Latest Odisha News

ଅଜଗର ଖାଇଥିଲା ୩ ଫୁଟରୁ ଛୋଟ ପ୍ରାଣୀ, ମଣିଷ ଗିଳି ନାହିଁ !

କଟକ ଜିଲ୍ଲା ବାଙ୍କୀ ସବ ଡିଭିଜନ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ସାପ ଗିଳି ଦେଇଥିବା ଖବର ଭାଇରାଲକୁ ୯ ଦିନ ବିତିଲାଣି । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କଟକ ଜିଲ୍ଲା ସାନ ମୁଣ୍ଡଳି ଗାଁର ନନ୍ଦ କିଶୋର ବେହେରା । ସେ ଗତ ଅଗଷ୍ଟ ୨୮ରେ ଡମପଡ଼ା ଅଭୟାରଣ୍ୟ ଭିତରକୁ ଲୁଗା ବେପାର କରିବା ପାଇଁ ନିଜର ମୋପେଡ ଧରି ଯାଇଥିଲେ । ତା ପରଦିନ ଅର୍ଥାତ ୨୯ ତାରିଖ ସକାଳୁ ଜାରିଆ ଚେକ୍ ଗେଟ୍ ଠାରୁ ଅନତି ଦୂରରେ ଥିବା ବେଙ୍ଗପାଣି ଘାଟିରେ ନନ୍ଦଙ୍କର ମୋପେଡ ରାସ୍ତା ଉପରୁ ପ୍ରାୟ ୧୫ ଫୁଟ୍ ତଳକୁ ଖସି ଏକ ଗଛ ମୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ବନ ଅଧିକାରୀଙ୍କ ଠାରୁ ଖବର ପାଇ ପୋଲିସ ଆସି ଖୋଜା ଖୋଜି କରିବା ସହିତ ସନ୍ଧାନୀ କୁକୁରର ସାହାଯ୍ୟ ନେଇଥିଲା ।

ହେଲେ ସଫଳତା ମିଳି ନଥିଲା । ତେବେ ୩୦ ତାରିଖରେ ବେଙ୍ଗ ପାଣି ଘାଟି ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଦେଉଳିଆ ମୁଣ୍ଡିଆ ପାହାଡ ଉପରେ ପ୍ରାୟ ୧୦-୧୨ ଫୁଟ୍ ଲମ୍ବର ଏକ ଅଜଗର ଏକ ବଡ଼ ଜନ୍ତୁ ଖାଇ ପଡ଼ିଥିବାର ଦେଖା ଯିବା ପରେ, ନନ୍ଦଙ୍କୁ କାଳେ ସେଇ ଅଜଗର ଖାଇ ଥିବ ବୋଲି ଗୁଜବ ସୃଷ୍ଟି ହେଲା । ଏହି ଗୁଜବ ସୋସିଆଲ ମେଡିଆରେ ଭାଇରାଲ ହୋଇ ଚାଲିଲା । ଏଇ ଘଟଣାକୁ ଅନୁସନ୍ଧାନ କରିବା ୩୧ ତାରିଖରେ ମୁଁ ସ୍ନେକ ହେଲ୍ପ ଲାଇନର ଏକ ୫ ଜଣିଆ ଟିମ୍ ଧରି ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଅଜଗର ସାପ, ନିଖୋଜ ନନ୍ଦ ବେହେରାଙ୍କୁ କଦାପି ଗିଳି ନାହିଁ ବୋଲି କହିଥିଲି । କିନ୍ତୁ, ଏଯାଏ ନିରୁଦ୍ଦିଷ୍ଟ ନନ୍ଦ ବେହେରାଙ୍କର କିଛି ଖୋଜ ଖବର ନାହିଁ । ନିଖୋଜ ହେବାର ୯ ଦିନ ବିତି ଗଲାଣି ।

