ବଲିଉଡ ମହାନ ଗାୟିକା ଆଶା ଭୋସଲେଙ୍କୁ କିଏ ବା ନ ଜାଣେ । ବଲିଉଡରେ ସେ ତାଙ୍କ ଗୀତ ମାଧ୍ୟମରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଚମତ୍କାର ଗାୟନରେ ଶ୍ରୋତାଙ୍କ ମନରେ ରୋମାଂଚ ଓ ଆଶା ଭରୁଥିଲେ ଏହି ମହାନ ଗାୟିକା । ସେ କିନ୍ତୁ ନିରାଶରେ କାଟୁଥିଲେ ଜୀବନ । ଆଶା ଭୋସଲେ ଏ ଲାଇଫ ଇନ ମ୍ୟୁଜିକରେ ସେ ଖୋଲି କରି ତାଙ୍କ ମନ କଥା କହିଛନ୍ତି ।
ଘରୁ ଲୁଚିକରି ପଳାଇ ଆସିଥିଲେ: ପିଲାବେଳୁ ଲତା ମଙ୍ଗେସକରଙ୍କ ସହ ଆଶାଙ୍କୁ ତୁଳନା କରାଯିବାରୁ ସେ ଅସୁବିଧାରେ ପଡୁଥିଲେ ମଧ୍ୟ ହାର ମାନୁ ନ ଥିଲେ । ଲତାଙ୍କୁ ସଙ୍ଗୀତପ୍ରେମୀ ଯେତେ ମନେ ପକାଉଛନ୍ତି ଆଶାଙ୍କୁ ମଧ୍ୟ ସେତିକି ପ୍ରଶଂସା କରୁଛନ୍ତି । ସର୍ବାଧିକ ଗୀତ ଗାଇବା ଯୋଗୁ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ୧୬ ବର୍ଷ ବୟସରେ ଗଣପତରାଓ ଭୋସଲେଙ୍କ ସହ ଘରୁ ପଳାଇ ଆସିଥିଲେ । ଲତା ଏଥିରେ ରାଗି ଯାଇଥିଲେ । ସେ ଏହି ବିବାହରେ ଖୁସି ନ ଥିଲେ । ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତା ନ ଥିଲା ।
ବଦଳିଗଲେ ଗଣପତରାଓ: ଆଶା ତାଙ୍କଠାରୁ ୨୦ ବର୍ଷ ବଡ ଗଣପତଙ୍କୁ ବିବାହ କରି ଫସି ଯାଇଥିଲେ । କିଛିଦିନ ଠିକଠାକ ଚାଲିବା ପରେ ସେ ଆଶାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ । ନିଶାସକ୍ତ ଗଣପତଙ୍କ ଅତ୍ୟାଚାର ଯୋଗୁ ଆଶା ଅନେକ ଥର ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେ ଆଶାଙ୍କୁ ଯନ୍ତ୍ରଣା ଦେବାକୁ ଭଲ ପାଉଥିଲେ ।
ମୃତ୍ୟୁର ରାସ୍ତା ବାଛିଥିଲେ: ଆଶ ଗର୍ଭବତୀ ଥିବା ବେଳେ ଗଣପତଙ୍କ ଅତ୍ୟାଚାର ସହ୍ୟ କରିପାରି ନ ଥିଲେ । ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ମାତ୍ରାଧିକ ନିଦ ବଟିକା ଖାଇ ଦେଇଥିଲେ । ଭାଗ୍ୟବଶତଃ ସେ ବଂଚି ଯାଇଥିଲେ । ବହୁତ କଷ୍ଟରେ ସେ ଏହି ସମ୍ପର୍କରୁ ବାହାରି ଯାଇଥିଲେ । ଏହାର ଦୀର୍ଘ ଦିନ ପରେ ଆରଡି ବର୍ମନଙ୍କୁ ବିବାହ କରିଥିଲେ ।
ପୁଅ, ଝିଅଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିଲେ: ଆଶା ଓ ଗଣପତଙ୍କ ୩ଟି ସନ୍ତାନ ଥିଲେ । ବଡ ଝିଅ ବର୍ଷା ଓ ପରେ ପୁଅ ହେମନ୍ତଙ୍କ ମୃତ୍ୟୁ ହୋଇଥିଲା । ଆଶା ଭାଙ୍ଗି ପଡିଥିଲେ । ତଥାପି ସେ ସଙ୍ଗୀତକୁ ଛାଡି ନ ଥିଲେ । ଆଜି ସଙ୍ଗୀତ ତାଙ୍କୁ ନୂଆ ଜୀବନ ଦେବା ସହ ଆନନ୍ଦ ପ୍ରଦାନ କରୁଛି ।
Comments are closed.