Latest Odisha News

ବେଆଇନ ବାଲି ଚାଲାଣ: ଥାନାରେ ତହସିଲଦାରଙ୍କ ଅଭିଯୋଗ, ବିଜେଡିର ସଂପୃକ୍ତି ଥିବା କହିଥିଲେ ଅପରାଜିତା

ଭୁବନେଶ୍ୱର: ବାଲି ମାଫିଆ ବିରୋଧରେ ଥାନାରେ ଅଭିଯୋଗ। ଭୁବନେଶ୍ବର ତହସିଲଦାର ବେଆଇନ ବାଲି ମାଫିଆ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି। ନିକଟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୁଆଖାଇ ନୀଦରୁ ବେଆଇନ୍ ବାଲି ଉତ୍ତୋଳନ ନେଇ ଅଭିଯୋଗ କରିଥିଲେ। ଆଉ ସାଂସଦ ଏହି ଅଭିଯୋଗ କରିବାର ମାସକ ପରେ ତହସିଲଦାର ସଂପୃକ୍ତ ବେଆଇନ୍ ବାଲି ଚାଲାଣ ଯୁବକଙ୍କୁ ଚିହ୍ନଟ କରି ଥାନାରେ ଏତଲା ଦେଇଛନ୍ତି।

ମିଳିଥିବା ସୂଚନା ଅନୁୟାୟୀ, ତହସିଲଦାର ସେପ୍ଟେମ୍ବର ୧୩ ତାରିଖରେ ଏକ ଚିଠି ଜରିଆରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି, ଜଣେ ସ୍ଥାନୀୟ ଯୁବକ ନିୟମିତ ଭାବେ ରାତିରେ ନଦୀ କୂଳରୁ ବାଲି ଉଠାଉଛନ୍ତି। ଉକ୍ତ ଯୁବକଙ୍କ ନାଁ ପବିତ୍ର କୁମାର ସ୍ୱାଇଁ ଓରଫ ବ୍ରଜ ବୋଲି ତହସିଲଦାର ଉଲ୍ଲେଖ କରିଛନ୍ତି।

ସେ ପୂର୍ବରୁ ଟ୍ରାକ୍ଟର ଯୋଗେ ନଦୀରୁ ପ୍ରାୟ ୬୦ ଘନଫୁଟ ବାଲି ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରିଛନ୍ତି। ବ୍ରଜ ବେଆଇନ ବାଲି ଉତ୍ତୋଳନ ରାକେଟର ମାଷ୍ଟର ମାଇଣ୍ଡ। ଏପରି କରି ବ୍ରଜ ସରକାରଙ୍କ ରାଜସ୍ୱ ହାନି କରିଛନ୍ତି। ତେଣୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ପୁଲିସ ମଧ୍ୟ ତହସିଲଦାରଙ୍କ ଚିଠି ଅନୁଯାୟୀ ଅଭିଯୋଗ ଗ୍ରହଣ କରିଥିବା ପୋଲିସ ସ୍ପଷ୍ଟ କରିଛି।

ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ତହସିଲଦାରଙ୍କ ଅଭିଯୋଗ ଗ୍ରହଣ କରିଛୁ। କିନ୍ତୁ ଏ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ। ଯଦି ବାଲି ଚୋରା ଚାଲାଣ ବେଳେ ଗାଡି ଧରାପଡ଼େ ତାହେଲେ ଗାଡି ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ଯଦି ସେ ନିୟମିତ ଭାବେ ଏଭଳି କାମରେ ସକ୍ରିୟ ଥିବେ ତେବେ ଆମେ ମାମଲା ରୁଜୁ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, କୁଆଖାଇରୁ ବେଆଇନ ବାଲି ଉତ୍ତୋଳନ ପଛରେ ଶାସକ ଦଳ ବିଜେଡିର ଲିଙ୍କ୍ ଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ। ଅଗଷ୍ଟ ୧୯ରେ ସାମ୍ବାଦିକ ସମ୍ମିଳନୀ କରି ଏପରି କିଛି ଦାବି କରିଥିଲେ। ବିଜେଡିର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ନେତାଙ୍କ ସହ ମିଶି ବେଆଇନ ବାଲି ଉତ୍ତୋଳନ ହେଉଛି। ଏହାଦ୍ୱାରା କୁଆଖାଇ ନଦୀ କୂଳରୁ ହଜାର ହଜାର ବାଲି ବେଆଇନ ଭାବେ ଉତ୍ତୋଳନ ହେଉଥିବା ଅଭିଯୋଗ କରିଥିଲେ ସାଂସଦ।

Leave A Reply

Your email address will not be published.