ତେବେ, ଅଜଗର ପେଟରେ କଣ ଅଛି ତାହା ଜାଣିବା ପାଇଁ ଦିନକୁ ଦିନ ଲୋକଙ୍କର ସ୍ଵର ବଢିବାରେ ଲାଗିଛି । ନନ୍ଦଙ୍କର ଗାଁ ଲୋକ ଅଜଗର ପେଟକୁ ଏକ୍ସରେ ବା ସ୍କାନିଂ କରି ସେମାନଙ୍କର ସନ୍ଦେହ ଦୂର କରିବା ପାଇଁ ବାରମ୍ବାର ଦାବି କରୁଛନ୍ତି । ଏହି ଦାବିକୁ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସମର୍ଥନ ମିଳୁଛି । ହେଲେ ବନ ବିଭାଗ ତରଫରୁ ସାପ ଏକ୍ସରେ କରିବା ପାଇଁ ସେଇଭଳି କିଛି ବ୍ୟବସ୍ଥା ହୋଇନାହିଁ କିମ୍ବା ପୋଲିସ ମଧ୍ୟ ସେ ନେଇ ବନ ବିଭାଗକୁ କିଛି କହି ନାହିଁ । ଏଣେ ଖାଲି ମାମଲା ରୁଜୁ କରି ଦେଇ ପୋଲିସ ହାତ ବାନ୍ଧି ବସି ପଡ଼ିବ ମଧ୍ୟ ଅନେକ ଲୋକଙ୍କୁ ପସନ୍ଦ ହେଉନାହିଁ । କାରଣ ୮ ଦିନ ହେଲା ଜଣେ ବୃଦ୍ଧ ବ୍ୟକ୍ତି ନିଖୋଜ ରହିବା ତାଙ୍କ ଜୀବନ ପ୍ରତି ଆଶଙ୍କା ବଢାଉଛି । ତେଣେ, ସ୍ଵାମୀଙ୍କୁ ନ ପାଇ ଗାଁରେ ତାଙ୍କ ସ୍ତ୍ରୀଙ୍କର ଅବସ୍ଥା ମଧ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଲାଣି ।

ଡମପଡ଼ା ରେଞ୍ଜର ବିରାଜ ଦାସ ଏନେଇ ପ୍ରତିକ୍ରିୟା ଦେଇ କହିକହନ୍ତି “ଅଜଗର ସାପ ମିଳିଥିବା ସ୍ଥାନ (ଦେଉଳିଆ ମୁଣ୍ଡିଆ) ଏବଂ ନନ୍ଦ ବେହେରାଙ୍କ ମୋପେଡ ପଡିଥିବା ସ୍ଥାନ (ବେଙ୍ଗ ପାଣି ଘାଟି) ଭିତରେ ଦୂରତା ପ୍ରାୟ ଦୁଇ କିମି । ଅଜଗର ଟିଏ ବଡ଼ ଜନ୍ତୁ ଟିଏ ଖାଇଥିଲେ ନିକଟରେ କେଉଁ ଏକ ପଥର ଖୋଲ ବା କୋରଡରେ ସେଇ ଖାଦ୍ୟ ହଜମ ହେବା ପର୍ଯ୍ୟନ୍ତ ଲୁଚି ରହିଥାନ୍ତା ପ୍ରାୟ ୨ ରୁ ୩ ସପ୍ତାହ । ବେଙ୍ଗ ପାଣି ଘାଟିରୁ ଏତେ ବଡ଼ ଖାଦ୍ୟ ଖାଇ, ପାହାଡରୁ ଓହ୍ଲେଇ, ପୁଣି କିଛି ଦୂର ଯାଇ, ପୁଣି ଏକ ପାହାଡ (ଦେଉଳିଆ ମୁଣ୍ଡିଆ) ଉପରକୁ ଚଢିବା ଅଜଗର ସାପ ପକ୍ଷରେ ଅସମ୍ଭବ । ତେଣୁ ଅଜଗର ନିଖୋଜ ବ୍ୟକ୍ତିଙ୍କୁ ଗିଳିଛି ବୋଲି କହିବା ଏକ ଗୁଜବ ମାତ୍ର, ଏଥିରେ ଆଦୌ ସତ୍ୟତା ନାହିଁ”

