Latest Odisha News

କ୍ରିକେଟ୍ ମୋର ଜୀବନ: ନଟରାଜ ବେହେରା

ସୁରଟ: ନଟରାଜ ବେହେରା, ଏମିତି ଏକ ନାମ, ଯାହାକି ଓଡ଼ିଶାରେ କ୍ରିକେଟର ଜଣେ ଚିହ୍ନା ଚେହେରା। ଏକଦା ରାଜ୍ୟ ପାଇଁ ଟପ୍ ଅର୍ଡରରେ ବ୍ୟାଟିଂ କରୁଥିବା ଏହି ବ୍ୟାଟର ଏବେ ଯୁବ କ୍ରିକେଟରଙ୍କ ପାଇଁ ଏକ ବଡ଼ ପ୍ରେରଣା । ତେବେ ଘରୋଇ ସ୍ତରରେ ଏକ ସଂକ୍ଷିପ୍ତ କ୍ୟାରିୟର ଏବଂ କିଛି ବର୍ଷ ଧରି କୋଚିଂରେ ଜଡିତ ରହିବା ପରେ, ନଟରାଜ ବର୍ତ୍ତମାନ କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଦଳର ଖେଳାଳି ଭାବରେ ଏକ ନୂଆ ଭୂମିକା ଗ୍ରହଣ କରିଛନ୍ତି ।  ନଟରାଜ ବର୍ତ୍ତମାନ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି । ଦଳରେ ମଧ୍ୟ କିଛି ଜଣାଶୁଣା ଅବସରପ୍ରାପ୍ତ ଅନ୍ତର୍ଜାତୀୟ ଖେଳାଳିଙ୍କ ଅଛନ୍ତି । ଏହା ତାଙ୍କ ପାଇଁ ଗୋଟେ ନୂଆ ଅନୁଭୂତି । ଏକ ସାକ୍ଷାତକାରରେ ନଟରାଜ କିପରି ଏହି ସୁଯୋଗ ଦ୍ଵାରା କିଛି ନୂଆ କଥା ଶିଖିବେ ଏବଂ ଓଡ଼ିଶାର ଯୁବପିଢ଼ିଙ୍କୁ କିପରି ଉତ୍ସାହିତ କରିବେ ସେ ବିଷୟରେ ଆଲୋଚନା କରିଛନ୍ତି ।

ମୁଁ କ୍ରିକେଟ୍‌କୁ ଭଲ ପାଏ: ଯେତେବେଳେ ତାଙ୍କ କ୍ରିକେଟ୍ ଯାତ୍ରା ଏବଂ ଏହି ବୟସରେ ସେ ନିଜକୁ କିପରି ଉତ୍ସାହିତ ରଖୁଛନ୍ତି ପଚରାଯାଇଥିଲା, ନଟରାଜ କହିଲେ, “ଜଣେ କ୍ରୀଡ଼ାବିତ୍ ଭାବରେ ମୁଁ କ୍ରିକେଟ୍‌କୁ ଭଲ ପାଏ। ଏହି ବୟସରେ ନିଜକୁ ଫିଟ୍ ରଖିବା ପାଇଁ ମୁଁ ଫୁଟବଲ୍ ଏବଂ ବ୍ୟାଡମିଣ୍ଟନ୍ ଖେଳିବାକୁ ମଧ୍ୟ ପସନ୍ଦ କରେ । ମୁଁ ଏବେ ମଧ୍ୟ କ୍ଲବ ମ୍ୟାଚ୍ ଖେଳେ । ମୁଁ ନିଜକୁ କ୍ରିକେଟ୍ ଠାରୁ ଦୂରେଇ ରଖିପାରିବି ନାହିଁ । ଲୋକମାନେ କ୍ରିକେଟ୍ ମାଧ୍ୟମରେ ମୋ ବିଷୟରେ ଜାଣିଥିଲେ । ମୁଁ କହିବି, କ୍ରିକେଟ ମୋ ପାଇଁ ନିଶ୍ୱାସ, ଏହା ମୋର ଜୀବନ । ତେବେ ସକାଳ କିମ୍ବା ସନ୍ଧ୍ୟା ହେଉ, ଆପଣ ମୋତେ ସବୁବେଳେ କ୍ରିକେଟ୍ ସହିତ ଜଡ଼ିତ ଥିବାର ଦେଖିବେ ।’’

ସୁଯୋଗ ପାଇଁ କଲେ ପ୍ରଶଂସା:କେଏସଓ ଦଳର ଏକ ଅଂଶ ହୋଇଥିବାରୁ ନଟରାଜ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଏଭଳି ସୁଯୋଗ ପ୍ରଦାନ କରିଥିବାରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଏବଂ କେଏସଓ ମ୍ୟାନେଜମେଣ୍ଟକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “ଓଡିଶା କ୍ରିକେଟ୍ ଆସୋସିଏସନ୍, ମୁଖ୍ୟତଃ ସଞ୍ଜୟ ବେହେରା ଏବଂ ଆସୋଟେକ୍ ଗ୍ରୁପ୍‌, ବିଶେଷ କରି କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଦଳର ମାଲିକ ସଞ୍ଜୀବ ଶ୍ରୀବାସ୍ତବଙ୍କୁ ମୋତେ ଏପରି ସୁଯୋଗ ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି । କେବଳ ମୁଁ ନୁହେଁ, କେଏସଓ ଟିମରେ ଓଡିଶାର ଅନ୍ୟ ଖେଳାଳି ମଧ୍ୟ ଜଡିତ ହୋଇ ଅଛନ୍ତି । ଏହା ଏକ ପ୍ରଶଂସନୀୟ ପଦକ୍ଷେପ ।”

