Latest Odisha News

BREAKING NEWS

ଆଇଏମଡିର ପୂର୍ବାନୁମାନ: ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବ

ନୂଆଦିଲ୍ଲୀ:  ୨୦୨୩ରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ବର୍ଷା ସ୍ୱାଭାବିକ ରହିବ । ସମଗ୍ର ଦେଶରେ ଲଙ୍ଗ ପରିୟଡ ଆଭରେଜ ଅନୁସାରେ  ୯୬ ପ୍ରତିଶତ ବର୍ଷା ସମ୍ଭାବନା ରହିଛି ।ଆଇଏମଡିର ଏପରି ପୂର୍ବାନୁମାନ ଚାଷୀଙ୍କୁ ଆଶ୍ୱସ୍ତ କରିଛି ।

୧୯୭୧ରୁ ୨୦୨୦ ମଧ୍ୟର; ଲଙ୍ଗ ପରିୟଡ ଆଭରେଜ ବର୍ଷା ୮୭ ସେଣ୍ଟିମିଟର ଥିଲା । ଆଇଏମଡି କହିବା ଅନୁଯାୟୀ, ଭାରତ ଉପଦ୍ୱୀପ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପୂର୍ବ, ପୂର୍ବକେନ୍ଦ୍ରୀୟ ଏବଂ ଉତ୍ତରପୂର୍ବ ଭାରତ ସମେତ ଉତ୍ତରପଶ୍ଚିମର କିଛି ଅଂଶରେ ସ୍ୱାଭାବିକ ବର୍ଷା ରହିବ ।

ବିଶେଷକରି ଦେଶର ଉତ୍ତରପଶ୍ଚିମ ଭାଗର କିଛି ଅଂଶ ଏବଂ ପଶ୍ଚିମ କେନ୍ଦ୍ରାଞ୍ଚଳର କେତେକ ସ୍ଥାନରେ ସ୍ୱାଭାବିକଠାରୁ କମ ବର୍ଷା ସମ୍ଭାବନା ରହିଛି । ଏଥିସହିତ ଦେଶର ଉତ୍ତରପୂର୍ବାଞ୍ଚଳର କେତେକ ସ୍ଥାନରେ ମଧ୍ୟ ସ୍ୱାଭାବିକଠାରୁ କମ ବର୍ଷା ସମ୍ଭାବନା ରହିଥିବା ଆଇଏମଡି କହିଛି ।

ମୌସୁମୀ ବାୟୁ ପ୍ରବାହିତ ହେବା ସମୟରେ ଏଲ ନିନୋର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାର ପ୍ରଭାବ ବର୍ଷାଋତୁର ଦ୍ୱିତୀୟାର୍ଦ୍ଧରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅନ୍ୟପକ୍ଷେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ୨୦୨୩ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ  ରହିବ ବୋଲି ପୂର୍ବାନୁମାନ କରିଛି ।

 

Leave A Reply

Your email address will not be published.