ଭୁବନେଶ୍ୱର: ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏହି ଫଟୋ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ହାତରେ ଲାଗିଥିଲା । ଆରମ୍ଭ ହୋଇଥିଲା ଛାନ୍ଭିନ୍ । ସାମ୍ନାକୁ ଆସିଥିଲା ଏକ ସୁପରିକଳ୍ପିତ ମିଥ୍ୟା ଗୁଜବର ହୃଦୟ ବିଦାରକ ଘଟଣା ।
ଭାଇରାଲ୍ ହୋଇଥିବା ଏହି ଫଟୋରେ ଜଣେ ମହିଳା କାଚ କିମ୍ବା ପଲିଥିନ୍ ସଦୃଶ ସୁରକ୍ଷା ବଳୟରେ ଥିବାବେଳେ ଏକ ଶିଶୁ ତାଙ୍କ ଛାତି ଉପରେ ଶୋଇଛି । ଘଟଣା ଯାହା ବି ହେଉନା କାହିଁକି । ଏହି ଫଟୋକୁ ଯେ କେହି ବି ଦେଖିଛନ୍ତି ତାଙ୍କ ଛାତି କୋହରେ ଫାଟିପଡିଛି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋର କ୍ୟାପ୍ସନ୍ ବି ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିନଥିଲା । “କରୋନା ମହାମାରୀରେ ଜଣେ କରୋନା ସଂକ୍ରମିତ ଇଟାଲୀୟ ମହିଳା ମୃତ୍ୟୁଶଯ୍ୟାରେ । ଶେଷ ଇଛା ଭାବେ ସେ ତାଙ୍କ କାନ୍ଦୁଥିବା ଶିଶୁକୁ ଥରେ କୋଳେଇ ନେବାକୁ ଅନୁରୋଧ କରିଥିଲେ । ଅନୁରୋଧ ରକ୍ଷା କରି ଡାକ୍ତରମାନେ ପ୍ରଥମେ ତାଙ୍କୁ ମହମରେ ନିର୍ମିତ ସଂକ୍ରମଣରୋଧୀ ବଳୟରେ ଘୋଡାଇ ଛାତିରେ ଶୁଆଇଥିଲେ ୧୮ ମାସର ଶିଶୁକୁ । ହେଲେ ଶିଶୁକୁ ଜାବୁଡି ଧରିବା ସ୍ଥିତିରେ ହିଁ ଆରପାରିକୁ ଚାଲିଯାଇଥିଲେ ଅସହାୟ ସଂକ୍ରମିତ ମା” ।
ଏପରି କ୍ୟାପ୍ସନ୍ ସହ ଫଟୋଟି ସୋସିଆଲ୍ ମିଡିଆରେ ଘୁରିବୁଲିଥିଲା ।
ହେଲେ ଫଟୋକୁ ନେଇ ମନରେ ସନ୍ଦେହ ଜାତ ହେବାରୁ ଆରମ୍ଭ ହୋଇଥିଲା ତନାଘନା । ବହୁ ଖୋଳତାଡ କଲାପରେ ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଫଟୋଗ୍ରାଫ୍ ଲାଇବ୍ରେରୀ Magnus photos PROରେ ଭାଇରାଲ୍ ଫଟୋକୁ ଠାବ କରାଯାଇଥିଲା । ତେବେ ଫଟୋର କ୍ୟାପ୍ସନ ଦେଖିଲାପରେ ସମସ୍ତ ଭ୍ରାନ୍ତ ଧାରଣା ନିମିଷେକ ମଧ୍ୟରେ ମିଳେଇଯାଇଥିଲା ।
ସତ୍ୟତା ରୂପେ ଜଣାପଡିଥିଲା ଆମେରିକାର ସିଟେଲ୍ କ୍ୟାନ୍ସର ଚିକିତ୍ସା ହସ୍ପିଟାଲରେ ଏହି ଫଟୋଟିକୁ ଭେଟେରାନ୍ ଫଟୋ ଜର୍ନାଲିଷ୍ଟ ବର୍ଟ ଗ୍ଲିନ୍ ଉତୋଳନ କରିଥିଲେ । ଆଉ ତା ପୁଣି ୧୯୮୫ରେ, ମହିଳାଙ୍କ ଦେହରେ ଷ୍ଟେମ୍ ସେଲ୍ ପ୍ରତିରୋପଣର ମାତ୍ର କିଛି ସମୟ ପୂର୍ବରୁ । କ୍ୟାନ୍ସରରେ ପୀଡିତ ମହିଳାଙ୍କର ମେରୋ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିଲା । ହେଲେ ମହିଳାଙ୍କ ଶିଶୁଟି କାନ୍ଦିବାରୁ ଏୟାର ଫ୍ଲୋ ରୁମ୍ ପ୍ରୋଟେକ୍ସନରେ ଶିଶୁଟିକୁ ତାଙ୍କ ଛାତି ଉପରେ ଡାକ୍ତରମାନେ ଶୁଆଇଦେଇଥିଲେ ।
ଏହି ଫଟୋଟିକୁ ପ୍ରଥମେ ୨୮ ମାର୍ଚ୍ଚ, ୨୦୨୦ରେ ଇଜିପ୍ଟର ଏଲୱାଟାନ୍ ନ୍ୟୁଜ ତ୍ରୁଟିପୂର୍ଣ୍ଣ ଭାବେ ଦର୍ଶାଇଥିଲା । ଯାହାକୁ ପରବର୍ତୀ ସମୟରେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଭାବେ ଭାଇରାଲ୍ କରାଯାଇଥିଲା ।
Comments are closed.