ନୂଆ ଅଭିଜ୍ଞତା ଏବଂ ନୂଆ ଶିକ୍ଷା:କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଦଳର ଏକମାତ୍ର ଖେଳାଳି ଭାବରେ ନଟରାଜ ନିଶ୍ଚିତ ଭାବରେ ପୂରା ସିଜନରେ ଅପାର ଅଭିଜ୍ଞତା ହାସଲ କରିବେ ଯାହା ତାଙ୍କ ଆଗାମୀ ଯାତ୍ରାରେ ଲାଭଦାୟକ ହେବ। “ ଏକ ସମୟରେ ମୁଁ କୋଲକାତା ନାଇଟ୍ ରାଇଡର୍ସ ସଦସ୍ୟ ମଧ୍ୟ ଥିଲି । ଯଦିଓ ମୁଁ ସେମାନଙ୍କ ପାଇଁ ଖେଳିବାର ସୁଯୋଗ ପାଇନଥିଲି, ସେହି ଅଭିଜ୍ଞତା ମୋତେ ମୋ କ୍ୟାରିୟରର ପରବର୍ତ୍ତୀ ଭାଗରେ ସାହାଯ୍ୟ କରିଥିଲା । ମୁଁ ଜାଣିନି ମୁଁ ଏଠାରେ ମ୍ୟାଚ୍ ଖେଳିବାକୁ ପାଇବି ନା ନାହିଁ କିନ୍ତୁ ମୁଁ ନିଶ୍ଚିତ ଭାବରେ ଏଠାରୁ ଅଧିକ ଅଭିଜ୍ଞତା ହାସଲ କରିବି । ମୁଁ ଶିଖିଛି ଯେ ଖେଳାଳିମାନେ କିପରି ପଡ଼ିଆ ଭିତରେ ଏବଂ ପଡିଆ ବାହାରେ ନିଜକୁ ଉତ୍ସାହିତ ରଖନ୍ତି । ଆମେ କିପରି ଅନ୍ୟ ଖେଳାଳିଙ୍କୁ ଉତ୍ସାହିତ କରିପାରିବା । ମୁଁ ଘରୋଇ ସ୍ତରରେ କିଛି ଖେଳାଳିଙ୍କ ଆଗରୁ ଖେଳିଛି କିନ୍ତୁ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ମୋର ଏପରି କଥାବାର୍ତ୍ତା କେବେ ହୋଇନଥିଲା ।’’

ଯୁବପିଢ଼ିଙ୍କ ସହିତ ଅଭିଜ୍ଞତା ବାଣ୍ଟିବା: ଓଡ଼ିଶାର ଯୁବପିଢିଙ୍କ ସହ ନିଜ ଅଭିଜ୍ଞତା ବାଣ୍ଟିବାର ଲକ୍ଷ୍ୟ ରଖି ନଟରାଜ ବେହେରା ଏମିତି ଏକ ସୁଯୋଗ ହାତଛଡ଼ା ନକରି ଆଗେଇ ଆସିଛନ୍ତି । ଆଶା ରଖିଛନ୍ତି ଯେ ଏହା ଓଡ଼ିଶା କ୍ରିକେଟକୁ ଆଗକୁ ବଢେଇବାରେ ସାହାଯ୍ୟ କରିବ । ଏହା ସେହି ଖେଳାଳିମାନଙ୍କ ପାଇଁ ଏକ ପ୍ଲାଟଫର୍ମ, ଯେଉଁମାନେ କ୍ରିକେଟ୍ ସହିତ ସଂଯୁକ୍ତ ରହିବାକୁ ଭଲପାଆନ୍ତି। ଲିଗର ଅଂଶ ହୋଇ ସେମାନେ ଖେଳକୁ ଉପଭୋଗ କରିବା ପାଇଁ ଆସିଛନ୍ତି । ନିଜେ ଖେଳିବା ସମୟରେ କିମ୍ବା ଅନ୍ୟମାନଙ୍କୁ ଖେଳିବାର ଦେଖି ସେ ଯାହା ଶିଖିବି, ତାହାକୁ ଆମ ରାଜ୍ୟର ଯୁବକମାନଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ସେ ପ୍ରକାଶ କରିଛନ୍ତି ।  ଖାଲି ଏତିକି ନୁହେଁ ସେ ଏ କଥା ମଧ୍ୟ କହିଲେ ଯେ , ‘‘ମୁଁ କ୍ରିକେଟ୍ ସହିତ ଆଗକୁ ମଧ୍ୟ ଏମିତି ଜଡ଼ିତ ରହିବାକୁ ପସନ୍ଦ କରିବି । ଏବେ ତ ମୁଁ କୋଚିଂ ମଧ୍ୟ ଦେଉଛି। ମୁଁ ଓଡ଼ିଶା ସିନିୟର ଏବଂ ଜୁନିଅର ଦଳର କୋଚିଂ ଷ୍ଟାଫ ଭାବରେ କାମ କରିସାରିଛି । କୋଚିଂ ସହିତ ମୁଁ ଏପରି ଲିଗ୍‌ରେ ସବୁବେଳେ ଅଂଶଗ୍ରହଣ କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ ।’’

Leave A Reply

Your email address will not be published.