Latest Odisha News

BREAKING NEWS

ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମର ନୂଆ ଜିଲାପାଳ

ବ୍ରହ୍ମପୁର: ରାଜ୍ୟ ସରକାର ଗୁରୁବାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି । ଏଥି ସହିତ ଗଞ୍ଜାମ ଜିଲାରେ ପ୍ରଶାସନିକ ସ୍ତରରେ ମଧ୍ୟ ବଡ଼ ପରିବର୍ତ୍ତନ ଘଟିଛି । ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଭୁବନେଶ୍ୱର ମହାନଗର ନିଗମର ଆୟୁକ୍ତ ଭାବେ ବଦଳି ହୋଇଯାଇଛି ।

କୁଲାଙ୍ଗେ ଗତ ୨୦୧୮ ମସିହା ଅଗଷ୍ଟ ୪ ତାରିଖରେ ଗଞ୍ଜାମ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତା’ ପୂର୍ବରୁ ସେ ଥିଲେ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ । ଅନେକ ବର୍ଷ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ରହିଥିବା କୁଲାଙ୍ଗେଙ୍କ ଶେଷରେ ବଦଳି ହୋଇଛି । ତାଙ୍କ କାର୍ଯ୍ୟକାଳ ଭିତରେ ଜିଲା ଦୁଇ ଥର କରୋନାର ପ୍ରକୋପ ଦେଖିଛି।

ଏପରିକି କରୋନା ମୁକାବିଲାରେ ଗଞ୍ଜାମ ଜିଲାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ମିଳିବା ପଛରେ ଥିଲେ ଜିଲାପାଳ କୁଲାଙ୍ଗେ। ସେହିଭଳି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ଜିଲାରେ ସଫଳତାର ସହ କାର୍ଯ୍ୟକାରୀ କରିଥିବା ଯୋଗୁ ପୁରସ୍କୃତ ମଧ୍ୟ ହୋଇଥିଲେ ।

ଗଞ୍ଜାମ ଜିଲାକୁ ମିଳିଛି ନୂଆ ଜିଲାପାଳ । ସମ୍ବଲପୁର ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲାପାଳ ଦାୟିତ୍ୱ ମିଳିଛି । କଟକ ନିବାସୀ ଦିବ୍ୟଜ୍ୟୋତି ପୂର୍ବରୁ ରାଉରକେଲ ସ୍ମାର୍ଟସିଟିର ସିଇଓ ମଧ୍ୟ ରହିଥିଲେ । ଆନ୍ତର୍ଜାତୀୟ ସ୍ତରରେ ୧୪ଟି ଚାମ୍ପିୟନ ସହର ଭିତରେ ରାଉରକେଲା ରହିବା ପଛରେ ତାଙ୍କ ମୁଖ୍ୟ ଭୂମିକା ଥିଲା ବୋଲି କୁହାଯାଉଛି ।

ଅପରପକ୍ଷେ ଗତ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ଗଞ୍ଜାମ ଜିଲାରେ ୩ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଥିବା ୩ଜଣ ଆଇଏଏସ୍‌ଙ୍କ ଗୁରୁବାର ବଦଳି ହୋଇଛି । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ବାଲେଶ୍ୱର ଜିଲାପାଳ ଭାବେ ବଦଳି ହୋଇଥିବା ବେଳେ ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ ହୋଇଛନ୍ତି ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ।

ସେହିଭଳି ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଭଦ୍ରକ ଜିଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି। ଏହି ତିନି ଜଣ ଗୋଟିଏ ଦିନରେ ନୂଆ ଦାୟିତ୍ୱରେ ନିଯୁକ୍ତି ପାଇଥିବା ବେଳେ ଗୁରୁବାର ପୁଣି ଗୋଟିଏ ଦିନରେ ହିଁ ବଦଳି ହୋଇଛନ୍ତି। ତେବେ ବ୍ରହ୍ମପୁର ଉପ-ଜିଲାପାଳ ପଦରେ କାହାକୁ ନିଯୁକ୍ତି ମିଳିନି।

Leave A Reply

Your email address will not be published.