ନୂଆଦିଲ୍ଲୀ: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ୯ପ୍ରତିଶତ ହିନ୍ଦୁ ଭୋଟରଙ୍କୁ ଫୋକସ୍ କରିଛନ୍ତି । ପଶ୍ଚିମବଙ୍ଗରୁ ମମତା ବାନାର୍ଜୀ ସରକାରକୁ ବିଦା କରିବାକୁ ହେଲେ ୯ପ୍ରତିଶତ ହିନ୍ଦୁ ଭୋଟରଙ୍କୁ ବାହାରକୁ ଆସି ଭୋଟ୍ କରିବାକୁ ପଡିବ । ସବୁ ହିନ୍ଦୁଙ୍କୁ ଏକାଠି ହେବାକୁ ପଡିବ । ଏହା ହିଁ ମମତା ସରକାରଙ୍କୁ ଉପାଡି ଫୋପାଡିବାର ଏକମାତ୍ର ବାଟ ବୋଲି ମିଥୁନ କହିଛନ୍ତି । ଅଭିନେତାରୁ ରାଜନେତା ବନିଥିବା ମିଥୁନ ଚକ୍ରବର୍ତ୍ତୀ ପୂର୍ବରୁ ମଧ୍ୟ ୯ପ୍ରତିଶତ ହିନ୍ଦୁ ଭୋଟରଙ୍କୁ ଫୋକସ୍ କରିଥିଲେ । ବିଜେପି ସହ ସେମାନେ ଠିଆ ହେଲେ ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ ବୋଲି କହିଥିଲେ । ତେବେ ପ୍ରଶ୍ନ ଉଠୁଛି, ଏହି ୯ପ୍ରତିଶତ ହିନ୍ଦୁ କିଏ?
୯ପ୍ରତିଶତ ହିନ୍ଦୁ କିଏ?
ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଯେଉଁ ୯ପ୍ରତିଶତ ହିନ୍ଦୁ ଭୋଟରଙ୍କ କଥା କହୁଛନ୍ତି, ସେମାନେ ହେଉଛନ୍ତି ସେଇ ବର୍ଗ, ଯେଉଁମାନେ ଭୋଟ୍ ଦେବାକୁ ଘରୁ ବାହାରନ୍ତି ନାହିଁ । ମିଥୁନଙ୍କ ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ଭୋଟରଙ୍କ ସଂପର୍କରେ କହିଥିଲେ । ଗତ ନିର୍ବାଚନରେ ପ୍ରାୟ ୧୦ପ୍ରତିଶତ ହିନ୍ଦୁ ଭୋଟର ମତଦାନ କରିନଥିବା କହିଥିଲେ ଶୁଭେନ୍ଦୁ । ଗତମାସ ପୂର୍ବ ମେଦିନାପୁର ଜିଲ୍ଲାର ହଳଦିଆରେ ସନାତନି ଏକଜୁଟତା ରାଲିରେ ଏହା କହିଥିଲେ । ଏହାପରେ ମିଥୁନ ଚକ୍ରବର୍ତ୍ତୀ ସମାନ ଭୋଟରଙ୍କୁ ଆହ୍ବାନ ଦେଇଛନ୍ତି ।
କାହିଁକି ୯ପ୍ରତିଶତ ହିନ୍ଦୁଙ୍କୁ ଫୋକସ୍?
ଗତ ନିର୍ବାଚନରେ ଭୋଟ୍ ଦେଇନଥିବା ଭୋଟରଙ୍କୁ ଘରୁ ବାହାରି ବିଜେପି ସପକ୍ଷରେ ମତଦାନ କରିବାକୁ ଅପିଲ୍ କରିଛନ୍ତି ମିଥୁନ । ତାଙ୍କ ବୟାନ ବିଜେପିର ବୁଥସ୍ତରୀୟ ପରିଚାଳନାର ଅଂଶବିଶେଷ ବୋଲି କୁହାଯାଉଛି । ଏଥିରେ ମତଦାତାଙ୍କୁ ଘରୁ ମତଦାନକେନ୍ଦ୍ର ପର୍ଯ୍ୟନ୍ତ ଆଣିବା ସହ ବିଜେପିକୁ ଭୋଟ୍ ଦେବା ପର୍ଯ୍ୟନ୍ତ ଦଳ ଫୋକସ୍ କରେ । ଏଥିପାଇଁ ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ଦାୟିତ୍ବ ଦିଆଯାଏ । ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପିର ଭୋଟ୍ ସେୟାର ଟିଏମସି ତୁଳନାରେ ୧୦ପ୍ରତିଶତ କମ୍ ଥିଲା । ତେଣୁ ୯ପ୍ରତିଶତ ଭୋଟକୁ ମିଥୁନ୍ ଫୋକସ୍ କରୁଥିବା କୁହାଯାଉଛି ।
୯ପ୍ରତିଶତ ଭୋଟ୍ ଗଣିତ
୨୦୨୧ ନିର୍ବାଚନରେ ୪୮.୫ପ୍ରତିଶତ ଭୋଟ୍ ସେୟାର ସହ ୨୧୩ଟି ସିଟ୍ ଜିତିଥିଲା ଶାସକ ଟିଏମସି । ଏହାସହ ଦଳ ରାଜ୍ୟରେ କ୍ଷମତାକୁ ଆସିଥିଲା । ଦ୍ବିତୀୟରେ ରହିଥିବା ବିଜେପି ୭୭ଟି ସିଟ୍ ଜିତିଥିଲା । ଦଳର ଭୋଟ୍ ସେୟାର ଥିଲା ୩୮.୫ ପ୍ରତିଶତ । ବିଜେପି ମତରେ, ମତଦାନ କରିନଥିବା ୯ପ୍ରତିଶତ ଭୋଟର ଯଦି ଗତ ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଥାନ୍ତେ ତେବେ ଉଭୟ ବିଜେପି ଓ ଟିଏମସିର ଭୋଟ୍ ପ୍ରତିଶତ ମଧ୍ୟରେ ଖୁବ୍ କମ୍ ବ୍ୟବଧାନ ରହିଥାନ୍ତା । ଏପରିକି ଏଭଳି ସ୍ଥିତିରେ କିଛି ବି ହୋଇପାରିଥାନ୍ତା ।
ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆଗୁଆ ସକ୍ରିୟ ହୋଇଛି ବିଜେପି । ଏଥର କୌଣସି ଦିଗକୁ ହାତଛଡା କରିବାକୁ ଚାହୁଁନି ଦଳ । ଆଉ ସେଥିପାଇଁ ଶୁଭେନ୍ଦୁ ଅଧିକାରୀ ହୁଅନ୍ତୁ କି ମିଥୁନ ଚକ୍ରବର୍ତ୍ତୀ, ଭିନ୍ନ ଭିନ୍ନ ଜାଗାରେ ସନାତନୀ ଏକଜୁଟତା ରାଲି କରିବା ସହ ହିନ୍ଦୁ ଭୋଟରଙ୍କୁ ଏକାଠି ହୋଇ ବିଜେପିକୁ ଭୋଟ୍ କରିବାକୁ ଆହ୍ବାନ ଦେଉଛନ୍ତି ।
Comments are closed.