Latest Odisha News

ଆଇଏମ୍‌ଏ ଡାକ୍ତରଙ୍କ ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: କୋଲକତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଦେଶବ୍ୟାପୀ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଛି । ଏହି ଭୟାବହ ଘଟଣାକୁ ବିରୋଧ କରି ଭାରତୀୟ ମେଡିକାଲ ସଂଘ ପକ୍ଷରୁ ସମଗ୍ର ଦେଶରେ ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି ।

ଆଜି ସକାଳ ୬ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । କେବଳ ଜରୁରୀକାଳୀନ ସେବାକୁ ବାଦ୍‌ ଦେଲେ ଓପିଡି ଓ ଅନ୍ୟ ସବୁ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଦେଶବ୍ୟାପୀ ବନ୍ଦ କାରଣରୁ ସମଗ୍ର ଦେଶରେ ରୋଗୀ ସେବା ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି ।

ଆଜି କୋଲକାତା ଘଟଣାକୁ ବିରୋଧ କରି ଦିଲ୍ଲୀ ଏମ୍ସ ର ଡାକ୍ତରମାନେ ମଧ୍ୟ ଧର୍ମଘଟ ଘୋଷଣା କରିଛନ୍ତି । ଆଜି ଏମ୍ସ ରେ ଓପିଡି ଏବଂ ଓଟି ସେବା ବନ୍ଦ ରହିବ । ତେବେ ଜରୁରୀକାଳୀନ ସେବା ଜାରି ରହିବ ।

ଗତକାଲି ଅର୍ଥାତ୍ ଶୁକ୍ରବାର ପଶ୍ଚିମବଙ୍ଗ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିରୋଧ କରାଯାଇଥିଲା । ପଶ୍ଚିମବଙ୍ଗରେ ବିଜେପି ରାସ୍ତା ରୋକୋ ଆନ୍ଦୋଳନ ଆୟୋଜନ କରିଥିବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅପରାଧୀଙ୍କୁ ଦଣ୍ଡ ଦାବି କରି ରାସ୍ତାକୁ ଓହ୍ଲାଇଥିଲେ । ଏଥି ସହିତ ଦିଲ୍ଲୀର ଏମ୍ସ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଏକ ପଦଯାତ୍ରା କରିଥିଲେ । ଏସୟୁସିଆଇ ଏକ 12 ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦେଇଥିଲେ ।

Comments are closed.