Latest Odisha News

BREAKING NEWS

ଓଡ଼ିଶା ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ: ରାଜ୍ୟର ୬ ଜଳଭଣ୍ଡାରରେ ହେବ ଭାସମାନ ସୌର ପ୍ରକଳ୍ପ

ଭୁବନେଶ୍ବର: ଜଳଭଣ୍ଡାରର ଜଳପୃଷ୍ଠକୁ ବ୍ୟବହାର କରି ସୌର ଶକ୍ତି ଉତ୍ପାଦନ କରିବାକୁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ରାଜ୍ୟର ୬ଟି ଜଳଭଣ୍ଡାରକୁ ପ୍ରାଥମିକ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେଠାରେ ଫ୍ଲୋଟିଂ ସୋଲାର ପିଭି (Floating Solar PV) ପ୍ରକଳ୍ପ ସ୍ଥାପନର ବୈଷୟିକ ଓ ଆର୍ଥିକ ସମ୍ଭାବନା ଯାଞ୍ଚ ପାଇଁ ଆସନ୍ତା ୧୭ ଜୁଲାଇରୁ ମିଳିତ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ ।

ପରିଦର୍ଶନ ସମୟରେ ସଂଗୃହୀତ ତଥ୍ୟ ଓ ବିଶେଷଜ୍ଞଙ୍କ ସୁପାରିସକୁ ଆଧାର କରି କେଉଁ ଜଳଭଣ୍ଡାରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ, ସେନେଇ ରାଜ୍ୟ ଜଳଭଣ୍ଡାର କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଏନେଇ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ତଥା-ଚିଫ୍ (ପ୍ଲାନିଂ ଓ ଡିଜାଇନ୍) ସୁଶୀଲ କୁମାର ବେହେରା ସମ୍ପୃକ୍ତ ବିଭାଗଗୁଡ଼ିକୁ ପତ୍ର ଲେଖିଛନ୍ତି ।

ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଗତ ୧୦ ଜୁନରେ ଗ୍ଲୋବାଲ୍ ଗ୍ରୀନ୍ ଗ୍ରୋଥ୍ ଇନଷ୍ଟିଚ୍ୟୁଟ୍ (GGGI) ସହ ଆୟୋଜିତ କର୍ମଶାଳାରେ ଭାସମାନ ସୌର ପ୍ରକଳ୍ପର ବୈଷୟିକ ଓ ବାଣିଜ୍ୟିକ ସମ୍ଭାବନାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପରେ ରାଜ୍ୟ ଜଳଭଣ୍ଡାର କମିଟିର ବୈଠକରେ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ୬ଟି ଜଳଭଣ୍ଡାରକୁ ପ୍ରାଥମିକ ଭାବେ ଚୟନ କରାଯାଇଥିଲା । ବର୍ତ୍ତମାନ କ୍ଷେତ୍ର ପରିଦର୍ଶନ ପରେ ସେଥିରୁ ସବୁଠୁ ଉପଯୁକ୍ତ ଜଳଭଣ୍ଡାରକୁ ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ଭାବେ ବାଛି ନିଆଯିବ ।

ଚୟନ ହୋଇଥିବା ଜଳଭଣ୍ଡାରଗୁଡ଼ିକ ହେଲା ଗଜପତି ଜିଲ୍ଲାର ହରଭଙ୍ଗୀ, ଗଞ୍ଜାମର ସୋରଡ଼ା, ଢେଙ୍କାନାଳର ରଣିଆଲ, ଅନୁଗୁଳର ଡେରେଜାଙ୍ଗ, ବରଗଡ଼ର ଝାରବନ୍ଧ ଏବଂ ଦେବଗଡ଼ର ଗୋହିରା ଜଳଭଣ୍ଡାର । ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୧୭ ଓ ୧୮ ତାରିଖରେ ହରଭଙ୍ଗୀ ଏବଂ ସୋରଡ଼ା ଜଳଭଣ୍ଡାର, ଜୁଲାଇ ୨୦ ଓ ୨୧ରେ ରଣିଆଲ ଏବଂ ଡେରେଜାଙ୍ଗ ଓ ଜୁଲାଇ ୨୨ ଓ ୨୩ରେ ଝାରବନ୍ଧ ଓ ଗୋହିରା ଜଳଭଣ୍ଡାରରେ ମିଳିତ କ୍ଷେତ୍ର ପରିଦର୍ଶନ କରାଯିବ ।

ଏହି ପରିଦର୍ଶନରେ ଜଳଭଣ୍ଡାରର ଜଳପୃଷ୍ଠରେ ଭାସମାନ ସୌର ପ୍ୟାନେଲ୍ ସ୍ଥାପନର ସମ୍ଭାବନା, ଜଳର ସ୍ତର ଓ ବିସ୍ତୃତି, ଆବଶ୍ୟକ ଭିତ୍ତିଭୂମି, ପ୍ରକଳ୍ପ ପାଇଁ ଜମି ଓ ଲଜିଷ୍ଟିକ୍ସ ସୁବିଧା, ନିକଟସ୍ଥ ଓପିଟିସିଏଲ୍ ସବ୍‌ଷ୍ଟେସନ୍‌ର ଉପଲବ୍ଧତା, ବିଦ୍ୟୁତ୍ ଗ୍ରିଡ୍‌କୁ ଶକ୍ତି ଯୋଗାଣର ସମ୍ଭାବନା, ସଡ଼କ ସଂଯୋଗ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଥିବା ବିଭିନ୍ନ ବୈଷୟିକ ଦିଗର ସମୀକ୍ଷା କରାଯିବ। ପ୍ରତ୍ୟେକ ଜଳଭଣ୍ଡାରର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ଜଳଭଣ୍ଡାର କମିଟି ନିକଟରେ ଦାଖଲ କରାଯିବ ।

ଏହି ମିଳିତ କ୍ଷେତ୍ର ପରିଦର୍ଶନରେ ଜଳ ସମ୍ପଦ ବିଭାଗ ସହ ଶିଳ୍ପ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପର୍ଯ୍ୟଟନ ବିଭାଗ, ଗ୍ରିଡକୋ ଓ ଓପିଟିସିଏଲ୍‌ର ଅଧିକାରୀମାନେ ଯୋଗଦେବେ। ପ୍ରତ୍ୟେକ ବିଭାଗକୁ ନିଜର ନୋଡାଲ୍ ଅଧିକାରୀ ମନୋନୀତ କରି ନିର୍ଦ୍ଧାରିତ ତାରିଖରେ ପରିଦର୍ଶନରେ ସାମିଲ କରିବାକୁ ଜଳ ସମ୍ପଦ ବିଭାଗ ଅନୁରୋଧ କରିଛି।

ଭାସମାନ ସୌର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜଳଭଣ୍ଡାରର ଖାଲି ଜଳପୃଷ୍ଠକୁ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ ସମ୍ଭବ ହେବ। ଏହା ଦ୍ୱାରା ପରିଷ୍କାର ଶକ୍ତି ଉତ୍ପାଦନ ବୃଦ୍ଧି ପାଇବା ସହ ପାରମ୍ପରିକ ଜମି ଅଧିଗ୍ରହଣର ଆବଶ୍ୟକତା ମଧ୍ୟ କମିବ। ଏଥିସହ ରାଜ୍ୟରେ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଧିକାରୀମାନେ ମନେ କରୁଛନ୍ତି ।

Leave A Reply

Your email address will not be published.