Latest Odisha News

BREAKING NEWS

ମିଲ୍ ବଦଳରେ ଫଳ: ଅସନ୍ତୋଷ ପ୍ରକାଶ କଲା ଟିମ୍ ଇଣ୍ଡିଆ, ଜବାବ ରଖିଲା ଆଇସିସି

ସିଡନୀ: ଟି -୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ପାଇଁ ସିଡନୀରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ନେଟରେ ଅଭ୍ୟାସ କରି ଫେରିବା ପରେ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଥଣ୍ଡା ଏବଂ ଅଧା ଖାଦ୍ୟ ପରସା ଯାଇଥିଲା। କିଛି ଖେଳାଳି ଫଳ ଖାଇଥିଲେ ଆଉ କିଛି ମିଲ୍ ଆବଶ୍ୟକତା କରି ହୋଟେଲେ ଯାଇ ଖାଇଥିଲେ। ଏହାକୁ ନେଇ ଦଳ ଅସନ୍ତୋଷ ପ୍ରକାଶ କରିବା ପରେ ଆଇସିସି ପ୍ରତିକ୍ରିୟା ରଖିଛି।

ଆଇସିସିରେ ଟିମ୍ ଇଣ୍ଡିଆ  ଏ ନେଇ ଅଭିଯୋଗ କରିଥିଲା। ଅଭ୍ୟାସ ପରେ ଖେଳାଳିଙ୍କୁ କେବଳ ସାଣ୍ଡୱିଚ୍ ଏବଂ ଫଳ ଦିଆଯାଇଥିଲା। ହେଲେ ଖେଳାଳି ଭଲ ମିଲଟିଏ ଆଶା ରଖିଥିଲେ। ଏପରି ଖାଦ୍ୟ ଦେଖିବା ପରେ ଦଳର କିଛି ଖେଳାଳି ଫଳ ଖାଇଥିଲେ ଏବଂ ଅଧିକାଂଶ ହୋଟେଲକୁ ଯାଇ ଖାଦ୍ୟ ଖାଇବାକୁ ସ୍ଥିର କରିଥିଲେ। ଆଇସିସି ବର୍ତ୍ତମାନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି।

ଆଇସିସି କହିଛି ଯେ ଖାଦ୍ୟ ସହ ଜଡିତ ସମସ୍ୟା ଆମକୁ ଭାରତୀୟ ଦଳ ତରଫରୁ ଅବଗତ କରାଯାଇଛି। ଆଇସିସି ଅଧିକାରୀ କହିଛନ୍ତି, ଆମେ ଏହି ପ୍ରସଙ୍ଗ ଉପରେ ଦୃଷ୍ଟି ରଖିଛୁ ଏବଂ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ।

ସେହିପରି ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ କିଛି ଖେଳାଳି ଫଳ ନେଇଥିଲେ, କିନ୍ତୁ ସମସ୍ତେ ମଧ୍ୟାହ୍ନ ଭୋଜନ କରିବାକୁ ଚାହୁଁଥିଲେ ଏବଂ ସେମାନେ ହୋଟେଲକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ।

ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି, ସମସ୍ୟା ହେଉଛି ଆଇସିସି ମଧ୍ୟାହ୍ନ ଭୋଜନ ସମୟ ପରେ ଗରମ ଖାଦ୍ୟ ଦେଉନାହିଁ। ଯିଏ ମ୍ୟାଚର ଆୟୋଜକ ସିଏ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା କରିଥାଏ। କିନ୍ତୁ ଏହା ବିଶ୍ୱକପ ହୋଇଥିବାରୁ ଆଇସିସି ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବା କଥା।

ଅନ୍ୟପଟେ ଟିମ୍ ଇଣ୍ଡିଆ ଅଭ୍ୟାସ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଅଭ୍ୟାସ ସ୍ଥାନଠାରୁ ଟିମ ଇଣ୍ଡିଆ ରହୁଥିବା ହୋଟେଲ ମଧ୍ୟରେ ୪୦ କିଲୋମିଟର ଦୂରତା ରହିଛି। ଏହି ଦୂରତାକୁ ଧ୍ୟାନରେ ରଖି ଟିମ୍ ଇଣ୍ଡିଆ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଅଭ୍ୟାସ ନକରିବାକୁ ନିଷ୍ପତ୍ତି ନେଇଛି।

Comments are closed.