Latest Odisha News

BREAKING NEWS

ଭାରତର କେଉଁ ରାଜ୍ୟରେ ରହିଛି ରାଜକୁମାରଙ୍କ ପାଇଁ ସ୍କୁଲ ? ଯେଉଁଠାରେ ପଢ଼ନ୍ତି ରାଜା ମହାରାଜାଙ୍କ ପିଲା

ନୂଆଦିଲ୍ଲୀ: ଭାରତରେ ଏକ ଏମିତି ସ୍କୁଲ ଅଛି, ଯାହାକୁ ଲୋକେ ‘ଧନୀଙ୍କ ସ୍କୁଲ’ ବୋଲି କୁହନ୍ତି। ଏହାକୁ ‘ଇଷ୍ଟର ଇଟନ୍‌’ ମଧ୍ୟ କୁହାଯାଏ। ରାଜସ୍ଥାନର ଅଜମେରରେ ଅବସ୍ଥିତ ମେୟୋ କଲେଜ ଦେଶର ସବୁଠୁ ପୁରୁଣା ଓ ଆଡ଼ମ୍ବରପୂର୍ଣ୍ଣ ବୋର୍ଡିଂ ସ୍କୁଲଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆସନ୍ତୁ ଏହା ବିଷୟରେ କିଛି ଜାଣିବା।
ମେୟୋ କଲେଜର ଆରମ୍ଭ
ମେୟୋ କଲେଜର ଆରମ୍ଭ ୧୮୭୫ ମସିହାରେ ହୋଇଥିଲା। ପ୍ରକୃତରେ ଏହାକୁ ସ୍ଥାପନ କରିବାର ଯୋଜନା ୧୮୬୯ରେ ପ୍ରସ୍ତୁତ ହୋଇଥିଲା, ଯେତେବେଳେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏଫ୍‌.କେ.ଏମ୍‌. ଓ୍ଵାଲ୍ଟର ଏକ ଏମିତି ସ୍କୁଲର ପ୍ରସ୍ତାବ ରଖିଥିଲେ, ଯେଉଁଠାରେ ରାଜା ଓ ଧନୀ ପରିବାରର ପିଲାମାନେ ପଢ଼ିପାରିବେ। ୧୮୭୦ରେ ତତ୍କାଳୀନ ଭାଇସରୟ ଲର୍ଡ ମେୟୋ ‘ରାଜକୁମାର କଲେଜ’ର ଯୋଜନା ପ୍ରସ୍ତୁତ କରିଥିଲେ। ସ୍କୁଲର ମୁଖ୍ୟ ଭବନ ୧୮୮୫ରେ ୩.୨୮ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇ ପ୍ରସ୍ତୁତ ହୋଇଥିଲା।
ଏହି ସ୍କୁଲର ପ୍ରଥମ ଛାତ୍ର ଥିଲେ ଅଲଓ୍ଵାରର ମହାରାଜାଙ୍କ ପୁତ୍ର ରାଜକୁମାର ମଙ୍ଗଳ ସିଂହ। କୁହାଯାଏ ଯେ ସେ ପାଲଙ୍କିରେ ବସି ୩୦୦ ଚାକରଙ୍କ ସହ ସ୍କୁଲକୁ ଆସିଥିଲେ। ସେତେବେଳେ ସ୍କୁଲର ପ୍ରିନ୍ସିପାଲ ଥିଲେ ସାର୍‌ ଅଲିଭର ସେଣ୍ଟ ଜନ୍‌। ମହେନ୍ଦ୍ର ସିଂହ ମେଓ୍ଵାଡ଼ (ମହାରାଣା ପ୍ରତାପଙ୍କ ବଂଶଜ ତଥା ପୂର୍ବତନ ସାଂସଦ) ମଧ୍ୟ ଏଠାରେ ପଢ଼ିଥିଲେ। ଆଜି ମଧ୍ୟ ବ୍ୟବସାୟୀ, ଡିପ୍ଲୋମାଟ ଓ ଧନୀ ପରିବାରର ପିଲାମାନେ ଏଠାରେ ପଢ଼ିବାକୁ ଆସୁଛନ୍ତି।

ଏଠାରେ କେବଳ ୭ମ, ୯ମ ଓ ୧୧ଶ ଶ୍ରେଣୀରେ ଏଡମିଶନ ମିଳିଥାଏ। ସେପ୍ଟେମ୍ବର ମାସରେ ଅଫଲାଇନ୍‌ ମୋଡ୍‌ରେ ଏକ ଟେଷ୍ଟ ହୋଇଥାଏ। ପାସ୍‌ କରିଥିବା ଛାତ୍ରମାନଙ୍କୁ ସେମାନଙ୍କ ପିତାମାତାଙ୍କ ସହ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥାଏ। ଏହି ପ୍ରକ୍ରିୟା ନଭେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ଚାଲିଥାଏ। ବର୍ତ୍ତମାନ ଏଠାରେ ୮୫୦ରୁ ଅଧିକ ଛାତ୍ର ପଢୁଛନ୍ତି।
ଫିସ୍‌ କେତେ?
ଫିସ୍‌ କଥା କହିବାକୁ ଗଲେ, ମେୟୋ କଲେଜର ବାର୍ଷିକ ଫିସ୍‌ ବହୁତ ଅଧିକ। ଅଧିକାରିକ ଓ୍ଵେବସାଇଟ୍‌ ଅନୁସାରେ, ବାର୍ଷିକ ଫିସ୍‌ ୧୦,୫୩,୦୦୦ ଟଙ୍କା ହୋଇଥାଏ । ସେହିପରି କଟେଶନ ଫିସ୍‌ ୫,୨୬,୫୦୦ ଟଙ୍କା, ଏଡମିଶନ ଫିସ୍‌ ୨,୫୦,୦୦୦ ଟଙ୍କା ରହିଥାଏ । ଏମିତିକି ସେଠାରେ ଆଇଠି ଫିସ ମଧ୍ୟ ଦେବାକୁ ପଡ଼େ । ଆଇଟି ଫିସ୍‌ ୪୨,୦୦୦ ଟଙ୍କା, ଇମ୍ପ୍ରେଷ୍ଟ ମନି ୮୦,୦୦୦ ଟଙ୍କା, ୟୁନିଫର୍ମ ୨୫,୦୦୦ ଟଙ୍କା, ରେଜିଷ୍ଟ୍ରେସନ ୨୫,୦୦୦ ଟଙ୍କା ଏବଂ ପ୍ରୋସପେକ୍ଟସ୍‌ ଓ ସାମ୍ପଲ ପେପର ୧,୦୦୦ ଟଙ୍କା ରହିଛି ।

Comments are closed.