Latest Odisha News

BREAKING NEWS

ନଭେମ୍ବର ୮ ତାରିଖ ଓଡ଼ିଶାରେ ବାତ୍ୟା ସମ୍ଭାବନା ରହିଛି: ୟୁଏସ୍ ଏଜେନ୍ସି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ଉପକୂଳରେ ସୋମବାର ଦିନ ଲଘୁଚାପ ଘନିଭୂତ ହେବାଯୋଗୁଁ ଓଡ଼ିଶାରେ ବାତ୍ୟା ଆଶଙ୍କା ରହିଥିବାର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି । ମାତ୍ର ଓଡ଼ିଶାରେ ବାତ୍ୟା ଆଶଙ୍କାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଏବଂ ଆମେରିକାସ୍ଥିତ ଜଏଣ୍ଟ ତାଇଫୁନ ୱାର୍ଣ୍ଣିଂ ସେଣ୍ଟର୍ (ଜେଟିଡବ୍ଲୁସି) ମଧ୍ୟରେ ରହିଛି ଦ୍ୱିମତ ।

ଆଇଏମଡ଼ିର ପୂର୍ବାନୁମାନ ଅନୁସାରେ ଲଘୁଚାପ ଜନିତ ଅବପାତର ଦିଗ ପରିବର୍ତ୍ତନ ହେବାଯୋଗୁଁ ବାତ୍ୟା ଆଶଙ୍କାରୁ ଓଡ଼ିଶା ଟଳିଯିବ ବୋଲି ସୂଚନା ପ୍ରାପ୍ତ ହୋଇଛି । ସୋମବାର ଦିନ ଆଇଏମଡ଼ିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ, ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ମୁହାଁଇ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହା ଆଗାମୀ ୭୨ ଘଣ୍ଟା ମଧ୍ୟରେ ଅର୍ଥାତ୍ ନଭେମ୍ବର ୭ ତାରିଖ ବେଳକୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗ ମୁହାଁ ହୋଇ ଚାଲିଯିବ । ତେଣୁ ବାତ୍ୟା ଆଶଙ୍କାରୁ ଓଡ଼ିଶା ଟଳିଯିବାର ସମ୍ଭାବନା ରହୁଛି ।

ତେବେ ଆଇଏମଡ଼ି ଏହା ମଧ୍ୟ ସୂଚନା ପ୍ରଦାନ କରିଛି ଯେ, ସବୁକିଛି ନିର୍ଭର କରୁଛି ଲଘୁଚାପ ସମ୍ପୂର୍ଣ୍ଣ ଭାବେ ଅବପାତରେ ପରିଣତ ହେବାପରେ ହିଁ ସ୍ପଷ୍ଟରୂପେ ଜଣାପଡ଼ିଯିବ ବାତ୍ୟାର ସମ୍ଭାବନା । ଆହୁରି ମଧ୍ୟ ଯେହେତୁ ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ଲଘୁଚାପ ଅବପାତରେ ପରିଣତ ହେଉଛି ତେଣୁ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ଲଗାଣ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଆମେରିକାସ୍ଥିତ ଜେଟିଡବ୍ଲୁସିର ପୂର୍ବାନୁମାନ ଅନୁଯାୟୀ, ଏହା ଏକ ଟ୍ରୋପିକାଲ୍ ସାଇକ୍ଲୋନ ବା ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେଉଛି । ନଭେମ୍ବର ୮ ତାରିଖରେ ହାଇ ସି ସରଫେସ୍ ଟେମ୍ପରେଚର୍ (ଏସଏସଟି) ଯୋଗୁଁ ଏହା ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଓଡ଼ିଶାରେ ନଭେମ୍ବର ୮ ତାରିଖ ଆଡ଼କୁ ଏକ ବାତ୍ୟାର ସମ୍ଭାବନାକୁ ଏଡ଼ାଇଦେଇ ହେବନାହିଁ ।

ଏହାବ୍ୟତୀତ, ଆମେରିକାର ଗ୍ଲୋବାଲ୍ ଫୋରକାଷ୍ଟ ଏଜେନ୍ସି ନାମକ ଆଉ ଏକ ପାଣିପାଗ ଏଜେନ୍ସିର ପୂର୍ବାନୁମାନ ଅନୁଯାୟୀ ନଭେମ୍ବର ୯ ତାରିଖରେ ଓଡ଼ିଶାରେ ବାତ୍ୟା ସମ୍ଭାବନା ରହିଛି ବୋଲି ସୂଚନା ବିଭିନ୍ନ ଗଣମାଧ୍ୟମ ସଂସ୍ଥା ରିପୋର୍ଟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.