Latest Odisha News

BREAKING NEWS

ତ୍ୱରିତ ସ୍ୱାସ୍ଥ୍ୟସେବା ପାଇଁ ଆରମ୍ଭ ହେବା ଯୋଜନା “ଲକ୍ଷ୍ମୀ”, ଗୁରୁତର ରୋଗୀ ଓ ଆହତଙ୍କୁ ହସପିଟାଲ୍ ଆଣିବ ହେଲିକପ୍ଟର୍

ଭୁବନେଶ୍ୱର : ଗୁରୁତର ରୋଗୀ କିମ୍ବା ଆହତ ବ୍ୟକ୍ତିଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ଆଣି ପହଞ୍ଚାଇବ ହେଲିକପ୍ଟର। ସଡ଼କପଥରେ ଅପଚୟ ହେଉଥିବା ମୂଲ୍ୟବାନ ସମୟକୁ ଭରଣା କରିବା ଲକ୍ଷ୍ୟରେ ରୋଗୀ ଏବଂ ଆହତଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ(ଏଚ୍‌‌ଇଏମ୍‌‌ଏସ୍‌‌) ଯୋଜନା ଆରମ୍ଭ ହେବ। ଦୁର୍ଗମ, ଅପହଞ୍ଚ ଓ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ଏହି ଯୋଜନାରେ ଗୁରୁତ୍ୱ ଦିଆଯିବ। ସୂଚନା ଅନୁସାରେ ରାଜ୍ୟର ଉପାନ୍ତ ଜିଲ୍ଲାମାନଙ୍କରେ ସୁପର ସ୍ପେଶାଲିଟି ଚିକିତ୍ସା ସେବା ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଲୋକେସନ୍‌‌ ଆକ୍ସେସିବଲ ମଲ୍ଟି ମୋଡାଲ ଇନିସିଏଟିଭ୍‌‌ (ଲକ୍ଷ୍ମୀ) ଯୋଜନା ଅଧୀନରେ ଏଚ୍‌‌ଇଏମ୍‌‌ଏସ୍‌‌ କାର୍ଯ୍ୟକାରୀ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏୟାରଷ୍ଟ୍ରିପ୍‌‌ର ଉପଯୋଗ କରାଯିବ। ଛୋଟ ବିମାନ ରାଜଧାନୀକୁ ଦୂର୍ଗମ ଅଞ୍ଚଳ ସହିତ ଯୋଡ଼ିବ। ଭାରତ ସରକାରଙ୍କ ଉଡ଼ାନ୍‌‌ ଯୋଜନା ଅନୁରୂପ ବିମାନ କମ୍ପାନୀଙ୍କ କ୍ଷତିଭରଣା ପାଇଁ ସରକାର କ୍ଷତିପୂରଣ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଲକ୍ଷ୍ମୀ ଯୋଜନା ଅଧୀନରେ ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପରେ ପର୍ଯ୍ୟାୟକ୍ରମେ ସମଗ୍ର ରାଜ୍ୟରେ ହେଲିକପ୍ଟରରେ ଆହତଙ୍କ ପରିବହନ ଆରମ୍ଭ କରାଯିବ।

ଉଲ୍ଲେଖଯୋଗ୍ୟ, ଗତ ମାସରେ ଏନେଇ ରାଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଯେଉଁଥିରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ନିକଟସ୍ଥ ଟ୍ରମା କେୟାର ସେଣ୍ଟରରେ ପହଞ୍ଚାଇବା ପାଇଁ ହେଲିକପ୍ଟର ସେବା ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହ ରୋଗୀଙ୍କ ଆନ୍ତଃରାଜ୍ୟ ପରିବହନ ଲକ୍ଷ୍ୟରେ ଛୋଟ ବିମାନ ସେବା ଆରମ୍ଭ କରିବା ପାଇଁ ଯୋଜନା ହୋଇଛି। ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ସଫଳତା ପରେ ପରିବହନ ବିଭାଗ ପକ୍ଷରୁ ଏହି ଏଚ୍‌‌ଇଏମ୍‌‌ଏସ୍‌‌ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.