ଜ୍ୟାମିତିର ସାଧାରଣ ସୂତ୍ର ପ୍ରୟୋଗ କରି ଆମେ ଅଜଗର ପେଟ ଭିତରେ ଥିବା ଜନ୍ତୁର ଆନୁମାନିକ ଲମ୍ବ କେତେ ହେଇଥିବ, ତାହା ଆମେ ମାପିବା ପାଇଁ ଚେଷ୍ଟା କଲୁ । ୩୦ ତାରିଖରେ ଦେଉଳିଆ ମୁଣ୍ଡିଆ ଉପରେ ଅଜଗରଟି ଯେଉଁ ସ୍ଥାନରେ ଶୋଇଥିଲା, ସେଠାରେ କିଛି କଙ୍ଗଡା ଗଛ ଥିଲା । ଅଜଗର ପେଟ ଫୁଲି ଶୋଇଥିବା ଅବସ୍ଥାରେ ଯେଉଁ ଫଟୋ ଉଠାଯାଇଥିଲା, ସେଇ ଫଟୋରେ କିଛି କଙ୍ଗଡା ଗଛର ପତ୍ର ମଧ୍ୟ ଥିଲା । ଆମେ ୩୧ ତାରିଖରେ ବେଙ୍ଗ ପାଣି ଘାଟିରୁ କିଛି କଙ୍ଗଡା ଗଛର ପତ୍ରକୁ ସାମ୍ପୁଲ ଭାବରେ ଆଣିଥିଲୁ । ସେଇ ପତ୍ରକୁ ମାପିବାରୁ ତାହା ୭.୫ ଇଞ୍ଚ ଲମ୍ବା ହୋଇଥିଲା । କମ୍ପ୍ୟୁଟରରେ ସେଇ ଅଜଗର ଫଟୋ ଉପରେ ଯେତିକି ସ୍ଥାନ ଫୁଲିଥିବାର ଦେଖାଯାଉଛି, ତା ଉପରେ ପତ୍ର ମାପର ରେଖା ଟାଣିବା ପରେ, ୩ ଟି ସମ୍ପୂର୍ଣ୍ଣ ରେଖା ଏବଂ ଏକ ଆଉ ଅଧା ଲମ୍ବା ହୋଇଥିଲା । ଗୋଟିଏ ପତ୍ର ର ଲମ୍ବ (୭.୫ ଇଞ୍ଚ)କୁ ୩.୫ରେ ଗୁଣନ କଲେ ସାପ ପେଟ ଫୁଲିଥିବା ସ୍ଥାନର ଲମ୍ବା ହେବ; ଅର୍ଥାତ, ସାପ ପେଟଟି ୨୬.୫ ଇଞ୍ଚ ଲମ୍ବରେ ଫୁଲିଛି । ଯାହାକି ୩ ଫୁଟ (୩୬ ଇଞ୍ଚ)ରୁ ଯଥେଷ୍ଟ କମ ।

Impossible For Indian Rock Python To Devour Adult Man

କିନ୍ତୁ, ନିଖୋଜ ନନ୍ଦ ବେହେରାଙ୍କ ଉଚ୍ଚତା ୫ ଫୁଟରୁ ନିଶ୍ଚିତ ଭାବରେ ଅଧିକ । ଅର୍ଥାତ, ଅଜଗର ପେଟରେ ଯେତିକି ସ୍ଥାନ ଫୁଲିଛି (୩ ଫୁଟରୁ କମ୍) ସେତିକି ସ୍ଥାନରେ ନନ୍ଦ ବେହେରାଙ୍କ ଭଳି (୫ ଫୁଟରୁ ଅଧିକ ଉଚ୍ଚ) ଜଣେ ମଣିଷ ରହିବା ନିଶ୍ଚିତ ଭାବରେ ଅସମ୍ଭବ । ଅଜଗରଟି ନିଶ୍ଚିତ ଭାବରେ ୩ ଫୁଟରୁ ଛୋଟ ଏକ ପ୍ରାଣୀକୁ ଖାଇଛି ଏଥିରେ କୌଣସି ସନ୍ଦେହ ଆମର ନାହିଁ । ତାହା ଏକ କୁଟୁରା କିମ୍ବା ଛେଳି କିମ୍ବା ଛୋଟ ହରିଣ କିମ୍ବା ଛୋଟ ବାରହା ମଧ୍ୟ ହୋଇ ପାରେ । ଏଣୁ, ଅଜଗର ଯେ ନିଖୋଜ ନନ୍ଦ ବେହେରା ଙ୍କୁ ଗିଳିଛି ସେଇ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକେଇ ଯେତେ ଶୀଘ୍ର ପୋଲିସ ଅନ୍ୟାନ୍ୟ ଆପରାଧିକ ମାମଲା ଦିଗକୁ ତଦନ୍ତ କରିବ, ସେତେ ମଙ୍ଗଳ ହେବ ।

ଭୁବନେଶ୍ୱର ଏମ୍ସର ଫରେନ୍ସିକ୍ ଏବଂ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି “ଗୟଳ ବାଙ୍କ ଅଞ୍ଚଳରେ ମଣିଷକୁ ଗିଳିବା ଗୁଜବରେ ଚର୍ଚ୍ଚାରେ ଥିବା ସାପଟି ହେଲା ଏକ ଭାରତୀୟ ଅଜଗର (Indian Rock Python) । ଆଜି ଯାଏ ଭାରତୀୟ ଅଜଗର ମଣିଷକୁ ଗିଳିଥିବା ନଜିର ନାହିଁ । ତେବେ, ଇଣ୍ଡୋନେସିଆରେ Reticulated Python କ୍ଷେତ୍ରରେ ମଣିଷକୁ ଗିଳିବା ପ୍ରମାଣ ଅଛି । ପୋଲିସ ଏଇ କ୍ଷେତ୍ରରେ ଅନ୍ୟ ସବୁ ଅପରାଧ କୋଣକୁ ମଧ୍ୟ ଦେଖିବା ଆବଶ୍ୟକ । ନିଖୋଜ ବ୍ୟକ୍ତି ୯ ଦିନ ଧରି ଖୋଲା ଆକାଶ ତଳେ ଖରା ବର୍ଷାରେ ପଡ଼ିଲେ ଜୀବନ ପ୍ରତି ବିପଦ ନିଶ୍ଚୟ । ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଖାଲି ଦୁର୍ଘଟଣାର ଶିକାର ବୋଲି ଭାବିଲେ ହେବ ନାହିଁ, ସମ୍ଭାବ୍ୟ ଅପହରଣ କିମ୍ବା ହତ୍ୟା ଦିଗକୁ ମଧ୍ୟ ପୋଲିସ ତଦନ୍ତ କରିବା ଉଚିତ” ।

ଅବସର ପ୍ରାପ୍ତ ପୁଲିସ ସୁପରିଟେଣ୍ଡେଣ୍ଟ ସୀତାରାମ ଶତପଥି ଏନେଇ କହିଛନ୍ତି “ଅନେକ ସମୟରେ ଦୁର୍ଘଟଣା ସ୍ଥଳରେ ଗାଡ଼ି ଚାଳକ ଅଚେତ ଅବସ୍ଥାରେ ମିଳିଥାନ୍ତି । ତାଙ୍କୁ କେହି ସହୃଦୟ ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି କରି ଦିଅନ୍ତି, ହେଲେ ତାଙ୍କର ଚେତା ନ ଫେରିବା ଯାଏ ପରିଚୟ ମିଳିବା ସମ୍ଭବ ହୋଇ ନଥାଏ । ଯେଉଁ ଗାଁ ଗୁଡ଼ିକୁ ନିଖୋଜ ନନ୍ଦ ବେହେରା ଯାଇ ବେପାର କରୁଥିଲେ, ପୋଲିସ ସେଠାକୁ ଯାଇ ମଧ୍ୟ ତଦନ୍ତ କରିବା ଆବଶ୍ୟକ । ଏହାଦ୍ୱାରା ଫେରିବା ବେଳକୁ ତାଙ୍କ ପାଖରେ କେତେ ଟଙ୍କା ଥିଲା ଏନେଇ କିଛି ତଥ୍ୟ ମିଳିପାରେ । କାରଣ ୫୦୦ ବା ୧୦୦୦ ଟଙ୍କା ପାଇଁ ମର୍ଡର ହେବା ଆମେ ଦେଖିଛୁ । ସେହିପରି, ଘାଟିରେ ଗାଡ଼ି ମିଳିଲେ ଯେ କେବଳ ଦୁର୍ଘଟଣା ହେଇଥିବ ବୋଲି ଧରି ନେଲେ ହେବ ନାହିଁ । ଏଇଟା ମଧ୍ୟ ସମ୍ଭବ, ଯେ ଅପରାଧ ଅନ୍ୟ କେଉଁ ସ୍ଥାନରେ ହୋଇଛି, ଏବଂ ଅପରାଧୀ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ବେଙ୍ଗ ପାଣି ଘାଟିରେ ନେଇ ତାଙ୍କ ମୋପେଡକୁ ପକେଇ ଦେଇଛି !”

