Latest Odisha News

ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା

୫୦ ଲକ୍ଷ କୋଟି ଟଙ୍କାର ବସ୍ତୁ ରପ୍ତାନି କରିଛି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି । ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ପ୍ରଗତି ହାସଲ କରୁଛି ।

ଚଳିତ ବର୍ଷ ଭାରତ ୬୭୦ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୫୦ ଲକ୍ଷ କୋଟି ଟଙ୍କାର ବସ୍ତୁ ରପ୍ତାନି କରିଛି । ଭାରତର ୪୧୮ ବିଲିୟନ ଡଲାର ବା ପ୍ରାୟ ୩୧ ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ରପ୍ତାନି କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛି ।

ଗତ ଆଠ ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଏସବୁ ୟୁନିକର୍ଣ୍ଣର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୫୦ ବିଲିୟନ ଆମେରିକୀୟ ଡଲାର ବା ୧୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।

୨୦୧୪ ପରଠାରୁ ୮୦୦ ଦିନ ମଧ୍ୟରେ ପ୍ରଥମ ୧୦ ହଜାର ଷ୍ଟାର୍ଟଅପ୍‌ ଗଠନ ହୋଇଥିଲା । ଏହାପରେ ମାତ୍ର ୨୦୦ ଦିନ ମଧ୍ୟରେ ୧୦ହଜାର ନୂଆ ଷ୍ଟାର୍ଟଅପ୍‌ ଏହି ଇକୋସିଷ୍ଟମ ସହ ଯୋଡ଼ି ହୋଇଛନ୍ତି । ବିଗତ ଆଠ ବର୍ଷ ମଧ୍ୟରେ ଦେଶରେ ଷ୍ଟାର୍ଟଅପଗୁଡ଼ିକର ସଂଖ୍ୟା ମାତ୍ର କେତେ ଶହରୁ ଏବେ ୭୦ହଜାରରୁ ଅଧିକରେ ପହଞ୍ଚିଛି ।

୨୦୧୪ରେ ୧ଜିବି ଡାଟା ମୂଲ୍ୟ ୨୦୦ ଟଙ୍କା ଥିଲା ଆଜି ଏହା ୧୧-୧୨ ଟଙ୍କାକୁ ହ୍ରାସ ପାଇଛି । ୨୦୧୪ରେ ଦେଶରେ ୧୧ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ବିଛା ଯାଇଥିଲା । ଏବେ ୨୮ ଲକ୍ଷରୁ ଅଧିକ କିଲୋମିଟର କ୍ଷେତ୍ରରେ ଅପ୍ଟିକାଲ ଫାଇବର ବିଛା ଯାଇପାରିଛି ।

ଗତ ଆଠ ବର୍ଷ ମଧ୍ୟରେ ସରକାର ଗୋଟିଏ ସିଙ୍ଗଲ କ୍ଲିକ୍‌ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସିଧାସଳଖ ୨୨ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି । ଡିବିଟି ଜରିଆରେ ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଛି । ବିଶ୍ଵର ୪୦ ପ୍ରତିଶତ ଡିଜିଟାଲ କାରବାର ଭାରତରେ ହେଉଛି ।

ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ୧୧ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ୫୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବାର ସୁବିଧା ରହିଛି । ଦେଶର ୨୫ କୋଟିରୁ ଅଧିକ ଲୋକଙ୍କ ପାଖରେ ଦୁର୍ଘଟଣା ବୀମା ଏବଂ ୨ ଲକ୍ଷ ଟଙ୍କା ଲେଖାଏଁ ଅବଧି ବୀମା ରହିଛି । ଆଜି ଦେଶର ୪୬ କୋଟିରୁ ଅଧିକ ଲୋକଙ୍କ ପାଖରେ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ରହିଛି । ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ଦେଶର ୩୫ ଲକ୍ଷ ରାସ୍ତାପାର୍ଶ୍ବ ଉଠାଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପ୍ରଥମ ଥର ପାଇଁ ୭ କୋଟିରୁ ଅଧିକ ଲୋକ ମୁଦ୍ରା ଯୋଜନା ସହାୟତାରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ୭୦ ପ୍ରତିଶତ ମହିଳା ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଛି । ‘ଜରୁରିକାଳୀନ କ୍ରେଡିଟ୍‌ ଲାଇନ ଗ୍ୟାରେଣ୍ଟି ଯୋଜନା’  ଉଦ୍ୟୋଗୀମାନଙ୍କୁ ସହାୟକ ହୋଇଛି  ।

ଲଘୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ସହାୟତା ପାଇଁ ଗତ ୮ ବର୍ଷ ମଧ୍ୟରେ ଏହି କ୍ଷେତ୍ର ପାଇଁ ବଜେଟକୁ ୬୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି । ୧୧ କୋଟିରୁ ଅଧିକ ଲୋକ ଏହି କ୍ଷେତ୍ର ଠାରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲାଭ ପାଇପାରିଛନ୍ତି  ।

ସରକାର ସବୁ ଦିଗରେ କାର୍ଯ୍ୟ କରୁଛନ୍ତି । ଘରୋଇ କ୍ଷେତ୍ରକୁ ସର୍ବାଧିକ ବ୍ୟବସାୟିକ ସୁଗମତା ଦେବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି, ଯାହାଫଳରେ ଦେଶବାସୀଙ୍କ ସହଜ ଜୀବନ ଧାରଣ ପାଇଁ ଦେଶର ଘରୋଇ କ୍ଷେତ୍ର ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବେ ।

Leave A Reply

Your email address will not be published.