ଦୁବାଇ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଆଜି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି । ୧୮ ବର୍ଷ ପରେ ଶ୍ରୀଲଙ୍କା ଏହାକୁ ଆୟୋଜନ କରିବାକୁ ଯାଉଛି । ୨୦୦୬ରେ ଶେଷ ଥର ପାଇଁ ଏଠାରେ ୧୯ ବର୍ଷରୁ କମ ବିଶ୍ୱକପ ଆୟୋଜିତ ହୋଇଥିଲା । ସେତେବେଳେ ଫାଇନାଲରେ ଭାରତକୁ ହରାଇଥିଲା ପାକିସ୍ତାନ । ଚେତେଶ୍ୱର ପୂଜାରା, ରୋହିତ ଶର୍ମା ଓ ପୀୟୂଷ ଚାୱାଲାଙ୍କ ପରି ଖେଳାଳି ଟିମରେ ଥିଲେ । ୨୦୨୪ ସଂସ୍କରଣ ୧୩ ଜାନୁୟାରୀରୁ ଆରମ୍ଭ ହୋଇ ଫେବୃୟାରୀ ୪ ପର୍ଯ୍ୟନ୍ତ ଚାଲିବ । ୧୬ଟି ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଛି ।
ଗ୍ରୁପ ଏରେ ଚାମ୍ପିୟନ ଭାରତ ସହ ବାଂଲାଦେଶ, ଆୟର୍ଲାଣ୍ଡ ଓ ଆମେରିକା ରହିଛନ୍ତି । ଗ୍ରୁପ ବିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ସ୍କଟଲାଣ୍ଡ । ଗ୍ରୁପ ସିରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଜିମ୍ବାୱେ, ନାମ୍ବିଆ ଓ ଗ୍ରୁପ ଡିରେ ଆଫଗାନିସ୍ତାନ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ନେପାଳ ରହିଛନ୍ତି । ୧୩ ଜାନୁୟାରୀରେ ଆୟୋଜକ ଶ୍ରୀଲଙ୍କା ତାର ଅଭିଯାନ ଜିମ୍ବାୱେ ବିପକ୍ଷରେ ଆରମ୍ଭ କରିବ । ଟାଇଟଲ ଦାବୀଦାର ଭାରତ ୧୪ରେ ତାର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ । ଫାଇନାଲ ମ୍ୟାଚ ଫେବୃୟାରୀ ୪ରେ ଖେଳାଯିବ ।
Comments are closed.