Latest Odisha News

ଲଢ଼ିବାର ସାହସ ଅଛି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର:ପୁଣି ଚର୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗଣେଶ ପୂଜା ବେଳେ ଲୋକଙ୍କ ସହ ସାମିଲ ହୋଇ ଭବ୍ୟ ସ୍ବାଗତ ପରେ ଖୁସି ମନାଇଛନ୍ତି ବିଧାୟକ ।  ଗୋପାଳପୁର ନିର୍ବାଚନ ମଣ୍ଡଳୀର ଆଙ୍କୁଲିରେ ଗଣେଶ ପୂଜା କାର୍ଯ୍ୟକ୍ରମରେ ଶନିବାର ଅପରାହ୍ନରେ ସାମିଲ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ।

ଆଙ୍କୁଲି ପଶ୍ଚିମେଶ୍ବର ଗଣେଶ ପୂଜା କମିଟି ପକ୍ଷରୁ ନିମନ୍ତ୍ରଣ ପରେ ସେ ପୂଜାରେ ଯୋଗଦେଇ ଶ୍ରୀଗଣେଶଙ୍କୁ ପ୍ରାର୍ଥନା କରିଥିଲେ । ବିଧାୟକ ପାଣିଗ୍ରାହୀଙ୍କୁ କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଥିଲେ ଯେ, ବିରୋଧ ହେଉ। ବିରୋଧ ନାହିଁ ତ’ ଶାସକ ଦଳର କ୍ଷମତା ଜଣାପଡିବ ନାହିଁ। ମୁଁ ବିଧାୟକ ଅଛି।

ମୋ ବିରୋଧରେ ଯେତେ ସଂଗ୍ରାମ କରିବା କଥା କରନ୍ତୁ। କିନ୍ତୁ ତାହା ଗଠନମୂଳକ ଭାବେ ହେଉ। ଯାହାଫଳରେ ସମାଜର, ଗାଁ, ପଞ୍ଚାୟତ ଓ ଲୋକମାନଙ୍କ ମଙ୍ଗଳ ହେବ। ଲୋକମାନେ ଯଦି ଭୟରେ ରହିଛନ୍ତି, ତେବେ ଭୟ ଦୂର କରିବା ପାଇଁ ନିଶ୍ଚୟ ପହଞ୍ଚିବି। ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଓ ଗଣତନ୍ତ୍ରରେ ଲୋକଙ୍କୁ ଅଧିକାର ଦେବା ପାଇଁ ଯାହା ଦରକାର ଅଛି, ଯେତେବେଳେ ଡାକିଲେ ଆସିବି । ଲୋକ ଯଦି ଡରିକି ରହିବେ, ତେବେ ଗଣତନ୍ତ୍ରରେ ସ୍ବାଧିନତା ପାଇବା କିଛି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ ।

ସେହିଭଳି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ପାଣ୍ଠିର ବିନିଯୋଗ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଯଦି ବ୍ଲକ ଏବଂ ଜିଲା ପ୍ରଶାସନର କୌଣସି କାର୍ଯ୍ୟକ୍ରମକୁ ନ ଡାକିବେ, ତେବେ କାହିଁକି ଯିବି। ପ୍ରଶାସନର ଦାୟିତ୍ବ ହେଲା, ବିଧାୟକଙ୍କୁ ଡାକିବା। ପଞ୍ଚାୟତରେ ଲୋକ ଡ଼ାକିଲେ କାମ ଦେଖିବି ସେହି ସ୍ଥାନରେ ହିଁ ବିଧାୟକ ପାଣ୍ଠିରୁ ଟଙ୍କା ମଞ୍ଜୁର କରାଯିବ। ମୁଁ ଏକୁଟିଆ ଅଛି, କିନ୍ତୁ ସମସ୍ତଙ୍କ ସହ ଲଢ଼ିବା ପାଇଁ ଦକ୍ଷତା ଅଛି ବୋଲି କହିଥିଲେ ।

୨୦୨୪ ନିର୍ବାଚନ ପାଇଁ କ’ଣ ଭାବିଛନ୍ତି ବୋଲି ପ୍ରଶ୍ନ କରିବାରୁ, ‘ସ୍କାଏ ଇଜ୍ ନଟ୍ କ୍ଲେୟାର ଟୁଡେ’ ବୋଲି ଉତ୍ତର ରଖିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
ଅନ୍ୟପଟେ ବିଧାୟକ ପାଣିଗ୍ରାହୀ ଧିରେ ଧିରେ ନିଜ ନିର୍ବାଚନ ମଣ୍ଡଳୀରେ ସକ୍ରୀୟ ହେବାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି । ଗତ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଗୋଳାବନ୍ଧ ଯିବା ବେଳେ ବିଜେଡ଼ିର କେତେକ ନେତା ବିରୋଧ କରିଥିଲେ । କିନ୍ତୁ ଗୋଳାବନ୍ଧ ହେଉ ଅବା ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ତେବେ ଶନିବାରର କାର୍ଯ୍ୟକ୍ରମରେ ବିଜେଡ଼ି ତରଫରୁ ତାଙ୍କୁ ବିରୋଧ କରାଯାଇ ନାହିଁ । ରାଜନୈତିକ ମହଲରେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । କାର୍ଯ୍ୟକ୍ରମ ଆୟୋଜନ ପଛରେ ବିଜେପି ଏବଂ କଂଗ୍ରେସର କେତେକ କର୍ମୀଙ୍କ ପ୍ରତ୍ୟେକ୍ଷ ସମର୍ଥନ ରହିଥିବା ମଧ୍ୟ କୁହାଯାଉଛି।

Comments are closed.