Latest Odisha News

BREAKING NEWS

Very Severe Cyclonic Storm Arnab: ‘ଅର୍ଣ୍ଣବ’ ମୁକାବିଲାକୁ ନେଇ ହୀରାକୁଦରେ ପ୍ରସ୍ତୁତି;ଏପଟେ ମାଲକାନଗିରିରେ ୨୧୩୫ ଜଣଙ୍କୁ ସ୍ଥାନାନ୍ତର

ମାଲକାନଗିରି: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଆଜି ସକାଳେ ଆନ୍ଧ୍ରପ୍ରଦେଶ ଉପକୂଳ ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ କରୁଛି। ଏହି ସମୟରେ ପବନର ବେଗ ୧୨୫ ରୁ ୧୩୫ କିମି ରହିଥିବାବେଳେ ଝଟକା ପବନର ବେଗ ୧୫୦ କିମି ପର୍ଯ୍ୟନ୍ତ ରହିଛି। ଏପଟେ ବାତ୍ୟା ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାର ସମସ୍ତ ବ୍ଲକରେ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ ହୋଇଛି। ଏପର୍ଯ୍ୟନ୍ତ ୨୧୩୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କ ପାଇଁ ୪୫ଟି ମାଗଣା ରୋଷେଇ ଘର ଖୋଲାଯାଇଛି।

ସୂଚନାଥାଉକି, ଓଡ଼ିଶାର ୬ ଜିଲ୍ଲା ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଏଯାଏଁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ମାଲକାନଗିରିରେ ବିପର୍ଯ୍ୟୟ ମୁକାବିଲା ପାଇଁ ୩ଟି ODRAF ଟିମ୍ ଏବଂ ୧ଟି NDRF ଟିମ୍ ମୁତୟନ ହୋଇଛନ୍ତି। ଏହାସହ ୧୩ଟି ଅଗ୍ନିଶମ ବିଭାଗ ଟିମ ନିୟୋଜିତ ହୋଇଛନ୍ତି। ମାଲକାନଗିରିରେ ୩ଟି, କାଲିମେଳା, କୋରକୁଣ୍ଡା, ଖାଇରପୁଟ, କୁଡୁମୁଲୁଗୁମ୍ମା, ମାଥିଲି, ମୋଟୁରେ ୧ ଲେଖାଏଁ, ପୋଡିଆରେ ୨ଟି ଏବଂ ଚିତ୍ରକୋଣ୍ଡାରେ ୨ଟି ଟିମ୍ ରହିଛନ୍ତି।

ସୁରକ୍ଷା ଦୃଷ୍ଟିରୁ ୨୬୦ ଜଣ ଗର୍ଭବତୀ ମହିଳା ଯେଉଁମାନଙ୍କର ପ୍ରସବ ସମୟ ନଭେମ୍ବର ୫ ରହିଛି ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି।

ପ୍ରଶାସନ ପକ୍ଷରୁ କାଲିମେଳା, ମାଥିଲି, ଚିତ୍ରକୋଣ୍ଡା ଏବଂ ମାଲକାନଗିରିରେ ବରିଷ୍ଠ ଅଧିକାରୀ ଓ ଉପଜିଲ୍ଲାପାଳ ମାନଙ୍କୁ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ହାଲୁକା ବର୍ଷା ଜାରି ରହିଛି ।

ଏପଟେ ବାତ୍ୟା ପ୍ରଭାବରେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷାର ପରିମାଣ ଓ ଜଳପ୍ରବାହକୁ ନଜରରେ ରଖି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଇଂ. ପ୍ରତାପଚନ୍ଦ୍ର ଚୌଧୁରୀ କହିଛନ୍ତି । ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷର ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୨୭.୪୩ ଫୁଟକୁ ହ୍ରାସ ପାଇଥିଲା । ଏବେ ସମସ୍ତଙ୍କ ନଜର ବାତ୍ୟା ପ୍ରଭାବରେ ହେବାକୁ ଥିବା ବର୍ଷା ଉପରେ। ବର୍ଷା ବଢ଼ିଲେ ଜଳଭଣ୍ଡାରର ପରିଚାଳନା ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

 

Leave A Reply

Your email address will not be published.