ଭୁବନେଶ୍ଵର: ଜାଡରେ ଥରୁଛି ସାରା ଓଡ଼ିଶା। ଜଙ୍ଗଲ ପାହାଡ଼ ଘେରା ଅନେକ ଅଞ୍ଚଳରେ ଦେଖିବାକୁ ମିଳିଛି ତୁଷାରପାତ । ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଆହୁରି ୨୪ ଘଣ୍ଟା ଯାଏଁ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅନ୍ୟପଟେ ପ୍ରବଳ ଶୀତ ଲହରୀ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଘନ କୁହୁଡ଼ି ପାଇଁ କୋରାପୁଟ ଓ କନ୍ଧମାଳକୁ ୟେଲୋ ଆଲର୍ଟ ଦିଆଯାଇଛି ।
ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ଦେଖାଦେଇଛି ଥଣ୍ଡାର ପ୍ରକୋପ। ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ନେଇ ସୂଚନା ମିଳିଛି। ସୁନ୍ଦରଗଡ଼ର କୋଇଡ଼ା, ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଓ କନ୍ଧମାଳର ରାଇକିଆରେ ତୁଷାରପାତ ହୋଇଛି । ସେପଟେ ଗତକାଲି ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ସର୍ବନିମ୍ନ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଇକିଆରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି।