ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଭାରତ ଚାମ୍ପିୟନ ହୋଇଛି । ରେକର୍ଡ ତୃତୀୟ ଓ କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତ ଟାଇଟଲ ହାସଲ କରିଛି । ଆଇସିସି ଓ ଏହା ସହିତ ଜଡିତ ବ୍ରାଣ୍ଡମାନେ ମଧ୍ୟ ବେଶ ଫାଇଦାରେ ରହିଛନ୍ତି । ଏକ ରିପୋର୍ଟ ମୁତାବକ ଏହି ବିଶ୍ୱକପରେ ବିଜ୍ଞାପନ ଏବଂ ଅନ୍ୟ ବାବଦକୁ ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଆୟ ହୋଇଛି । ଭାରତ ଓ ପାକିସ୍ତାନ ମ୍ୟାଚରେ ସର୍ବାଧିକ ଆୟ ହୋଇଛି । ସାମାନ୍ୟ ମ୍ୟାଚରେ ବିଜ୍ଞାପନ ଦର ୧୦ ସେକେଣ୍ଡକୁ ୭.୫ ଲକ୍ଷ ଟଙ୍କା ଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚ, ସେମିଫାଇନାଲ ଓ ଫାଇନାଲରେ ଏହାର ମୂଲ୍ୟ ୧୬ ଲକ୍ଷ ପର୍ଯ୍ୟନ୍ତ ଯାଇଥିଲା । ଏପରିକି ଭାରତ-ପାକିସ୍ତାନ ମ୍ୟାଚରେ ଆଡ ସ୍ଲଟ ୨୫ ଲକ୍ଷ ଛୁଇଁଥିଲା ।
ଅରମକୋ, ଡିପି ୱାର୍ଲ୍ଡ ଓ ଏମିରେଟ୍ସ ଆଇସିସିର ୩ ପ୍ରମୂଖ ସ୍ପନଶର କମ୍ପାନୀ ରହିଥିଲେ । ସେମାନେ ୭୫ କୋଟି ଲେଖାଏଁ ଖର୍ଚ୍ଚ କରିଥଲେ । ଫାଇନାଲରେ ଭାରତ ୯୬ ରନରେ ସହଜରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ସଞ୍ଜୁ ସାମସନ ୮୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଭାରତ ୨୨୫ ରନ କରିଥିବା ବେଳେ ନ୍ୟୁଜିଲାଣ୍ଡ ୧୫୯ ରନରେ ଅଲଆଉଟ ହୋଇ ଯାଇଥିଲା । ଟି୨୦ ବିଶ୍ୱକପ ଆୟ ସମ୍ପର୍କରେ ଆଇସିସି ବିଧିବଦ୍ଧ ଭାବେ କୌଣସି ଡାଟା ପ୍ରଦାନ କରିନି ।