Latest Odisha News

BREAKING NEWS

ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂୂଆଦିଲ୍ଲୀ: ରବିବାର ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ଏକ ବୈଠକ ବସିଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ସଭାପତି ଜେପି ନଡ୍ଡା ଏବଂ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଚାରି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ବୈଠକରେ ୧୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଏବଂ ଏହା ପୂର୍ବରୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏପରି ଏକ ବୈଠକ କରିଥିଲା ବୋଲି କୁହାଯାଉଛି।

ଏହି ବୈଠକରେ ମୋଦୀ ସରକାରଙ୍କ କେତେକ ଯୋଜନା ଏବଂ ଗତି ଶକ୍ତି, ହର ଘର ଜଳ, ଡିବିଟି ଜରିଆରେ ମିଳୁଥିବା ଲାଭ ଭଳି ଉତ୍ତମ ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ବିଜେପି ଏକ ବିବୃତ୍ତି ଜାରି କରି କହିଛି। ସମସ୍ତ ପ୍ରମୁଖ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି । କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟମାନେ ଏହି ଦିଗରେ ଜୋରସୋର କାମ କରିବା ଉଚିତ୍।

ମୋଦୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ ସେମାନଙ୍କ ରାଜ୍ୟ କ୍ରୀଡ଼ା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ଏବଂ ବହୁ ସଂଖ୍ୟାରେ ଯୁବକମାନଙ୍କ ଅଂଶଗ୍ରହଣ ଏବଂ ଯୋଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବୋତ୍ତମ ସୁବିଧା ଉପଲବ୍ଧତାକୁ ସୁନିଶ୍ଚିତ କରାଇବା ଦରକାର।

ମୋଦୀ ଟୁଇଟ୍ କରି କହିଛନ୍ତି, ‘ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। ଏହି ବୈଠକ ଆମକୁ ରାଜ୍ୟଗୁଡିକର କାର୍ଯ୍ୟ ବିଷୟରେ ଆଲୋଚନା କରିବାର ସୁଯୋଗ ଦେଇଛି। କେନ୍ଦ୍ରୀୟ ଯୋଜନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ କିପରି ଅଧିକ ମଜବୁତ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା’। ଏହି ରାଜ୍ୟଗୁଡିକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣ ଏବଂ ବିକାଶ ଯୋଜନା ସମୀକ୍ଷା କରାଯାଇଥିଲା ବୋଲି ବିବୃତ୍ତିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ପୂର୍ବରୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଅନ୍ୟପଟେ କେନ୍ଦ୍ର ସରକାର ମୁଦ୍ରାସ୍ପୀତି, ଦରଦାମ ବୃଦ୍ଧି, ବେରୋଗାରୀ ଆଦି ପ୍ରସଙ୍ଗରେ ବିରୋଧୀଙ୍କ ସମାଲୋଚନାର ଶିକାର ହେଉଛନ୍ତି। ତେଣୁ ବିଜେପି ଶାସିତ ରାଜ୍ୟକୁ ଏସବୁ ଦିଗରେ ଯତ୍ନବାନ ହୋଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି। କେନ୍ଦ୍ର ସରକାର ଏବଂ ବିଜେପି ଶାସିତ ରାଜ୍ୟର ସଫଳତାକୁ ଆଧାର କରି ୨୦୧୨୪ ବେଳକୁ ବିଜେପି ନିଜ ସପକ୍ଷରେ ଜନମତ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

Leave A Reply

Your email address will not be published.