ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ମନୁଷ୍ୟ ବେଳେ ବେଳେ ଅଯଥା, ଅନାବଶ୍ୟକ,ଅବାନ୍ତର ଶବ୍ଦ କହି ନିର୍ବୋଧର ପରିଚୟ ଦେଇଥାଏ । ଏହାର ମୂଳ କାରଣ ଅହଂକାର ଏବଂ ଗର୍ବର ଅପଚୟ । ଜଣେ ବ୍ୟକ୍ତି ଗର୍ବରେ କହିଲା ମୋ ବିନା ମୋ ପରିବାର ଘଡିଏ ଚଳି ପାରିବ ନାହିଁ । ତାର ଗୋଟିଏ ଛୋଟ ଦୋକାନ । ସେଥିରୁ ରୋଜଗାର କରି ପରିବାର ପୋଷଣ କରୁଥିଲା । ଯେହେତୁ ସେ ରୋଜଗାରକାରୀ ତେଣୁ ସେ ଭାବୁଥିଲା ତା ବିନା କିଛି ହେବ ନାହିଁ । ସେ
ଲୋକମାନଙ୍କ ଆଗରେ ଗର୍ବ କରୁଥିଲା । ସେ ଦିନେ ସାଧୁଙ୍କ ସତସଙ୍ଗରେ ପହଞ୍ଚିଲା ।
ସାଧୁ କହୁଥିଲେ, ଦୁନିଆରେ କାହା ବିନା କେହି ଅଟକି ଯାଆନ୍ତି ନାହିଁ । ଏହା ଗର୍ବର ଅପଚୟ । ଯାହା ମୋ ବିନା ପରିବାର କିମ୍ବା ସମାଜ ବନ୍ଦ ହୋଇଯିବ । ସମସ୍ତେ ନିଜ ଭାଗ୍ୟ ଅନୁଯାୟୀ ଫଳ ପାଆନ୍ତି । ସତସଙ୍ଗ ଶେଷ ହେବା ପରେ ସାଧୁଙ୍କୁ ସେହି ବ୍ୟକ୍ତି ଜଣକ କହିଲା, ‘ମୁଁ ଦିନସାରା ରୋଜଗାର କରୁଛି ସେଥିରେ ମୋ ପରିବାର ଚଳାଉଛି ।’ ମୋ ବିନା ମୋ ପରିବାର ଭୋକରେ ରହିବେ । ସାଧୁ କହିଲେ, ‘ଏହା ତୁମର ଭ୍ରମ ।’ ସମସ୍ତେ ନିଜ ଭାଗ୍ୟ ଭୋଗ କରନ୍ତି । ବ୍ୟକ୍ତି ଜଣକ କହିଲା, ମୋ ବିନା ମୋର ପରିବାର ବଞ୍ଚି ପାରିବେ ନାହିଁ ଯଦି ଆପଣ କହିବେ ପ୍ରମାଣ କରି ଦେଖାଇ ଦେବି । ସାଧୁ କହିଲେ- ଠିକ ଅଛି । ତୁମେ କାହାକୁ କିଛି ନ କହି, କିଛି ମାସ ପାଇଁ ଘରୁ ଅଦୃଶ୍ୟ ହୋଇଯାଅ । ସେ ତାହା କରିଥିଲେ । ସାଧୁ ଚାରିଆଡ଼େ ପ୍ରଚାର କଲେ, ସେ ବ୍ୟକ୍ତିଙ୍କୁ ବାଘ ଖାଇଦେଲା ।
ସେହି ବ୍ୟକ୍ତିଙ୍କ ପରିବାର କିଛି ଦିନ ଶୋକ କରିଥିଲେ । ଶେଷରେ ଗ୍ରାମବାସୀ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ଜଣେ ସେଠ୍ ତାଙ୍କ ବଡ ପୁଅକୁ ତାଙ୍କ ଅଫିସ୍ ରେ ଚାକିରି ଦେଲେ । ଗ୍ରାମବାସୀ ଏକାଠି ହୋଇ ଝିଅକୁ ବିବାହ କରିଥିଲେ । ଜଣେ ବ୍ୟକ୍ତି ସାନ ପୁଅର ଶିକ୍ଷା ଖର୍ଚ୍ଚ ଦେବାକୁ ପ୍ରସ୍ତୁତ ହେଲା । କିଛି ମାସ ପରେ ସେହି ବ୍ୟକ୍ତି ଜଣକ ମୁଣ୍ଡ ଲୁଚାଇ ନିଜ ଘରକୁ ଆସିଲା । ପରିବାର ସଦସ୍ୟ ଏହାକୁ ଭୂତ ବୋଲି ଭାବି କବାଟ ଖୋଲିଲେ ନାହିଁ । ଯେତେବେଳେ ସେ ବହୁତ ବୁଝାଇ ନିଜର କଥା କହିଲେ । ସେତେବେଳେ ତାଙ୍କର ପତ୍ନୀ କବାଟ ଭିତରେ ଥାଇ ଉତ୍ତର ଦେଲେ …ଆମେ ତୁମର ଆଉ ଆବଶ୍ୟକତା ମନେ କରୁନାହୁଁ । ବର୍ତ୍ତମାନ ଆମେ ପୂର୍ବ ଅପେକ୍ଷା ଅଧିକ ଖୁସି । ଏହା ଶୁଣି ସେହି ବ୍ୟକ୍ତିର ଗର୍ବର ଅପଚୟ ଘଟିଲା । ଦୁନିଆ କାହା ପାଇଁ ବନ୍ଦ ହୁଏ ନାହିଁ … ଏଠାରେ ସମସ୍ତଙ୍କ ବିନା କାମ ହୋଇପାରିବ । ଭଗବାନ ହିଁ ଏହି ସଂସାରକୁ ଚଳାନ୍ତି ।
Comments are closed.