Latest Odisha News

BREAKING NEWS

ମହିଳା ବିଚାରପତିଙ୍କୁ କ୍ଷମା ମାଗିଲେ ଇମ୍ରାନ ଖାନ୍

ଇସଲାମବାଦ:  ନିଜ ବକ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ଇମ୍ରାନ ଖାନ । ମହିଳା ବିଚାରପତିଙ୍କ ବିରୋଧରେ ଧମକପୂର୍ଣ୍ଣ ବକ୍ତବ୍ୟ ଦେଇ ନିଜ ଦେଶରେ ସମାଲୋଚନା ହେବା ପରେ ଭୁଲ ମାଗିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନେକ ସମୟରେ ବିବାଦୀୟ ବକ୍ତବ୍ୟ ଦେଇ ନିଉଜରେ ରହୁଥିବା ଇମ୍ରାନ ଖାନ ଏବେ ନିଜ ଦେଶର ମହିଳା ବିଚାରପତିଙ୍କ ଉପରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ବିବାଦରେ ଥିଲେ । ଏହାକୁ ନେଇ କୋର୍ଟ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ମାମଲା ବିଷୟରେ ଆଲୋଚନା ଚାଲିଥିବା ବେଳେ ଇମ୍ରାନ କ୍ଷମା ମାଗିଥିବା ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଇମ୍ରାନଙ୍କ ନାମରେ ଅଦାଲତ ଅବମାନନା ଅଭିଯୋଗ ପତ୍ର ନେଇ କୋର୍ଟରେ ଆଲୋଚନା ପୂର୍ବରୁ ଇମ୍ରାନ ଲିଖିତ ଭାବେ ଭୁଲ ମାଗିଥିଲେ ।  ଦି ଡନ୍ ପତ୍ରିକା ଅନୁସାରେ ମହିଳା ବିଚାରପତି ଜେବା ଚୈାଧରୀଙ୍କୁ ଗତ ମାସରେ ରାଲି ବେଳେ ଇମ୍ରାନ ଖାନ ଧମକପୂର୍ଣ୍ଣ  ଭାଷଣ ଦେଇଥିଲେ । ମହିଳା ବିଚାରପତିଙ୍କ ରାୟ ଉପରେ ଅସନ୍ତୁଷ୍ଟ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାଷଣରେ ଧମକ ଦେବାକୁ ନେଇ କୋର୍ଟ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଏବଂ କୋର୍ଟ ଅବମାନନା ମାମଲା ଚଳାଇବା ପାଇଁ ବିଚାର କରୁଥିଲେ । ତେବେ ଆଜି କୋର୍ଟରେ କ୍ଷମା ପ୍ରାର୍ଥନା ଲିଖିତ ଭାବେ ଦାୟର କରିଥିଲେ ଇମ୍ରାନ । ଏଥିରେ ସେ କହିଥିଲେ ଯଦି ତାଙ୍କ ଭାଷଣରେ ସେ ସୀମା ଲଂଘିଛନ୍ତି ତେବେ କ୍ଷମା ମାଗୁଛନ୍ତି । ଏପରି ଭୁଲ ସେ ଦ୍ବିତୀୟ ଥର କହିବେ ନାହିଁ ।

ସୂଚନା ଅନୁସାରେ ଇମ୍ରାନଙ୍କ ସହଯୋଗୀ ଶାହବାଜ ଗିଲଙ୍କୁ ପୋଲିସ ଗିରଫ କରିବା ପରେ ସେ ଜାମିନ ମାଗିଥିଲେ । କିନ୍ତୁ କୋର୍ଟ ପକ୍ଷରୁ ତାଙ୍କୁ ଜାମିନ ମିଳିନଥିଲା  । ତେଣୁ ସେ ବିଚାରପତିଙ୍କୁ ଦୋଷ ଦେଇଥିଲେ । ମହିଳା ବିଚାରପତି ଜେବା ଚୈାଧୁରୀ ଜାମିନ ଖାରଜ କରିବା ସହ ଗିଲଙ୍କୁ ଦୁଇଦିନ ପାଇଁ ପୋଲିସ ହେପାଜତକୁ ପଠାଇଦେଇଥିଲେ  । ଏହାକୁ ନେଇ ଇମ୍ରାନ ରାଗି ଯାଇଥିଲେ । ରାଲିରେ ଭାଷଣ ଦେବା ବେଳେ ସେ କହିଥିଲେ,ସମୟ ଆସିଲେ  ବିଚାରପତିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଧମକକୁ ନେଇ ପାକିସ୍ତାନରେ ଇମ୍ରାନଙ୍କୁ ରାଜନୈତିକ ଦଳର ନେତାମାନେ ତୀବ୍ର ସମାଲୋଚନା କରିଥିଲେ ।

Leave A Reply

Your email address will not be published.