Latest Odisha News

BREAKING NEWS

ଆଇଆଇଟି ଗ୍ରାଜୁଏଟରୁ ହରର ଫିଲ୍ମର ବାଦଶାହ

ମୁମ୍ବାଇ: ବଲିଉଡରେ ଅନେକ ଶିକ୍ଷିତ ଓ ଅଧିକ ପାଠପଢ଼ା କଳାକାର ଅଭିନୟ ନିଶାରେ ପଡି ଯାଇଛନ୍ତି । ଆର.ମାଧବନ, ସୋନୁ ସୁଦ, ତାପସୀ ପନ୍ନୁ ଓ କୃତୀ ସେନନ ଏହାର ଜ୍ୱଳନ୍ତ ଉଦାହରଣ । ତେବେ ଏମାନେ ଅନିରୁଦ୍ଧ ଅଗ୍ରୱାଲଙ୍କ ପରି ନ ଥିଲେ । ଅନିରୁଦ୍ଧ ଆଇଆଇଟି ରୁରକୀରୁ ଗ୍ରାଜୁଏଟ ହୋଇଥିଲେ । ଏବେ ବି ଆପଣମାନେ ଅନିରୁଦ୍ଧଙ୍କୁ ଚିହ୍ନି ପାରିଲେ ନାହିଁ । ରାମସେ ବ୍ରଦର୍ସଙ୍କ ଫିଲ୍ମରେ ଭୂତ ହେଇ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଚେହେରା ଏପରି ଥିଲା ଯେ, ଭୂତ ହେବା ପାଇଁ ତାଙ୍କୁ ବିଶେଷ ମେକଅପ କରିବାକୁ ପଡୁ ନ ଥିଲା । ଆଇଆଇଟି ଗ୍ରାଜୁଏଟ ହେବା ପରେ ଅନିରୁଦ୍ଧଙ୍କ ପିଟ୍ୟୁଟରୀ ଗ୍ରନ୍ଥିରେ ଟ୍ୟୁମର ହୋଇ ଯାଇଥିଲା । ଏହା ପରେ ତାଙ୍କ ଉଚ୍ଚତା ଅସଧାରଣ ଭାବେ ବଢ଼ିଥିଲା ଏବଂ ସମ୍ପୂର୍ଣ୍ଣ ଚେହେରା ଭୟଙ୍କର ହୋଇ ଯାଇଥିଲା ।

ପରିବାର ଭରଣପୋଷଣ ପାଇଁ ତାଙ୍କର ଜଣେ ବନ୍ଧୁ ରାମସେ ବ୍ରଦର୍ସଙ୍କୁ ଭେଟିବାକୁ କହିଥିଲେ । ୧୯୮୪ରେ ସେମାନେ ପୂରାନା ମନ୍ଦିର ଫିଲ୍ମ ନିର୍ମାଣ କରୁଥିଲେ । ଫିଲ୍ମର କାର୍ଯ୍ୟ ୯୦ ପ୍ରତିଶତ ସରି ଯାଇଥିଲା । ମାତ୍ର ସାମରୀ ନାମକ ଏକ ରାକ୍ଷସର ଭୂମିକା ବାକି ଥିଲା । ଅନିରୁଦ୍ଧଙ୍କୁ ଦେଖିବା ପରେ ସେମାନେ ଏହି ଭୂମିକା ତାଙ୍କୁ ଦେଇଥିଲେ । ଏଥିପାଇଁ ମେକଅପର ଆବଶ୍ୟକତା ପଡି ନ ଥିଲା । ଏହା ପରେ ସେ ଯାହା ବି ଫିଲ୍ମ କରିଛନ୍ତି ସବୁଥିରେ ଭୂତ କିମ୍ବା ରାକ୍ଷସ ଚରିତ୍ରରେ ଅଭିନୟ କରିଛନ୍ତି । ୨୦୧୦ରେ ସେ ଶେଷ ଥର ମଲ୍ଲିକା ଫିଲ୍ମରେ ଅଭିନୟ କରିଥିଲେ । ଫିଲ୍ମ ଆଉ ନ ମିଳିବାରୁ ସେ କଂଷ୍ଟ୍ରକସନ ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ସେମାନେ ବିଦେଶରେ ପାଠ ପଢ଼ିବା ପରେ ସେଠାରେ ରହି ଯାଇଛନ୍ତି । ମୁଁ କାହା ଉପରେ ଅସନ୍ତୁଷ୍ଟ ନୁହେଁ । ତେବେ କଳାକାର ଭାବେ ଅନ୍ୟ କୌଣସି ଚରିତ୍ର ନ ମିଳିବା ବା ଅଭିନୟ କରି ନ ପାରିବା ମୋ ପାଇଁ କ୍ଷୋଭର ବିଷୟ ହୋଇ ରହିଯାଇଛି ବୋଲି ଅନିରୁଦ୍ଧ କହିଛନ୍ତି ।

Comments are closed.