ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରୁ ବାଂଲାଦେଶକୁ ବାଦ ଦିଆଯିବା ପରେ ପାକିସ୍ତାନ ମଧ୍ୟ ଏଭଳି କରିବାକୁ ଧମକ ଦେଉଛି। ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ସୁଯୋଗ ଦିଆଯିବା ନେଇ ଆଇସିସି ଘୋଷଣା କରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ମୋହସିନ୍ ନକଭି ଟୁର୍ଣ୍ଣାମେଣ୍ଟ ବର୍ଜନ କରିବାକୁ ଧମକ ଦେଇଥିଲେ। ଯାହା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବେ ଏକ ଚେତାବନୀ ଜାରି କରିଛି।
ମୋହସିନଙ୍କ ମନ୍ତବ୍ୟ ଆଇସିସିକୁ ପସନ୍ଦ ଆସିନଥିବା ବେଳେ ଚେତାବନୀ ଦେଇ କହିଛି ଯେ, ଯଦି ପାକିସ୍ତାନ T20 ବିଶ୍ୱକପ୍ ରୁ ଓହରି ଯାଏ, ତେବେ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାହା ଫଳରେ ଏହାର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ନଷ୍ଟ ହୋଇପାରେ।
ନକଭି ପୂର୍ବରୁ ବାଂଲାଦେଶକୁ ବାଦ ଦେବାର ନିଷ୍ପତ୍ତି ପାଇଁ ଆଇସିସିର ପ୍ରଶାସକ ସଂସ୍ଥାକୁ ସମାଲୋଚନା କରିଥିଲେ। ବାଂଲାଦେଶକୁ ସମର୍ଥନ କରି ନକଭି କହିଥିଲେ ଯେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ T20 ବିଶ୍ୱକପ୍ ବର୍ଜନ କରିପାରିବ।
ରିପୋର୍ଟ ଅନୁଯାୟୀ, ଯଦି ପାକିସ୍ତାନ T20 ବିଶ୍ୱକପ୍ ରୁ ଓହରିଯାଏ, ତେବେ ଆଇସିସି ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ଯାହା ଏହାକୁ ଅନ୍ତର୍ଜାତୀୟ କ୍ରିକେଟରେ ସମ୍ପୂର୍ଣ୍ଣ ଭାବରେ ଅଲଗା କରିଦେବ। ଏଥିରେ ସମସ୍ତ ଦ୍ୱିପାକ୍ଷିକ ସିରିଜରୁ ବାଦ, ଏସିଆ କପରୁ ବାଦ ଏବଂ ବିଦେଶୀ ଖେଳାଳିମାନଙ୍କୁ ପାକିସ୍ତାନ ସୁପର ଲିଗ୍ (ପିଏସଏଲ)ରେ ଅଂଶଗ୍ରହଣ କରିବାରୁ ରୋକିବା ପାଇଁ ଆଇସିସି ବୋର୍ଡ ସଦସ୍ୟଙ୍କ ପାଇଁ ଏକ ନୀତି ଆଣିବା ଅନ୍ତର୍ଭୁକ୍ତ।