ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମୌସୁମୀ ଅଧିବେଶନ ସମୟରେ ଲୋକସଭାକୁ ସମ୍ବୋଧିତ କରି ସରକାରଙ୍କ ଆତଙ୍କବାଦ ବିରୋଧୀ ଅଭିଯାନ, ‘ଅପରେସନ୍ ସିନ୍ଦୂର’ ଉପରେ ବକ୍ତବ୍ୟ ରଖୁଛନ୍ତି । ଏହି ସମୟରେ ଅପରେସନ ସନ୍ଦୂର ନେଇ ବଡ ଖୁସି ଖବର ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି ଯେ ଜମ୍ମୁ ଓ କାଶ୍ମୀରରେ ସମ୍ପ୍ରତି ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ୩ ଆତଙ୍କବାଦୀଙ୍କୁ ‘ଅପରେସନ୍ ମହାଦେବ’ ଅଧୀନରେ ନିପାତ କରାଯାଇଛି ।
ଶାହ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ ଅଭିଯାନ ଭାରତୀୟ ସୁରକ୍ଷା ବାହିନୀର ଏକ ମିଳିତ ପ୍ରୟାସ ଥିଲା। ନିହତ ଲୋକଙ୍କ ମଧ୍ୟରେ ସୁଲେମାନ ନାମକ ଜଣେ ଆତଙ୍କବାଦୀ ମଧ୍ୟ ଥିଲା, ଯାହାର ପହଲଗାମ ଆକ୍ରମଣରେ ସିଧାସଳଖ ଭୂମିକା ଥିଲା । ଏହି ଆତଙ୍କବାଦୀମାନେ ତୀର୍ଥଯାତ୍ରୀ ଏବଂ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣରେ ଜଡିତ ଥିଲେ। ସୋମବାର ଅପରେସନ ମହାଦେବ ଅଧୀନରେ, ଆମର ସେନା ଦ୍ରୁତ ଗତିରେ କାର୍ଯ୍ୟ କରି ୩ ଆତଙ୍କବାଦୀ ସୁଲେମାନ, ଆଫଗାନ ଏବଂ ଜିବ୍ରାନକୁ ନିଷ୍କ୍ରିୟ କରିଥିଲେ । ଏଥିସହିତ ସେମାନଙ୍କୁ ଖାଦ୍ୟ ଯୋଗାଉଥିବା ଲୋକମାନଙ୍କୁ ପୂର୍ବରୁ ଅଟକ ରଖାଯାଇଥିଲା। ଏହି ଆତଙ୍କବାଦୀଙ୍କ ମୃତଦେହ ଶ୍ରୀନଗରକୁ ଅଣାଯିବା ପରେ, ଆମ ଏଜେନ୍ସିଗୁଡ଼ିକ ଦ୍ୱାରା ଅଟକ ରଖାଯାଇଥିବା ଲୋକଙ୍କ ଦ୍ୱାରା ସେମାନଙ୍କୁ ଚିହ୍ନଟ କରାଯାଇଥିଲା ବୋଲି ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏଥିସହିତ ଲୋକସଭାରେ, ଅମିତ ଶାହ ପହଲଗାମ ପୀଡିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପହଲଗାମରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରି ଶାହ କହିଛନ୍ତି, ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସମ୍ମୁଖରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା ଏବଂ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା ଜଣାଉଛି ।
