Latest Odisha News

BREAKING NEWS

ନିର୍ବାଚନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଲେ ଆଇଏମଡି ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ସତର୍କ କରାଇ ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ନିର୍ବାଚନ ଭଳି ବଡ଼ ଧରଣର କାର୍ଯ୍ୟକ୍ରମର ଯୋଜନା କରିବା ସମୟରେ ପାଣିପାଗ ଓ ଜଳବାୟୁ ପରିସ୍ଥିତିକୁ ବିଚାରକୁ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

୧୮ତମ ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏପ୍ରିଲ ୧୯ରୁ ଜୁନ୍ ପହିଲା ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଗ୍ରୀଷ୍ମ ଋତୁ ମଝିରେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ ବୋଲି ନିର୍ବାଚନ ଆୟୋଗ ମାର୍ଚ୍ଚ ୧୬ ତାରିଖରେ ଘୋଷଣା କରିଥିଲେ।

ଅନେକ ଦିନର ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ରବିବାର ଓଡ଼ିଶାରେ ସାମାନ୍ୟ ଆଶ୍ୱସ୍ତି ଅନୁଭୂତ ହେଉଥିବା ବେଳେ ଶୁକ୍ରବାର ଭୁବନେଶ୍ୱରର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା।

ତେବେ ଆଗାମୀ ସପ୍ତାହରେ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଅଧିକ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଥିବାରୁ ଏହି ଆଶ୍ବସ୍ତି ଅଳ୍ପକାଳୀନ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।

ନିର୍ବାଚନ ବେଳେ ଧାଡ଼ିରେ ଠିଆ ହୋଇଥିବା ଲୋକମାନେ ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଓ ଛାୟା ପାଇବା ଉଚିତ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ଏସବୁ ସତର୍କତା ସତ୍ତ୍ୱେ ଆଇଏମଡି ଜନସମାବେଶ ଓ ମତଦାନର ସମୟ ପରିବର୍ତ୍ତନ ପାଇଁ ସୁପାରିସ କରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Comments are closed.