ସୁନ୍ଦରଗଡ: କିଛି ଦିନ ତଳେ ବଣାଇଁ ଉପଖଣ୍ଡର କୋଇଡ଼ା ଅଞ୍ଚଳ ବେଆଇନ ଅଫିମ ଚାଷ ଧରା ପଡିଥିଲା । ପୁଣି ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ଗ୍ରାମର ଜରଡ଼ା ଅଞ୍ଚଳରେବିରାଟ ଅଫିମ କ୍ଷେତ ଠାବ ହୋଇଛି । ବିଷ ଫଳ ଧରିବା ପୂର୍ବରୁ ପୁଲିସ୍ ଓ ଅବକାରୀ ବିଭାଗ ଏହି କ୍ଷେତ ଠାବ କରିଛନ୍ତି । ଗୁରୁଣ୍ଡିଆ ଅଞ୍ଚଳର ବେଆଇନ ଅଫିମ କ୍ଷେତ ୩ଏକର ଜାଗାରେ ରହିଛି । ୪୨ ହଜାର ଗଛ ରହିଛି ଯାହାର ଆନୁମାନିକ ମୂଲ୍ୟ ୪୨ଲକ୍ଷ ଟଙ୍କା ।
୨ ପ୍ଲାଟୁନ ଫୋର୍ସ ସହାୟତାରେ ୫ ରୁ ୬ ଘଣ୍ଟାର ପରିଶ୍ରମ ପରେ ସବୁ ଗଛ ନଷ୍ଟ କରାଯାଇଥିଲା । ଆଜି ଏହି ଟିମରେ ଅତିରିକ୍ତ ତହସିଲଦାର ଗୁରୁଣ୍ଡିଆ, ୪ ଥାନା ଅଧିକାରୀ ଓ କର୍ମଚାରୀ, ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ, ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଜଙ୍ଗଲ ଜମିରେ ବେଧଡ଼କ ବେଆଇନ ଅଫିମ ଚାଷ କିଏ କରିଛି ସେ ନେଇ ଘଟଣାର ତଦନ୍ତ କରୁଛି ପୋଲିସ ।
ସୂଚନାମୁତାବକ, ଝାଡ଼ଖଣ୍ଡରୁ ଚାଲିଥିଲା ଅଫିମ ରାକେଟ୍। ଝାଡ଼ଖଣ୍ଡର ୪ ଜଣ ଦୁର୍ବୃତ୍ତ ୨ମାସ ହେଲା ଅଫିମ ଚାଷ କରୁଥିଲେ। ଏସବୁ ଔଷଧୀୟ ଚାରା କହି ଗରିବ ଆଦିବାସୀଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଚାଷରେ ନିୟୋଜିତ କରିଥିଲେ। ୪ଟି ବିରାଟ ବିରାଟ ଜଙ୍ଗଲ ଜମି ସଫାକରି ଡାଳପତ୍ରରେ ବାଡ଼ କରି କାରୋ ନାଳରେ ୨ଟି ବଡ଼ ମୋଟର ଲଗାଇ ଜଳସେଚନ କରୁଥିଲେ। ଜଙ୍ଗଲ ବିଭାଗ ନିକଟରେ କୌଣସି ଖବର କିପରି ନଥିଲା , ସେ ନେଇ ବଡ଼ ସନ୍ଦେହ ସୃଷ୍ଟି କରିଛି।
୧୫ ଦିନ ପୂର୍ବରୁ କେନ୍ଦୁଝର ବଡ଼ବିଲ ଅଞ୍ଚଳରେ ମଧ୍ୟ ଦେଢ଼ ଏକର ଅଫିମ ଚାଷ ନଷ୍ଟ କରାଯାଇଥିଲା।
Comments are closed.