Latest Odisha News

BREAKING NEWS

ମମତାଙ୍କ ମନ୍ତବ୍ୟକୁ ନେଇ ତାତିଲା ରାଜନୀତି: କିଛି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ..

ଭୁବନେଶ୍ବର: ମୋଦିଙ୍କୁ ମମତାଙ୍କ ଖୋଲା ଧମକକୁ ନେଇ ଏବେ ତାତିଛି ରାଜନୀତି । ବିଭିନ୍ନ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏବେ ମମତାଙ୍କୁ ବି ପାଲଟା ଚେତାବନୀ ଦେଇଛନ୍ତି । ମମତାଙ୍କୁ ଧମକ ଦେବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବେ ପୁଣି ନିଜ ପାଇଁ ଅଡୁଆ ଟାଣିଆଣିଛନ୍ତି । ଗୋଟେ ପଟେ କୋଲକାତା ଆରଜି କର ମେଡିକାଲ କଲେଜ ଘଟଣା ତାଙ୍କୁ ପ୍ରଶ୍ନର କାଠ ଗଡାରେ ଛିଡା କରିଥିବା ବେଳେ ଏବେ ସିଏ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି । ଯାହାକୁ ନେଇ ବର୍ଷିଛନ୍ତି ୩ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ।

ଏନେଇ ଓଡିଶା ବିଷୟରେ କହିଥିବା ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡା ସମାଲୋଚନା କରିଛନ୍ତି । ଓଡିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେବାକୁ ମମତାଙ୍କୁ ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡିଶାବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ । ଆପଣଙ୍କର ଏହି ବିଦ୍ବେଷ ଭାବ, ନକାରାତ୍ମକ ମନ୍ତବ୍ୟ ସମ୍ବେଦନହୀନ । ଆମ ଓଡିଶା ଏହାକୁ କେବେ ଗ୍ରହଣ କରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଦିଦି ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନଦେଇ ପ୍ରତିଶୋଧ ପରାୟଣ ହେଉଛନ୍ତି ବୋଲି କହିଛନ୍ତି । ଏହା ଦେଶ ପାଇଁ ବିପଜ୍ଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେହିପରି ମମତାଙ୍କ ମନ୍ତବ୍ୟକୁ ନେଇ କଡା ଜବାବ ଦେଇଛନ୍ତି ମଣିପୁର ଓ ଆସାମ ମୁଖ୍ୟମନ୍ତ୍ରୀ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଧମକ ଦେବାକୁ ମମତାଙ୍କୁ ସାହସ ଦେଲା କିଏ ? ସେପଟେ ଉତ୍ତରପୂର୍ବାଞ୍ଚଳ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ ମମତା କ୍ଷମା ମାଗନ୍ତୁ ବୋଲି କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ। ରାଜନେତା ହୋଇ ପବ୍ଲିକ ପ୍ଲାଟଫର୍ମରେ ହିଂସା କଥା କହିବା ନିନ୍ଦନୀୟ ବୋଲି କହି କଡା ସମାଲୋଚନା କରିଛନ୍ତି ବିରେନ୍ ସିଂ ।

ତେବେ କହିରଖୁଛୁ, କୋଲକାତା ଲଜ୍ଜାକୁ ନେଇ ଏବେ କମ୍ପୁଛି କୋଲକାତା । ବିକ୍ଷୋଭ ଓ ମମତାଙ୍କ ଇସ୍ତଫା ଦାବି ରାଜ୍ୟରେ ପରିସ୍ଥିତି ଅସମ୍ଭାଳ କରିଛି । ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପାଇଁ ନ୍ୟାୟ ବିରୋଧରେ ତେଜିଛି ଛାତ୍ର ସମାଜ । ଭଙ୍ଗାରୁଜା ପୋଡାଜଳାରେ ଜଳୁଛି ପଶ୍ଚିମବଙ୍ଗ । ଯାହାକୁ ନେଇ ବିଜେପି ଏହି ସବୁ କାଣ୍ଡ ଭିଆଇଛି ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ଖୋଲା ଧମକ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଯଦି ପଶ୍ଚିମବଙ୍ଗ ଜଳିବ ତାହେଲେ ଆସାମ, ଉତ୍ତରାଞ୍ଚଳ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଜଳିବ। କାହାକୁ ଛାଡ଼ିବୁ ନାହିଁ। ଆପଣଙ୍କ ଚେୟାର ଟଳମଳ କରିଦେବୁ ବୋଲି ମୋଦିଙ୍କୁ ଧମକ ଦେଇଛନ୍ତି ଦିଦି ।

Comments are closed.