ନୂଆଦିଲ୍ଲୀ: ବ୍ରିଟେନରେ ହୁ ହୁ ହୋଇ ବଢୁଛି କରୋନା କେସ୍ । ଏମିକ୍ରନ୍ କେସ ବଢୁଛି । ଏଥିପାଇଁ ପ୍ରତି ଦୁଇ ଦିନରେ ଡବଲିଂ ହେଉଛି କରୋନା ସଂକ୍ରମଣ । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରେକର୍ଡ ୯୩ ହଜାରରୁ ଅଧିକ ସଂକ୍ରମିତ ବାହାରିଛନ୍ତି ।
ବ୍ରିଟେନ୍, ଆମେରିକା, ଫ୍ରାନ୍ସରେ ବଢୁଛି ଓମିକ୍ରନ୍ କେସ୍ । ଭାରତରେ ୧୧୩ ଓମିକ୍ରନ୍ ଆକ୍ରାନ୍ତ ବାହାରିଛନ୍ତି । ଯଦି ବ୍ରିଟେନ ଭଳି ଭାରତରେ ଓମିକ୍ରନ୍ ବ୍ୟାପିଲେ କଣ ହେବ ସ୍ଥିତି ଜବାବ ରଖିଛନ୍ତି ନୀତି ଆୟୋଗ ସଦସ୍ୟ ଡ. ଭି. କେ. ପଲ୍ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସମିଟରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, ବ୍ରିଟେନରେ ଓମିକ୍ରନ୍ ଯୋଗୁ ସଂକ୍ରମଣ ଦ୍ରୁତ ବ୍ୟାପୁଛି । ସେମିତି ସ୍ଥିତି ଭାରତରେ ହେଲେ ଲୋକସଂଖ୍ୟା ଅନୁସାରେ ଦୈନିକ ୧୪ ଲକ୍ଷ ଲୋକ ସଂକ୍ରମିତ ହେବେ । ଫ୍ରାନ୍ସରେ ୮୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ସେଠାରୁ ଦୈନିକ ୬୫ହଜାର ପଜିଟିଭ୍ ବାହାରୁଛନ୍ତି । ଏହି ତୁଳନାରେ ଭାରତରେ ଦୈନିକ ସଂକ୍ରମଣ ୧୪-୧୫ ଲକ୍ଷ ହୋଇପାରେ ।
ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ସମସ୍ତଙ୍କର ଜିନୋମ୍ ସିକ୍ୱେନ୍ସିଂ କରିବା ସମ୍ଭବ ନୁହେଁ । ଏଣିକି ଲୋକଙ୍କୁ ଆହୁରି ସତର୍ତ ହୋଇ ରହିବାକୁ ପଡ଼ିବ ବୋଲି କହିଛନ୍ତି ଭି. କେ. ପଲ୍ । ଟିକାକରଣ ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ଗହଳିକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ବୁଷ୍ଟର ଡୋଜ୍ ନେଇ ବୈଜ୍ଞାନିକ ତଥ୍ୟର ଅନୁଧ୍ୟାନ କରି ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି ଭି. କେ. ପଲ୍ କହିଛନ୍ତି ।
ଏବେ ଭାରତରେ ଦୈନିକ ସଂକ୍ରମଣ ୧୦ ହଜାର ଭିତରେ ରହିଛି । ଏହାରି ଭିତରେ ୧୧ ରାଜ୍ୟକୁ ମାଡ଼ିଲାଣି ଓମିକ୍ରନ୍ । ଶହେରୁ ଅଧିକ ସଂକ୍ରମିତ ହେଲେଣି । ମହାରାଷ୍ଟ୍ରରୁ କେବଳ ୩୨, ଦିଲ୍ଲୀରୁ ୨୨, ରାଜସ୍ଥାନରୁ ୧୭ ଓମିକ୍ରନ୍ କେସ୍ ବାହାରିଲାଣି । ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଗୁଜରାଟ, ପଶ୍ଚିମବଙ୍ଗ, କେରଳ, ଚଣ୍ଡୀଗଡ଼, ତାମିଲନାଡୁରୁ ବି ଓମିକ୍ରନ୍ କେସ୍ ସାମନାକୁ ଆସିଛି ।
Comments are closed.