ଅନ୍ୟପଟେ ଅପରେସନ ସିନ୍ଦୂରକୁ ନେଇ ବିରୋଧୀ ଜତାଇଥିବା ନିରାଶାକୁ ଶାହ କଡା ସମାଲୋଚନା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ ଉପରେ କଡା କଟାକ୍ଷ କରି କହିଛନ୍ତି, ଅପରେସନ ମହାଦେବରେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ହତ୍ୟା ସମ୍ପର୍କରେ ସେମାନଙ୍କ ପ୍ରତିକ୍ରିୟାରେ ନିରାଶା ପ୍ରକାଶ କରିଛନ୍ତି। ମୁଁ ଆଶା କରୁଥିଲି ଯେ ଯେତେବେଳେ ସେମାନେ ପହଲଗାମ ଆତଙ୍କବାଦୀଙ୍କ ହତ୍ୟା ଖବର ଶୁଣିବେ, ସେମାନେ ଖୁସି ହେବେ, କିନ୍ତୁ ଏହା ବଦଳରେ ସେମାନେ ଏଥିରେ ଖୁସି ଦେଖାଯାଉନାହାଁନ୍ତି । ଏଥିସହିତ ମନ୍ତ୍ରୀ ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମକୁ କଡା ଜବାବ ଦେଇଛନ୍ତି ମନ୍ତ୍ରୀ । ସଂସଦରେ ଅପରେସନ ସିନ୍ଦୁର ବିତର୍କ ପୂର୍ବରୁ, କଂଗ୍ରେସ ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ଏକ ସାକ୍ଷାତକାରରେ ମନ୍ତବ୍ୟରେ କହିଥିଲେ, ସେମାନେ ଆତଙ୍କବାଦୀମାନଙ୍କୁ ଚିହ୍ନଟ କରିଛନ୍ତି କି? ସେମାନେ କେଉଁଠାରୁ ଆସିଥିଲେ? ମୁଁ କହିବାକୁ ଚାହୁଁଛି, ଆମେ ସମସ୍ତେ ଜାଣୁ ଯେ ସେମାନେ ସ୍ୱଦେଶୀ ଆତଙ୍କବାଦୀ ହୋଇପାରନ୍ତି। ଆପଣ କାହିଁକି ଭାବୁଛନ୍ତି ଯେ ସେମାନେ ପାକିସ୍ତାନରୁ ଆସିଥିଲେ? ଏହାର କୌଣସି ପ୍ରମାଣ ଅଛି କି ନାହିଁ…ଯାହାକୁ ନେଇ ଶାହ ସମସ୍ତ ପ୍ରମାଣ ବିଷୟରେ କହି ଚିଦାମ୍ବରମ ଜଣେ ପୂର୍ବତନ ଗୃହମନ୍ତ୍ରୀ ହୋଇ ଏପରି ପ୍ରଶ୍ନ କରି ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେଇଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ।
ଶାହ କହିଛନ୍ତି, ଗତକାଲି ସେମାନେ (କଂଗ୍ରେସ) ଆମକୁ ପଚାରୁଛନ୍ତି ଯେ ଆତଙ୍କବାଦୀ କେଉଁଠାରୁ ଆସିଛନ୍ତି ଏବଂ ଏଥିପାଇଁ କିଏ ଦାୟୀ। ନିଶ୍ଚିତ ଭାବରେ, ଆମେ କ୍ଷମତାରେ ଥିବାରୁ ଏହା ଆମର ଦାୟିତ୍ୱ। ଗତକାଲି, ପୂର୍ବତନ ଗୃହମନ୍ତ୍ରୀ ଚିଦାମ୍ବରମ ପ୍ରଶ୍ନ ଉଠାଇଥିଲେ – ପାକିସ୍ତାନରୁ ଆତଙ୍କବାଦୀ ଆସିଥିବାର ପ୍ରମାଣ କ’ଣ? ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଯେ ପାକିସ୍ତାନକୁ ରକ୍ଷା କରି ସେ କ’ଣ ପାଇବେ। ଯେତେବେଳେ ସେ ଏହା କୁହନ୍ତି, ଏହାର ଅର୍ଥ ହେଉଛି ସେମାନେ ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେଉଛନ୍ତି । ଏଥିସହିତ ଚିଦାମ୍ବରମଙ୍କୁ ପ୍ରମାଣ ଦେଇ ଶାହ କହିଛନ୍ତି, ଫରେନସିକ୍ ରିପୋର୍ଟରେ ନିହତ ପହଲଗାମ ଆତଙ୍କବାଦୀଙ୍କ ପରିଚୟ ନିଶ୍ଚିତ ହୋଇଛି । ଫରେନସିକ୍ ପ୍ରମାଣ ଏବଂ ତଦନ୍ତକାରୀ ଲିଡ୍ ଆଧାରରେ ସମ୍ପ୍ରତି ହୋଇଥିବା ଏକ ଏନକାଉଣ୍ଟରରେ ନିହତ ତିନି ଆତଙ୍କବାଦୀଙ୍କୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ଅପରାଧୀ ଭାବରେ ଚିହ୍ନଟ କରାଯାଇଛି।
Comments are closed.