ଡେରାଡୁନ: ଦେଶରେ ବର୍ଷା ବିତ୍ପାତ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହିତ ଦିଲ୍ଲୀ ଏନସିଆର କେତେକ ଇଲାକା ଜଳମଗ୍ନ ହୋଇଯାଇଛି । ୟୁପିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪୦ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଉତ୍ତରାଖଣ୍ଡରେ ବି ଭୂସ୍ଖଳନ ଘଟି ଜନଜୀବନ ବ୍ୟାହତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଏହି ସବୁରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଦେଇଛି ।
ଆଇଏମଡି ପକ୍ଷରୁ ପୂର୍ବ ଉତ୍ତର ପ୍ରଦେଶ ପାଇଁ ରେଡ ଆଲର୍ଟ ଜାରି କରିଛି । ଏକ୍ସରେ ଏକ ପୋଷ୍ଟ କରି ୟୁପିରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ଆଇଏମଡି । ପାଣିପାଗ ବିଭାଗ ମଧ୍ୟ ଦିଲ୍ଲୀର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ଥିବା ଚେତାବନୀ ଦେଇଛି ।ତେଲେଙ୍ଗାନାର ହାଇଦ୍ରାବାଦରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷାରେ ୧୯ ଜଣଙ୍କର ମୃତ୍ୟୁ ଘଟିଲାଣି । କନୌଜ ଜିଲ୍ଲାରେ ପ୍ରବଳ ବର୍ଷାରେ ଏକ କୋଠା ଭୂଷୁଡି ପଡିବାରୁ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ହରଦୋଇରେ ଚାରିଜଣ, ଦେବରିଆ, କାନପୁର,ରାମପୁର, ସମ୍ଭଳଏବଂ ଉନ୍ନାବରେ ଜଣେ ଲେଖାଏ ଲୋକଙ୍କର ଜୀବନ ଯାଇଛି ।
ଓଡ଼ିଶା, ଆସାମ,ମେଘାଳୟରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆଇଏମଡି ଆଲର୍ଟ ଜାରି କରିଛି ।
Comments are closed.