ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାଇବ୍ରିଡ ମଡେଲରେ ହେବ ବୋଲି ସ୍ଥ୍ିର ହୋଇଛି । ଆଇସିସି ଏଥିନେଇ ମଂଜୁରୀ ପ୍ରଦାନ କରିଛି । ଏବେ ଏହି ଟୁର୍ଣ୍ଣାମେଂଟ ପାକିସ୍ତାନ ଓ ଦୁବାଇରେ ମିଳିତ ଭାବେ ଆୟୋଜିତ ହେବ । ଭାରତ ତାର ମ୍ୟାଚ ଦୁବାଇରେ ଖେଳିବ । ବିସିସିଆଇ ଓ ପିସିବି ମଧ୍ୟରେ ଏ ନେଇ ବୁଝାମଣା ମଧ୍ୟ ହୋଇଛି । ପାକିସ୍ତାନ ଗସ୍ତରେ ଭାରତ ଯାଉ ନ ଥିବାରୁ ପାକିସ୍ତାନ ଟିମ ମଧ୍ୟ ୨୦୨୬ ଟି୨୦ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବନି । କଲମ୍ବୋରେ ପାକିସ୍ତାନ ତାର ମ୍ୟାଚ ଖେଳିବ । ହାଇବ୍ରିଡ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେଲେ ମଧ୍ୟ ପିସିବିକୁ କୌଣସି ପ୍ରକାରର ଆର୍ଥୀକ ସହାୟତା ଦିଆଯିବନି ।
ଏହା ବଦଳରେ ଆଇସିସି କୌଣସି ଏକ ମହିଳା ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ଅଧିକାର ପ୍ରଦାନ କରାଯିବ । ୧୯୯୬ ବିଶ୍ୱକପ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଆଇସିସି ଇଭେଂଟ ଆୟୋଜିତ କରିବାକୁ ଯାଉଛି । ସେହିପରି ୨୦୧୨ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନି । କେବଳ ଆଇସିିସି ଟୁର୍ଣ୍ଣାମେଂଟରେ ଉଭୟ ଦେଶ ପରସ୍ପର ବିରୋଧରେ ମ୍ୟାଚ ଖେଳିଛନ୍ତି । ୨୦୧୭ ପରେ ଆଇସିସି କ୍ୟାଲେଣ୍ଡରରେ ଚାମ୍ପିୟନ୍ସ ଟ୍ରଫି ସ୍ଥାନ ପାଇଛି । ୨୦୧୭ରେ ଇଂଲଣ୍ଡରେ ଆୟୋଜିତ ମୁକାବିଲାରେ ପାକିସ୍ତାନ ଚାମ୍ପିୟନ ହୋଇଥିଲା ।