Latest Odisha News

BREAKING NEWS

କଂଗ୍ରେସ କାର୍ଯ୍ୟାଳୟରେ ଚୋରି, ଲଭ୍ ୟୁ ନୋଟ୍ ଛାଡିଲା ଚୋର

ନୂଆଦିଲ୍ଲୀ: ଛତିଶଗଡ଼ର ଅମ୍ବିକାପୁରରେ ଥିବା କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ରାଜୀବ ଭବନରେ ଏକ ଅଜବ ଚୋରି ଘଟିଛି। ଚୋରମାନେ ବାଥରୁମରୁ ଚମକଦାର ଟ୍ୟାପ୍ ଚୋରି କରିନେଇଛନ୍ତି। ପ୍ରାୟ ୭୨ଟି ଟ୍ୟାପ୍ (ନଳ) ଚୋରି ହୋଇଛି।

ତେବେ ଖାସ୍ କଥା ହେଉଛି ଯେ ଚୋରି କରିବା ପରେ ଚୋରମାନେ ଚଟାଣରେ “ଲଭ୍ ୟୁ” ଲେଖି ପଳାଇଥିଲେ। ଯାହା ସମଗ୍ର ମାମଲାକୁ ଆହୁରି ବିବାଦୀୟ କରୁଛି।

ଗତ ରାତିରେ ଚୋରମାନେ ରାଜୀବ ଭବନରେ ପ୍ରବେଶ କରିଥିଲେ। ସେମାନେ ଅତ୍ୟନ୍ତ ଧିରସ୍ଥିର ଭାବେ ବାଥରୁମର ଟ୍ୟାପଗୁଡ଼ିକୁ ଗୋଟିଏ ପରେ ଗୋଟିଏ କାଢି ଦେଇଥିଲେ। ସକାଳେ ଅଫିସ କର୍ମଚାରୀମାନେ ପହଞ୍ଚିବା ପରେ ସେମାନେ ଚକିତ ହୋଇଯାଇଥିଲେ। ବାଥରୁମ ଟ୍ୟାପ୍ ନଥିଲା, ବେସିନ୍ ଭାଙ୍ଗି ଯାଇଥିଲା, ଫ୍ଲସ୍ ଟ୍ୟାଙ୍କ ଏବଂ ପାଣି ପାଇପଲାଇନ୍ ବିଛାଡ଼ି ଯାଇଥିଲା। ତେବେ ଚୋରମାନେ ମୋଟ ୭୨ଟି ମହଙ୍ଗା ଏବଂ ଚମକଦାର ଟ୍ୟାପ୍ ଚୋରି କରିନେଇଛନ୍ତି।

ଘଟଣା ବିଷୟରେ ସୂଚନା ପାଇବା ପରେ, କଂଗ୍ରେସ ଜିଲ୍ଲା ସଭାପତି ବାଳକୃଷ୍ଣ ପାଠକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ରାଜୀବ ଭବନର ଯାଞ୍ଚ କରିଥିଲେ। ପରେ ସେ କହିଥିଲେ ଯେ ଏହା ପ୍ରଥମ ଥର ନୁହେଁ। ବାଳକୃଷ୍ଣ ପାଠକ କହିଛନ୍ତି, “ଏହା ରାଜୀବ ଭବନରେ ତୃତୀୟ ଚୋରି। ଏପର୍ଯ୍ୟନ୍ତ ମୋଟ ୭୩ଟି ଷ୍ଟିଲ୍ ଟ୍ୟାପ୍ ଚୋରି ହୋଇସାରିଛି।”

ଏପଟେ ବାଳକୃଷ୍ଣ ପାଠକ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ ପୋଲିସର ଆଚରଣ ସୂଚାଇ ଦେଉଛି ଯେ ସମଗ୍ର ଛତିଶଗଡ଼ରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି। ଏହି ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ।

 

Leave A Reply

Your email address will not be published.