Latest Odisha News

BREAKING NEWS

ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ..

ଭୁବନେଶ୍ୱର: ଆସିଲା ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ସୂଚୀ। ଆସନ୍ତା ୧୬ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ସାମ୍ନାକୁ ଆସିଲା ମିନିଟ୍-ଟୁ-ମିନିଟ୍ କାର୍ଯ୍ୟକ୍ରମ। ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ଓ ପରିଚୟ କାର୍ଯ୍ୟକ୍ରମ ପାଇଁ ୧୦ ମିନିଟ୍ ସମୟ ନିର୍ଦ୍ଧାରିତ ହୋଇଛି। ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବାକୁ ଯାଉଛି।

ସୂଚନା ଅନୁସାରେ ସକାଳ ୯ଟା ୧୫ ମିନିଟ୍‌ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଉପରାଷ୍ଟ୍ରପତି। ସେ ଭୁବନେଶ୍ୱର ଓ କଟକରେ ଆୟୋଜିତ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ସକାଳ ୧୦ଟାରେ ୧୭ ତମ ଓଡ଼ିଶା ବିଧାନସଭା ସଦସ୍ୟଙ୍କ (ବିଧାୟକଙ୍କ) ପ୍ରଶିକ୍ଷଣ ତଥା ଓରିଏଣ୍ଟେସନ୍ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ୧୧ଟା ୧୫ ପର୍ଯ୍ୟନ୍ତ ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହାପରେ ସକାଳ ୧୧ଟା ୨୫ରେ ଭୁବନେଶ୍ୱରରୁ ସଡ଼କ ପଥରେ କଟକ ବାହାରିବେ। ୧୧ଟା ୫୦ରେ ବିଦ୍ୟାଧରପୁର ଅରିଲୋସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ୍ ଟାୱାର ବା ଏକାଡେମିକ୍ ବିଲ୍ଡିଂର ଉଦ୍‌ଘାଟନ କରିବେ।

କଟକରେ କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ୧ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ସଡ଼କପଥରେ ବାହାରିବେ। ଅପରାହ୍ନ ୧ଟା ୫୫ରେ ବିମାନବନ୍ଦରରେ ପହଞ୍ଚିବା ପରେ ୧୦ ମିନିଟ୍ ଧରି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୨ଟା ୫ରେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିବେ। ସନ୍ଧ୍ୟା ୪ଟା ୩୦ରେ ଦିଲ୍ଲୀରେ ଅବତରଣ କରିବା ପରେ ୪ଟା ୫୦ରେ ଉପରାଷ୍ଟ୍ରପତି ଭବନରେ ପହଞ୍ଚିବେ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ଭୁବନେଶ୍ୱର ଓ କଟକରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ହେବା ଆଶା କରାଯାଉଛି। ବିଶେଷକରି ରାସ୍ତାଘାଟରେ ଯାତାୟାତ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟକ୍ରମସ୍ଥଳର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯିବ।

Leave A Reply

Your email address will not be published.