Latest Odisha News

ମମତାଙ୍କ ବୟାନ ଝଡ଼… ଓଡିଶାରେ ତାତି

ଭୁବନେଶ୍ବର: କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବଢୁଛି ଆକ୍ରୋଶ । ପଶ୍ଚିମବଙ୍ଗରେ ବିଜେପି ମମତା ସରକାରକୁ କାଠଗଡାକୁ ଟାଣିଛି । ବିରୋଧ, ବିକ୍ଷୋଭ ହିଂସାତ୍ମକ ରୂପ ନେଲାଣି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବନ୍ଦ ପାଳନ କରିଥିଲା ବିଜେପି । ତେବେ ମମତାଙ୍କ ମନ୍ତବ୍ୟକୁ ନେଇ ଓଡିଶା ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆରେ ପୋଷ୍ଟ କରି ମମତାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମଣିପୁର ସିଏମ୍ ଏନ ବୀରେନ ସିଂ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି ।

କାହିଁକି ମମତାଙ୍କ ବୟାନକୁ ନେଇ ବିବାଦ?

ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଥିଲେ ମମତା। କେହି କେହି ଭାବୁଛନ୍ତି ଏହା ବାଂଲାଦେଶ । ସେ ବାଂଲାଦେଶକୁ ଭଲପାଆନ୍ତି, କାରଣ ତାଙ୍କର ଓ ଆମର ସଂସ୍କୃତି ଏକାଭଳି। ତେବେ ବାଂଲାଦେଶ ଓ ଭାରତ ଭିନ୍ନ ଦେଶ । ମୋଦିଙ୍କ ଦଳ ପଶ୍ଚିମବଙ୍ଗରେ ନିଆଁ ଲଗାଉଛି । ତେବେ ବେଙ୍ଗଲରେ ନିଆଁ ଲଗାଇଲେ ଆସାମ, ଉତ୍ତର ପୂର୍ବ ରାଜ୍ୟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡିଶା, ଦିଲ୍ଲୀ ବି ଜଳିବ ବୋଲି ମମତା କହିଥିଲେ। ମମତାଙ୍କ ଏଭଳି ମନ୍ତବ୍ୟକୁ ନେଇ ବଢିଛି ରାଜନୈତିକ ପାରଦ। ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ।

ଆପଣଙ୍କ ସାହସ ହେଲା କେମିତି?

ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡା ବିରୋଧ କରିଛନ୍ତି । ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠାକାର ଲୋକ ଦାୟିତ୍ବବାନ ଓ ସଚେତନ । ତେବେ ଓଡିଶା ପ୍ରତି ମମତାଙ୍କ ବିଦ୍ବେଷ ଭାବ, ନକରାତ୍ମକ ମନ୍ତବ୍ୟ ଓ ସମ୍ବେଦନହୀନ ମନୋଭାବକୁ ରାଜ୍ୟବାସୀ ଗ୍ରହଣ କରିବେନି ବୋଲି ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀ ପୋଷ୍ଟ କରିଛନ୍ତି । ସେହିପରି ଆସାମ ଓ ମଣିପୁର ମୁଖ୍ୟମନ୍ତ୍ରୀ ମଧ୍ୟ ବୟାନକୁ ନିନ୍ଦା କରିଛନ୍ତି । ଆସାମକୁ ଧମକାଇବାକୁ କେମିତି ମମତା ସାହସ କଲେ ବୋଲି ସିଏମ୍ ହିମନ୍ତ ବିଶ୍ବଶର୍ମା ପ୍ରଶ୍ନ କରିଛନ୍ତି । ସେହିପରି ଉତ୍ତରପୂର୍ବାଞ୍ଚଳକୁ ମମତା କ୍ଷମା ମାଗିବାକୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂ ।

ଓଡିଶାରେ ‘ମମତା’ ଝଡ଼

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ ହୋଇଥିବା ବେଳେ ବିଜେପି ରାଜ୍ୟ ନେତା ଏହାକୁ ନିନ୍ଦା କରିଛନ୍ତି । ମହିଳାଙ୍କୁ ନ୍ୟାୟ ପାଇଁ ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଓଡିଶା ଶାନ୍ତିପ୍ରିୟ ରାଜ୍ୟ, ଏଠାରେ ଅଶାନ୍ତି ସୃଷ୍ଟିକାରୀଙ୍କୁ ଲୋକ କେବେ କ୍ଷମା ଦେବେନି । ଅଗଣତାନ୍ତ୍ରିକ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମତ ରଖୁଛନ୍ତି । ସେ ରାଜନୀତି କ୍ଷେତ୍ରରେ ରହିବା ଉଚିତ୍ ନୁହେଁ ବୋଲି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି । ସେପଟେ ପଶ୍ଚିମବଙ୍ଗ ହେଉ କି ମଣିପୁର କି ମହାରାଷ୍ଟ୍ର ଦେଶରେ ମହିଳାଙ୍କ ବିରୋଧରେ ଅପରାଧ ବଢୁଛି । ରାଷ୍ଟ୍ରପତି ବି ଘଟଣାର ନିନ୍ଦା କରିଛନ୍ତି । ସିବିଆଇ ଘଟଣାର ତଦନ୍ତ କରୁଛି, ଦୋଷୀଙ୍କୁ ଧରୁ । କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ଘଟଣାକୁ ନେଇ ରାଜନୀତି ନକରନ୍ତୁ ବୋଲି ବିଜେଡି କହିଛି ।

କୋଲକାତା ଘଟଣାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୁକ୍ତକୁ ଫାଶୀଦଣ୍ଡ ଦେବାକୁ ମମତା ଦାବି କରିଛନ୍ତି। ବିଜେପି ଘଟଣାରେ ମମତାଙ୍କ ଇସ୍ତଫା ଦାବି କରିଥିବା ବେଳେ, ବିଜେପି କାହିଁକି କେବେ ମଣିପୁର, ୟୁପି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିନାହିଁ ବୋଲି ମମତା କହିଛନ୍ତି । ଘଟଣା ଆଳରେ ବିଜେପି ବେଙ୍ଗଲକୁ ବଦନାମ କରିବାକୁ ଚାହୁଁଥିବା ମମତା ବାନାର୍ଜୀ କହିଛନ୍ତି ।

Comments are closed.