Latest Odisha News

BREAKING NEWS

ଆଇସି-୮୧୪ ସିରିଜ୍: କେତେ ସତ, କେତେ ମିଛ?

ମୁମ୍ବାଇ: ନେଟଫ୍ଲିକ୍ସ ୱେବସିରିଜ୍ ଆଇସି-୮୧୪କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ସିରିଜକୁ ନେଇ ଅନେକ ଆପତ୍ତି, ଅନେକ ଅଭିଯୋଗ । ସିରିଜରେ ଭାରତୀୟ ବିମାନ ଅପହରଣ ନେଇ ପ୍ରକୃତ କଥା କୁହାଯାଇଛି ତ? ଏନେଇ ସୋସିଆଲ ମିଡିଆରେ ସରଗରମ ବିତର୍କ । ସିରିଜରେ ତଥ୍ୟକୁ ବିକୃତ କରାଯାଇଛି ବୋଲି ଅନେକ ଅଭିଯୋଗ । ଏଥିପାଇଁ ନିର୍ଦ୍ଦେଶକ ଅନୁଭବ ସିହ୍ନା ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ଏପରିକି ସିରିଜ ବିରୋଧରେ ଜୋରଦାର ଅଭିଯାନ ଚଳାଇଛନ୍ତି ବୟକଟ୍ ଗ୍ୟାଙ୍ଗ୍ ।

ଆଇସି -୮୧୪ ସିରିଜ୍ ନେଇ ବିବାଦ କ’ଣ?

୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ୍ ଅପହରଣ ଉପରେ ଆଧାରିତ ହୋଇଛି ସିରିଜ୍ ଆଇସି-୮୧୪ । କାଠମାଣ୍ଡୁରୁ ଦିଲ୍ଲୀ ଯାଉଥିବା ବେଳେ ଆତଙ୍କବାଦୀମାନେ ବିମାନକୁ କାନ୍ଦାହାର ନେଇ ଯାଇଥିଲେ । ଅପହୃତ ବିମାନର ମୁଖ୍ୟ ପାଇଲଟ କ୍ୟାପଟେନ ଦେବୀ ଶରଣଙ୍କ ଲିଖିତ ପୁସ୍ତକ ଫ୍ଲାଇଟ୍ ଇନଟୁ ଫିୟର ଉପରେ ଆଧାରିତ ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ଅନୁଭବ ସିହ୍ନା । ବିମାନ ଅପହରଣ କରିଥିବା ମୁସଲିମ ଆତଙ୍କବାଦୀଙ୍କ ପ୍ରକୃତ ପରିଚୟ ଗୋପନ କାହିଁକି ରଖାଯାଇଛି ବୋଲି ପ୍ରଥମେ ଉଠିଥିଲା ପ୍ରଶ୍ନ । ଦୁଇ ଆତଙ୍କବାଦୀଙ୍କ ହିନ୍ଦୁ ନାଁ ନେଇ ମଧ୍ୟ ଆପତ୍ତି ଉଠିଥିଲା । ସିରିଜରେ ଅପହରଣକାରୀ ପରସ୍ପରକୁ ପ୍ରକୃତ ନାଁ ବଦଳରେ କୋଡ୍ ନାଁ ରେ ସମ୍ବୋଧନ କରିବା ଦେଖାଯାଇଛି । ସିରିଜରେ ୫ ପାକିସ୍ତାନୀ ଆତଙ୍କବାଦୀଙ୍କ କୋଡ୍ ନେମ୍ ହେଉଛି ଚିଫ୍, ଡକ୍ଟର, ବର୍ଗର, ଭୋଲା ଓ ଶଙ୍କର । କାହିଁକି ମୁସଲିମ ଅପହରଣକାରୀଙ୍କ ପ୍ରକୃତ ନାଁ କୁହାଯାଇନାହିଁ ବୋଲି ଅନେକ ପ୍ରଶ୍ନ କରିଥିଲେ । ବିଜେପି ନେତା ଅମିତ ମାଲବୀୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ମୁସଲିମ ଅପହରଣକାରୀଙ୍କ ପ୍ରକୃତ ନାଁ ଜାଣିଶୁଣି ଗୋପନ ରଖାଯାଇଛି । ଅଣ ମୁସଲିମ ଓ ହିନ୍ଦୁ କୋଡ୍ ନେମ ରଖାଯାଇ ଦର୍ଶକଙ୍କୁ ବିଭ୍ରାନ୍ତ କରିବାକୁ ନିର୍ମାତା ଚେଷ୍ଟା କରିଛନ୍ତି । ଲୋକେ ବିମାନକୁ ହିନ୍ଦୁମାନେ ଅପହରଣ କରିଥିଲେ ବୋଲି ଭାବିବେ ବୋଲି କହିଥିଲେ ଅମିତ ମାଲବୀୟ । ଦୁଇ ଆତଙ୍କବାଦୀଙ୍କ ହିନ୍ଦୁ କୋଡ୍ ନେମ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିଲା ତୀବ୍ର ପ୍ରତିକ୍ରିୟା ।