ମଣିଷ ଜୀବନର ମୂଲ୍ୟ TRP ଠାରୁ ଢେର୍ ଅଧିକ ମୁଲ୍ୟବାନ । କିଛି ଗଣମାଧ୍ୟମ ଯେଉଁ ଭଳି ଭାବରେ ଅଜଗରଟି ନିଖୋଜ ନନ୍ଦ ବେହେରାଙ୍କୁ ଗିଳିଛି ବୋଲି ମିଥ୍ୟା ଖବର ଦେଖେଇ ଚାଞ୍ଚଲ୍ୟ ସୃଷ୍ଟି କରୁଛନ୍ତି । ସେଥିରୁ କ୍ଷାନ୍ତ ରହିବା ଦରକାର । ଏଠାରେ ଉଲ୍ଲେଖଯୋଗ୍ୟ, କି ପୋଲିସର ସନ୍ଧାନୀ କୁକୁର ମଧ୍ୟ ଜାରିଆ ଗାଁ ଆଡ଼କୁ ଯାଇଥିଲା, ଯାହା କି ଅଜଗର ଦେଖା ଯାଇଥିବା ପାହାଡ଼ର ବିପରୀତ ଦିଗରେ ଅବସ୍ଥିତ । ତଥାପି, କେହି ଯଦି ଅଜଗର ସାପର ଏକ୍ସ-ରେ କରି ଜାଣିବାକୁ ଚାହୁଁଛନ୍ତି ଏବଂ ସ୍ନେକ ହେଲ୍ପ ଲାଇନକୁ ଭୁଲ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି, ସେମାନେ କେବଳ ମେଡିଆରେ କହିଲେ ହେବ ନାହିଁ, ଏଥିପାଇଁ ଆଇନର ସହାୟତା ନେବାକୁ ହେବ ।

ବିଧିବଦ୍ଧ ଭାବରେ ସେମାନେ ପୋଲିସ ପାଖରେ ଦାବି ଜଣେଇବା ଆବଶ୍ୟକ । ନିରୁଦ୍ଦିଷ୍ଟ ମାମଲା ପୋଲିସର, ରେଞ୍ଜରଙ୍କର ନୁହେଁ । ଯଦି ପୋଲିସ ଆବଶ୍ୟକ ମନେ କରିବ, ତାହେଲେ ଯାଇ ଅଜଗରର ଏକ୍ସ-ରେ ହେଇ ପାରିବ । ସେଥିପାଇଁ ମଧ୍ୟ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କର ଅନୁମତି ଆବଶ୍ୟକ । କାରଣ, ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ଅଜଗର ଏକ ତଫସିଲ ୧ ଅନ୍ତର୍ଭୁକ୍ତ ସରୀସୃପ । ସେହିପରି ଉଭୟ ବେଙ୍ଗ ପାଣି ଘାଟି ଏବଂ ଦେଉଳିଆ ମୁଣ୍ଡିଆ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ । ଏକ ସଂରକ୍ଷିତ ଜଙ୍ଗଲ ଭିତରୁ ଅଜଗରକୁ ଧରି ବାହାରକୁ ଆଣି ଏକ୍ସ-ରେ କରିବା କିମ୍ବା ପୋର୍ଟେବୁଲ ମେସିନ୍ ନେଇ ଜଙ୍ଗଲ ଭିତରେ ସାପକୁ ଧରି ଏକ୍ସ-ରେ କରିବା, ଉଭୟ କାମ ପାଇଁ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କର ଲିଖିତ ଅନୁମତି ଆବଶ୍ୟକ ।

ଶୁଭେନ୍ଦୁ ମଲ୍ଲିକ

ସାଧାରଣ ସମ୍ପାଦକ, ସ୍ନେକ ହେଲ୍ପ ଲାଇନ

ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ, ଖୋର୍ଦ୍ଧା ଜିଲ୍ଲା

Comments are closed.