Latest Odisha News

ରବୀନ୍ଦ୍ର ଜାଡେଜା ବାପାଙ୍କ ଚାଂଚଲ୍ୟକର ବୟାନ, ପୁଅ ସହ କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ: ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି । ତେବେ ଏହି ଅବସରରେ ତାଙ୍କ ବାପା ଅନିରୁଦ୍ଧ ସିଂ ଜାଡେଜା ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ରବୀନ୍ଦ୍ର ଓ ବୋହୂ ରୀଭାବା ସହିତ ଆମର କୌଣସି ସମ୍ପର୍କ ନାହିଁ । ସେ ଆମକୁ ଡାକୁ ନାହାନ୍ତି କି ଆମେ ତାଙ୍କୁ ଖୋଜୁନୁ । ଆମ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ୫ ବର୍ଷ ହେବ ମୁଁ ମୋର ନାତୁଣୀର ଚେହେରା ବି ଦେଖିନି । ବିବାହର କିଛି ମାସ ପରେ ରୀଭାବା କହିଥିଲେ ସବୁ କିଛି ତା ନାମରେ ହେବା ଦରକାର । ତାଙ୍କ ମାଆ ଆମ ଘର କଥାରେ ହସ୍ତକ୍ଷେପ କରିଥାନ୍ତି । ରବୀନ୍ଦ୍ରଙ୍କ ବାପା ଜାମନଗରରେ ଏକ ୨ ବିଏଚକେ ଫ୍ଲାଟରେ ୧୦ ବର୍ଷ ହେବ ରହି ଆସୁଛନ୍ତି ।

ରବୀନ୍ଦ୍ରକୁ କ୍ରିକେଟର କରିବା ପାଇଁ ଆମେ ଅନେକ କିଛି ସଂଘର୍ଷ କରିଛୁ । ଭଉଣୀ ନୟନାବା ମଧ୍ୟ ତା ପାଇଁ ବହୁତ କିଛି କରିଛନ୍ତି । ଏବେ ସେ ଭଉଣୀ ସହିତ ମଧ୍ୟ କୌଣସି ସମ୍ପର୍କ ରଖୁ ନାହିଁ । ବିବାହ ପରେ ସବୁ କିଛି ବଦଳିଗଲା । ପରିବାର ଅପେକ୍ଷା ଅର୍ଥ ପଛରେ ସେମାନେ ପଡିଗଲେ । ରୀଭାବା ଯୋଗୁ ଏହା ସବୁ ଘଟୁଛି । ଯଦି ରବୀନ୍ଦ୍ର କ୍ରିକେଟର ହୋଇ ନ ଥାନ୍ତି କି ବିବାହ କରି ନ ଥାନ୍ତି ତେବେ ସବୁ କିଛି ଠିକ ଚାଲିଥାନ୍ତା । ଆମ ପାଖରେ ଜମି, ପେନସନ ଓ ହୋଟେଲ ରହିଛି ପୁଅର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

Comments are closed.