ଖପ୍ରାଖୋଲ:ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ପୋଲିସ ପକ୍ଷରୁ ଦୁଇ ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ଶ୍ରମିକ ଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି। ଚଢ଼ାଉ କରାଯାଇ ୧୩ ଜଣ ପୁରୁଷ, ୮ ଜଣ ମହିଳା ଓ ୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ୫ଜଣ ଦଲାଲ ଓ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି ।
ସୂଚନାନୁଯାୟୀ,ଗୁରୁବାର ଭୋର ପ୍ରାୟ ୨:୧୫ ସମୟରେ ଖପ୍ରାଖୋଲ ପୋଲିସ ଥାନାର ଏସ୍.ଆଇ. ଲିଙ୍ଗରାଜ କିଷାନ ଏବଂ ତାଙ୍କର କର୍ମଚାରୀମାନେ ରାତ୍ରୀକାଳୀନ ପାଟ୍ରୋଲିଂରେ ଥିଲେ। ଏହି ସମୟରେ ବଡ଼ଗୁର୍ଜିଭାଟା ବ୍ରିଜ୍ ନିକଟରେ ଏକ ବୋଲେରୋ ଗାଡ଼ି ଯୋଗେ କିଛି ଶ୍ରମିକଙ୍କୁ ନିଆଯାଉଥିଲା। ପୋଲିସ ଗାଡ଼ିକୁ ଅଟକାଇ ପଚରାଉଚରା କରିଥିଲା।
ତଦନ୍ତରୁ ଜଣାପଡିଛି ଯେ, ନୂଆପଡ଼ା ଅଞ୍ଚଳର ରମାକାନ୍ତ ବାଗେଶ ଏବଂ ପାଟଗଡ଼ ଥାନା ଅନ୍ତର୍ଗତ ନିଲ୍ଜିବାହାଲ ଗ୍ରାମର ଦଶରଥ ଦୀପଙ୍କ ପୁଅ ତଥା ସର୍ଦ୍ଦାର ମନୋଜ ଦୀପ (୨୩) ମିଳିତ ଭାବେ ଶ୍ରମିକମାନଙ୍କୁ ପ୍ରଲୋଭନ ଦେଖାଇ ହାଇଦ୍ରାବାଦର ଏକ ଇଟାଭାଟିକୁ ଚାଲାଣ କରୁଥିଲେ।
ପୋଲିସ ଚାଲାଣରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ପଠାଇଛି। ଏଥିସହ ୫ ଜଣ ପୁରୁଷ, ୫ ଜଣ ମହିଳା ଏବଂ ଜଣେ ନାବାଳକଙ୍କୁ ଉଦ୍ଧାର କରିଛି।
ଅନ୍ୟ ଏକ ଘଟଣାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ସହର ସ୍ଥିତ ଏକ ଇଟାଭାଟିକୁ ବେଆଇନ ଭାବେ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିବା ସମୟରେ ପୋଲିସ ଚଢ଼ଉ କରି ୩ ଜଣ ଦଲାଲଙ୍କୁ ଗିରଫ କରିଛି । ଏହି ଘଟଣାରେ ପୋଲିସ ୩ ଜଣ ଦଲାଲ, ବଡ଼ବାବେଜୁରୀ ଗାଁର ଲିଙ୍ଗା ଭୂଏ (୪୦ ବର୍ଷ) ଗ୍ରାମ ବଡ଼ବାବେଜୁରୀ ଓ ପବିତ୍ର ମାଝୀ (୩୮ ବର୍ଷ) ଗ୍ରାମ ଓ ବେଲପଡ଼ା ଥାନା ବାଗଗୁଡ଼ାର ନବୀନ ମାଝୀ (୩୦ ବର୍ଷ)ଙ୍କୁ ଗିରଫ କରିଛି। ଏଥିସହ ୮ ଜଣ ପୁରୁଷ, ଜଣେ ନାବାଳକ ଏବଂ ୩ ଜଣ ମହିଳା, ମୋଟ ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
