ସମ୍ବଲପୁର : ସରିଲା ନିର୍ବନ୍ଧ । ହେବ ବାହାଘର । ବାଜିବ ବାଜା, ଫୁଟିବ ବାଣ । ଆଉ ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗୀର ଜିଲ୍ଲାପାଳ । ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରଣା। ଏହି ଦୁଇ ଆଇଏସଙ୍କ ନିରାଡ଼ମ୍ବର ଭାବେ ନିର୍ବନ୍ଧ ସରିଛି । ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ହୋଇଛି । ଉଭୟ ପକ୍ଷଙ୍କ ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟ ନିର୍ବନ୍ଧ କାର୍ଯ୍ୟରେ ସାମିଲ୍ ଥିଲେ । ଏଥିସହ କିଛି ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ନିର୍ବନ୍ଧରେ ଯୋଗ ଦେଇଥିଲେ ।
ସୂଚନା ମୁତାବକ୍, ଏହା ହେଉଛି ଉଭୟଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ମତଭେଦ କାରଣରୁ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ଚଞ୍ଚଳ ରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ତେବେ ରବିବାର ଦିନ ଗୋପନୀୟତା ଭାବେ ଚଞ୍ଚଳ ଓ ଅନନ୍ୟାଙ୍କ ନିର୍ବନ୍ଧ ସରିଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କର ବିବାହ ତାରିଖ ଘୋଷଣା ହୋଇପାରେ ।
୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର୍ ଚଞ୍ଚଳ ରଣା ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାପାଳ ଥିବା ବେଳେ ୨୦୧୮ ବ୍ୟାଚ୍ ଆଇଏଏସ୍ ଅଫିସର ଅନନ୍ୟା ଦାସ୍ ସମ୍ବଲପୁର ଜିଲ୍ଲାପାଳ ଅଛନ୍ତି। ଓଡିଶାର ଅନୁଗୁଳ ଜିଲ୍ଲା ନିବାସୀ ଚଞ୍ଚଳ ରଣା ଏନଆଇଟି ସିଲଚରରୁ ବିଟେକ୍ ଡିଗ୍ରୀ ହାସଲ କରିବା ପରେ ୟୁପିଏସସିରେ ଟପ୍ପର ହୋଇଥିଲେ। ଶ୍ରୀ ରଣା ପୂର୍ବରୁ କୁଚିଣ୍ଡାର ଉପଜିଲ୍ଲାପାଳ ଦାୟିତ୍ବ ମଧ୍ଯ ତୁଲାଇ ସାରିଛନ୍ତି। ସେହିପରି ଅନନ୍ଯା ଦାସ ବିରଲା ଇନଷ୍ଟିଚ୍ଯୁଟ୍ ଅଫ୍ ଟେକନୋଲୋଜିରୁ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ଏହା ପୂର୍ବରୁ ସେ କଟକ କମିଶନର ଦାୟିତ୍ବ ମଧ୍ୟ ତୁଲାଇଥିଲେ। ସେ ତାଙ୍କର ପ୍ରଥମ ପ୍ରୟାସରେ ହିଁ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ବ ହାସଲ କରିଥିଲେ। ସେ ପୂର୍ବରୁ ଏକ ସଫ୍ଟଓ୍ୱୟାର କମ୍ପାନୀରେ କାମ କରୁଥିଲେ ପରେ ଇସ୍ତଫା ଦେଇଥିଲେ ।
ଏପଟେ ନିର୍ବନ୍ଧ ସମୟରେ ଉଭୟ ଜିଲ୍ଲାପାଳଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଯେଉଁଥିରେ ଅନନ୍ୟା ଏକ ନାଲି ରଙ୍ଗ ଶାଢୀ ପିନ୍ଧିଥିବା ବେଳେ ଚଞ୍ଚଳ ଏକ ଧଳା ରଙ୍ଗର ପଞ୍ଜାବୀ ପିନ୍ଧିଥିବା ନଜର ଆସିଛନ୍ତି। ତେବେ ଉଭୟଙ୍କ ବିବାହ ବେଶ୍ ଧୁମଧାମରେ ହେବା ନେଇ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ହୋଇଛି ।
Comments are closed.