଅଲ୍ଲୁଙ୍କ ବୟାନ୍ ରେକର୍ଡ କରିଛି । ଏଥିସହିତ ସେଦିନ ଘଟଣା ସମୟରେ ଥିବା ଅଲ୍ଲୁଙ୍କ ଜଣେ ଅଙ୍ଗରକ୍ଷୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ବାସ୍ତବରେ ସେଦିନ କ’ଣ ହୋଇଥିଲା ଏହା ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ।
Comments are closed.