ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ମହିଳା ବିଜେଡିର ସ୍ୱାଭିମାନ ରାଲି କରାଯାଇ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ଜଣେ ମହିଳାଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଏପରି କୁତ୍ସିତ ମନ୍ତବ୍ୟ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । କ୍ଷମତା ନିଶାରେ ଅନ୍ଧ ହୋଇ ବିଜେପିର ବିଧାୟକ ମାନେ ନିଜର ନୀତି ନୈତିକତା ଭୁଲି ଯାଉଛନ୍ତି । ବିଜେପି ସରକାରରେ ମହିଳା କେତେ ଅସୁରକ୍ଷିତ ତାହା ବିଧାୟକ ସନ୍ତୋଷ ଖଟୁଆଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଅନୁମେୟ । ବିଜେପି ସରକାରକୁ ଆସିବା ଦିନଠୁ ରାଜ୍ୟରେ ମହିଳା ପ୍ରତିଦିନ ନିର୍ଯାତିତ ହେଉଛନ୍ତି । ବିଗତ ୧ ବର୍ଷ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ ହାର ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି ।
ଉତ୍ସବରେ ମାତି ବିଜେପି ସରକାର ମହିଳାଙ୍କ ସମ୍ମାନ ଭୁଲିଯାଇଛନ୍ତି । ଡ଼ ଲେଖଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ମାମଲାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ବିଧାୟକ ଖଟୁଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ନ ହେଲେ ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଆନେ୍ଦାଳନ କରିବ ବିଜୁ ମହିଳା ଜନତା ଦଳ ।
ଆଜି ଅପରାହ୍ନରେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ପୋଲିସ୍ ଡିଜି ୱାଇ.ବି ଖୁରାନିଆଙ୍କୁ ଭୁବନେଶ୍ୱର କ୍ୟାମ୍ପ ଅଫିସ୍ରେ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ଲୋପାମୁଦ୍ରା ବକ୍ସିପାତ୍ର, ଡ଼ ଲେଖାଶ୍ରୀ ସାମନ୍ତସିଂହାର, ମନୋରମା ମହାନ୍ତି, ସୁବାସିନୀ ଜେନା, ସୁଜାତା ସାହୁ, ଗୀତାଞ୍ଜଳୀ ରାଉତରାୟ ପ୍ରମୁଖ ସାମିଲ୍ ଥିଲେ ।
Comments are closed.