Latest Odisha News

‘ମା’ ମୋତେ ବହୁତ ଡର ଲାଗୁଛି..ଶୀଘ୍ର ଆସ…’ଶେଷ ଫୋନ କଲରେ ଏମିତି ନିବେଦନ କରି ଛାତରୁ ଖସି ପଡିଲେ ମେଧାବୀ ଛାତ୍ର

କୋଲକାତା: ମା’ ମୋତେ କିଛି ଭଲ ଲାଗୁନି । ବହୁତ ଡର ଲାଗୁଛି । ତୁମେ ଜଲଦି ଆସ ମା’ । ତୁମକୁ ବହୁତ କିଛି କହିବାକୁ ଅଛି । ଶୀଘ୍ର ଆସ ମା‘ । ଏ ଥିଲା ଜଣେ ମେଧାବୀ ଛାତ୍ରର ଶେଷ ନିବେଦନ । ମା’ଙ୍କୁ ଫୋନ କରି   ଏମିତି ଅନୁନୟ କରି କହୁଥିଲା । ହେଲେ ମା’ ଆସିଲା ବେଳକୁ କିଛି କହିବାକୁ ପୁଅ ଆଉ ନ ଥିଲା । ସବୁଦିନ ପାଇଁ ଛାଡି ଚାଲି ଯାଇଥିଲା ।

ଯେଉଁ ବୟସରେ ଯୁଦ୍ଧ କ୍ଷେତ୍ରକୁ ଡେଇଁ ପଡ଼ିବା କଥା ସେ ବୟସରେ ଜୀବନଠାରୁ ଦୂରେଇ ଯିବାକୁ ପସନ୍ଦ କରୁଛନ୍ତି। ଯେଉଁ ବୟସରେ ସ୍ୱପ୍ନ ଦେଖିବା କଥା ସେ ବୟସରେ ପିଲାମାନେ ସବୁଦିନ ପାଇଁ ଆଖି ବୁଜି ଦେଉଛନ୍ତି  । ହେଲେ କାହିଁକି ? କାହିଁକି ଦିନକୁ ଦିନ ବଢି ଚାଲିଛି ଛାତ୍ର ମୃତ୍ୟୁ ? କେତେବେଳେ ପ୍ରେମ ପାଇଁ ତ କେତେବେଳେ ପାଠ ପାଇଁ ପୁଣି କେତେବେଳେ ରାଗିଂ ପାଇଁ  । କୋଟାରେ ମେଧାବୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମନରୁ ଲିଭିନି ।  ପୁଣିସାମ୍ନକୁ ଆସିଛି ଯାଦବପୁର ବିଶ୍ୱବିଦ୍ୟାଳୟର ଛାତ୍ର ମୃତ୍ୟୁ ଘଟଣା ।

ବିଶ୍ୱବଦ୍ୟାଳୟ ଛାତ୍ରାବାସର ତୃତୀୟ ମହଲାରୁ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରଙ୍କ ନାଁ ସପ୍ରଦୀପ କୁଣ୍ଡୁ । ବଙ୍ଗାଳୀ ଅନର୍ସର ପ୍ରଥମ ବର୍ଷର ଛାତ୍ର ଥିଲେ । ବୁଧବାର ରାତିପ୍ରାୟ ୧୧.୪୫ରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଛାତ୍ରାବାସ ଭବନର ବାଲକୋନିରୁ ପଡି ଯାଇଥିଲେ ଛାତ୍ରଜଣକ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଗୁରୁବାର ସକାଳ ୪ଟା ୩୦ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ସପ୍ରଦୀପ ମା‘ଙ୍କ ସହ କଥା ହୋଇଥିଲା । ଖୁବ ମାନସିକ ଅବସାଦ ଭିତରେ ଥିଲା । କିଛି ଭଲ ଲାଗୁନି । ଭୟ ଲାଗୁଛି ବୋଲି କହିଥିଲା । କ’ଣ ହୋଇଛି ବୋଲି ମା’ ପଚାରିବାରୁ ବହୁତ ଡର ଲାଗୁଛି ବୋଲି କହିଥିଲା । ଜଲଦି ପାଖକୁ ଆସିବାକୁ ବି ଡାକିଥିଲା । ମା’ ପୁଅକୁ ବୁଝାଇ ସୁଝାଇ ଫୋନ ରଖିଥିଲେ । କିଛି ସମୟ ପରେ ପୁଣି ଫୋନ କରିବାରୁ ସପ୍ରଦୀପ ଫୋନ ଉଠାଇ ନ ଥିଲା । ଏହାର ପ୍ରାୟ ଏକ ଘଣ୍ଟାପରେ ବାପାଙ୍କ ପାଖକୁ ଫୋନ କଲ ଆସିଥିଲା ଯେ ଯେତେ ଶୀଘ୍ର ସମ୍ଭବ କୋଲକାତା ଆସନ୍ତୁ । ଆପଣଙ୍କ ପୁଅ ଛାତରୁ ଖସି ପଡିଛି…

ରାଗିଂ ଯୋଗୁ ପୁଅର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସପ୍ରଦୀପଙ୍କ ବାପାଙ୍କ କହିବା ଅନୁଯାୟୀ, ତାଙ୍କ ପୁଅର ମୃତ୍ୟୁ ପାଇଁ ହଷ୍ଟେଲର କିଛି ସଞ୍ଚାଳକ ଦାୟୀ । ତେବେ ଏ ସଂକ୍ରାନ୍ତରେ ନା ପୋଲିସ କିଛି କହୁଛି ନା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷ ବିଶ୍ୱବିଦ୍ୟାଳୟ ଆସି ପରିବାର ସଦସ୍ୟଙ୍କୁ ଦେଖା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

 

Comments are closed.