Latest Odisha News

BREAKING NEWS

ଓଃ ଶାନ୍ତି… ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ପ୍ରତ୍ୟାହାର କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳିରୁ ଆଶ୍ବସ୍ତି। ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ ଆଗାମୀ ୨୪ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ସକାଶେ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଥିବା ବେଳେ, ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ଓଈ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି। ଗତକାଲି ବୈଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ୪୩.୨ ଡ଼ିଗ୍ରୀ ସହ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା।

ତେବେ ଆଜି ସକାଳୁ ପାଗରେ ପରିବର୍ତ୍ତନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ସୂଚନା ରହିଛି। ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧.୮ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ପବନ ଘଣ୍ଟା ପ୍ରତି ୧୫ ରୁ ୨୦ କି.ମି ରହିଛି।

ସେହିପରି ବଦଳୁଥିବା ପାଣିପାଗକୁ ଦେଖି ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ପ୍ରତ୍ୟାହାର କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ଏପ୍ରିଲ ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ତଥା ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସମ୍ଭାବନା ରହିଛି।

ଶୁକ୍ରବାର ଦିନ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ ଜରିଆରେ କୁହାଯାଇଛି ଯେ, ଆସନ୍ତା ୩-୪ ଦିନ ଯାଏ ରାଜ୍ୟର ଉତ୍ତର ଉପକୂଳରେ ବଜ୍ରପାତ ହୋଇପାରେ।  ଯାହା ପ୍ରଚଣ୍ଡ ଗ୍ରୀଷ୍ମରୁ କିଛିଟା ଆଶ୍ୱସ୍ତି ଦେବ। ପାଣିପାଗ ବିଭାଗ ପକ୍ଷରୁ ଆଜି ପାଇଁ ଜାରି ହୋଇଥିବା ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଙ୍କୁ ହଟାଇ ଦିଆଯାଇଥିବା ବେଳେ ଆସନ୍ତା ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିବ ବୋଲି ପୂର୍ବାନୁମାନ କରାଯାଇଛି।

ସର୍ବଭାରତୀୟ ପାଣିପାଗ ପୂର୍ବାନୁମାନ ବୁଲେଟିନ୍ ଅନୁଯାୟୀ, ଏପ୍ରିଲ ୨୧ରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହୋଇପାରେ। ସେହିପରି ଏପ୍ରିଲ ୨୧ରୁ ୨୪ ତାରିଖ ମଧ୍ୟରେ ରାଜ୍ୟରେ ହାଲୁକା ବର୍ଷା ଓ ବଜ୍ରପାତ ହୋଇପାରେ। ଏପ୍ରିଲ ୨୧ ଓ ୨୨ ତାରିଖରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇଛି। ୨୩ ତାରିଖରେ ବଜ୍ରପାତ ସହିତ ୩୦ରୁ ୪୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏପ୍ରିଲ ୨୫ ତାରିଖ ଯାଏ ବଜ୍ରପାତର ପୂର୍ବାନୁମାନ ଜାରି ରହିଛି।

ଏହି ସୂଚନା ଓଡ଼ିଶାରେ ପ୍ରବଳ ଗରମ ସହ ସନ୍ତୁଳି ହେଉଥିବା ଲୋକଙ୍କୁ ଆଶ୍ବସ୍ତି ଆଣିଦେଇଛି। କାରଣ ଆଗକୁ ହେବାକୁ ଥିବା ବର୍ଷା ଓ ବଜ୍ରପାତ ତାପମାତ୍ରାରୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବ।

Comments are closed.