ନୂଆଦିଲ୍ଲୀ: କତାରର ରାଜଧାନୀ ଦୋହାରେ ଡୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ବିବାଦକୁ ନେଇ ମୁହଁ ଖୋଲିଛନ୍ତି। ସେ ଦୋହାରେ ପ୍ରଥମେ ଆମେରିକୀୟ ସୈନିକଙ୍କୁ ସମ୍ବୋଧିତ କରିଥିଲେ।
ଏହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କରିଥିବା ମଧ୍ୟସ୍ଥତା ଦାବିରୁ ସେ ଓହରି ଯାଇଛନ୍ତି। ସେ କହିଛନ୍ତି ଯେ ସମସ୍ୟାର ସମାଧାନ ବାହାର କରିବାରେ ସେ ସାହାଯ୍ୟ କରିଥିଲେ। ଅପରପକ୍ଷରେ ଭାରତ ଟ୍ରମ୍ପଙ୍କ କଥାକୁ ଗୁରୁତ୍ୱ ନ ଦେଇ ପରସ୍ପର ସହ ଆଲୋଚନା କରିବା ପରେ ହିଁ ଯୁଦ୍ଧ ବିରତି ନିଷ୍ପତ୍ତି ନେଇଥିବା କଥା କହିଛି।
ଗତ ସପ୍ତାହରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଥିବା ବେଳେ ଟ୍ରମ୍ପ ସାହାଯ୍ୟ କରିଥିବା କଥା କହିଛନ୍ତି।ସେ କହିଥିଲେ ଯେ ଗତ କିଛି ସପ୍ତାହରେ ଉତ୍ତେଜନା ବଢ଼ିବାରେ ଲାଗିଥିଲା ଓ ଉଭୟ ପକ୍ଷ ରୁ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ ବଢ଼ିବାରେ ଚାଲିଥିଲା।ତେବେ ଏ ସବୁକୁ ଦେଖି ଉଭୟ ଦେଶ ମଧ୍ୟରେ ଆଲୋଚନା କରାଯାଇଥିଲା ଓ ଏ ସବୁର ସମାଧାନ ହୋଇଯାଇଥିବା ଭାବୁଛନ୍ତି ବୋଲି ସେ କହିଛନ୍ତି ।
ଟ୍ରମ୍ପ୍ ଆହୁରି ମଧ୍ୟ କହିଥିଲେ ଯେ ଉଭୟ ଦେଶ ସହ ସେ ବାଣିଜ୍ୟକ ବ୍ୟାପାରକୁ ନେଇ ଆଲୋଚନା କରିଥିଲେ।
ତେବେ ଯଦି ଭାରତ ଓ ପାକିସ୍ତାନ ଶତ୍ରୁତା ସମାପ୍ତ କରନ୍ତି ତାହେଲେ ସେମାନେ ଆଗକୁ ଆମେରିକା ସହ ବାଣିଜ୍ୟ କରିପାରିବେ ବୋଲି ଗତ ସୋମବାର ଦିନ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ପ୍ରେସ୍ କନଫରେନ୍ସରେ ଦାବି କରିଥିଲେ। ଯଦି ଯୁଦ୍ଧ ବନ୍ଦ ନ କରାହୁଏ ତାହେଲେ ଆମେରିକା ଉଭୟ ଦେଶ ସହ କୌଣସି ବ୍ୟବସାୟ କରିବ ନାହିଁ ବୋଲି ମଧ୍ୟ କହିଥିଲେ। ଏପରିକି ସେ ବର୍ତ୍ତମାନ ଉଭୟ ଦେଶ ସହ ବାଣିଜ୍ୟକ ବ୍ୟାପାର କରିବା ପାଇଁ ଆଲୋଚନା କରୁଛନ୍ତି।
Comments are closed.