ନେଟଫ୍ଲିକ୍ସକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ତାଗିଦ୍

ଆଇସି-୮୧୪ ସିରିଜ୍ ନେଇ ବିବାଦ ବଢିବା ପରେ ନେଟଫ୍ଲିକ୍ସ କଂଟେଟ୍ ହେଡଙ୍କୁ ସମନ କରି ତାଗିଦ୍ କରିଥିଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଲୋକଙ୍କ ଧାର୍ମିକ ଭାବନାରେ ଆଂଚ୍ ଯେପରି ନ ଆସେ, ସେ ନେଇ ସତର୍କ ହେବାକୁ ପରାମର୍ଶ ଦେଇଛି ମନ୍ତ୍ରାଳୟ । ବିବାଦ ଓ ସୂଚନା ପ୍ରସାରଣ ମନ୍ତ୍ରାଳୟର କଡା ତାଗିଦ୍ ପରେ ନେଟଫ୍ଲିକ୍ସ ଏବେ ନୂଆ ଓପନିଂ ଡିସକ୍ଲେମରରେ ସହ ଆତଙ୍କବାଦୀଙ୍କ ପ୍ରକୃତ ନାଁ ଓ କୋଡ୍ ନାଁ ଯୋଡିଛି ।

ଅନ୍ୟ କିଛି ତଥ୍ୟ ବାବଦରେ ବି ଭୁଲ୍ ଚିତ୍ରଣ?

ମୁସଲିମ ଆତଙ୍କବାଦୀଙ୍କ ପରିଚୟ ଗୋପନ ସମେତ ଆଇସି -୮୧୪ ସିରିଜ୍ ନେଇ ଆହୁରି ଅନେକ ଅଭିଯୋଗ ମଧ୍ୟ କରାଯାଇଛି । ବିମାନ ଅପହରଣରେ ଆଇଏସଆଇର ଭୂମିକା ସେତେ ନଥିଲା ବୋଲି ସିରିଜରେ ଦର୍ଶାଯାଇଛି । ଅପହରଣରେ ଅଲ୍ କାଇଦାର ଭୂମିକା ଅଧିକ ଥିଲା ବୋଲି ସିରିଜରେ ଦେଖାଯାଇଛି । କିନ୍ତୁ ଅନେକ ପୂର୍ବତନ ଗୁଇନ୍ଦା ଅଧିକାରୀ ଏହା ଭୁଲ୍ ବୋଲି କହିଛନ୍ତି । ସମଗ୍ର ବିମାନ ଅପହରଣ ପଛରେ ଆଇଏସଆଇର ହିଁ ହାତ ଥିଲା ବୋଲି ତତ୍କାଳୀନ ର’ ମୁଖ୍ୟ ଏ.ଏସ ଦୁଲତ କହିଛନ୍ତି । ପାକିସ୍ତାନୀ ଅପହରଣକର୍ତ୍ତାଙ୍କ ମାନବୀୟ ଦିଗକୁ ଦେଖାଇବା ମଧ୍ୟ ଭୁଲ୍ ବୋଲି ଅନେକ କହିଛନ୍ତି । ବିବାଦ ଓ ବିତର୍କ ମଧ୍ୟରେ ସିରିଜ୍ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ମଧ୍ୟ ସମର୍ଥନ ମିଳିଛି । ସିନେମାଟିକ୍ ଲିବର୍ଟି ନେବା ସବୁ ନିର୍ମାତା , ନିର୍ଦ୍ଦେଶକଙ୍କର ଅଧିକାର ରହିଛି । ଅନୁଭବ ସିହ୍ନାଙ୍କ ଭଳି ଜଣେ ଦେଶପ୍ରେମୀ ନିର୍ଦ୍ଦେଶକଙ୍କୁ ସନ୍ଦେହ କରିବା ଠିକ୍ ନୁହେଁ ବୋଲି ଭେଟେରାନ ନିର୍ମାତା ନିର୍ଦ୍ଦେଶକ ସୁଧୀର ମିଶ୍ର କହିଛନ୍ତି । ବାଜପେୟୀ ସରକାର ଅମଳରେ ଭାରତୀୟ ବିମାନ ଅପହରଣ ଘଟଣା ଉପରେ ସିରିଜ୍ ଆଧାରିତ ହୋଇଥିବାରୁ କିଛି ଦକ୍ଷିଣପନ୍ଥୀ ଓ ବିଜେପି ସମର୍ଥକ ଏହାକୁ ବିରୋଧ କରୁଥିବା ମତ ପ୍ରକାଶ ପାଇଛି ।

Comments are closed.