Latest Odisha News

ବନ୍ଦ ହେଲା ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲ; ପାକିସ୍ତାନରୁ ହେଉଥିଲା ପ୍ରସାରଣ

ଦେଶ ବିରୋଧରେ କରୁଥିଲେ ଖବର ପ୍ରସାରଣ

ଭୁବନେଶ୍ୱର: ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସୋମବାର ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲକୁ ବନ୍ଦ କରିଛି । ମିଛ ଖବର ଓ ଦେଶ ବିରୋଧ ଖବର ପ୍ରସାରଣ ହେଉଥିବା ଅଭିଯୋଗରେ ଏହି ଚ୍ୟାନେଲ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏନେଇ ପିଆଇବି ପକ୍ଷରୁ ସୂଚନା ମିଳିଛି ଓ ଆଞ୍ଚଳିକ କାର୍ଯ୍ୟାଳୟ ଟ୍ୱିଟ କରି ଜଣାଇଛି । ଗତବର୍ଷ ଡିସେମ୍ବରରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମିଛ ଖବର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।

୨୨ଟି ୟୁଟୁବ ଚ୍ୟାନେଲ ସହ ୩ଟି ଟ୍ୱିଟର ଆକାଉଣ୍ଟଓ ଗୋଟିଏ ଫେସବୁକ୍ ଆକାଉଣ୍ଟକୁ ମଧ୍ୟ ଗତ କାଲି ରଦ୍ଧ କରିଦିଆଯାଇଛି । ଆଇଟି ଅଧିନିୟମ, ୨୦୨୧ ଆଧାରରେ ମିଛ ଖବର ପ୍ରସାରଣ କରୁଥିବା ଏହି ଚାନେଲ ଓ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହି ମାଧ୍ୟମ ଗୁଡ଼ିକରେ, ଅତି ସମ୍ବେଦନଶୀଳ ବିଷୟ ଉପରେ ଖବର ପ୍ରସାରିତ ହେଉଥିଲା । ଦେଶ ବିରୋଧୀ ଖବର, ଭାରତୀୟ ସେନା ଓ ଜମ୍ମୁ କଶ୍ମୀରକୁ ଉତ୍ତେଜକ, ମିଛ ଓ ଭ୍ରମାତ୍ମକ ଖବର ପ୍ରସାରିତ ହେଉଥିଲା ବୋଲି ପିଆଇବି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛି ।

୨୨ ଗୋଟି ଚ୍ୟାନେଲ ଭିତରୁ ୧୮ଟି ଭାରତରୁ ଓ ୪ଟି ପାକିସ୍ତାନରୁ ପରିଚାଳିତ ହେଉଥିଲା । ବର୍ତ୍ତମାନର ଋଷିଆ-ୟୁକ୍ରେନ ସମସ୍ୟାକୁ ନେଇ ଅନେକ ମିଛି ଖବର ଏହି ଚ୍ୟାନେଲରୁ ପ୍ରସାରିତ ହୋଇଥିଲା । ଯେପରି ଭାରତର ବୈଦେଶିକ ସଂପର୍କ ମଳିନ ପଡ଼ିବ ।

ଏହି ଚ୍ୟାନେଲ ଗୁଡ଼ିକ ବିଭିନ୍ନ ମୁଖ୍ୟସ୍ରୋତ ଗଣମାଧ୍ୟମ ସଂସ୍ଥାର ଲୋଗୋ, ଥମ୍ବନେଲ ଆଦି ବ୍ୟବହାର କରି ଖବର ପ୍ରସାରଣ କରୁଥିଲେ । ଅଧିକ ପହଞ୍ଚ ପାଇଁ ପ୍ରତ୍ୟେକ ଭିଡିଓରେ ବାରମ୍ବାର ଥମ୍ବନେଲ ପରିବର୍ତ୍ତନ କରୁଥିଲେ । ଏହି ଭିଡିଓ ଏବଂ ଚ୍ୟାନେଲର ଅନ୍ୟ ତଥ୍ୟ, ଖବରକୁ ବିଶ୍ଲେଷଣ କରି ଜଣାପଡ଼ିଛି ଯେ, ଭାରତ ବିରୋଧୀ ଖବର ଗୁଡ଼ିକ ଅଧିକାଂଶ ପାକିସ୍ତାନରୁ ହିଁ ପରିଚାଳିତ ହେଉଥିଲା ।

ବନ୍ଦ ହୋଇଥିବା ସମସ୍ତ ୟୁଟୁବ ଚ୍ୟାନେଲର ଦର୍ଶକ ସଂଖ୍ୟା ପ୍ରାୟ ୨୬୦ କୋଟିରୁ ଅଧିକ ରହିଥିଲା ବୋଲି ଜଣାପଡ଼ିଛି । ଏଥରୁ ସ୍ପଷ୍ଟ ଅନୁମେୟ ଚ୍ୟାନେଲ ଗୁଡ଼ିକ ବେଶ୍ ପ୍ରଭାବଶାଳୀ ଥିଲେ ।

Leave A Reply

Your email address will not be published.