Latest Odisha News

BREAKING NEWS

ଡି.ଏନ ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ଜେରା, ମିଳିଲା ଆହୁରି ଅଢେଇ କୋଟି

ଭୁବନେଶ୍ୱର: ଡିଏନ୍ ଗ୍ରୁପ୍ ପରିସରରେ ଆୟକର ବିଭାଗର ଚଢାଉ ଶନିବାର ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ପଚରାଉଚରା କରିଛି ଆୟକର ବିଭାଗ।

ଆଜି ଚଢ଼ାଉ ବେଳେ ଟିମ୍କୁ ଅଢ଼େଇ କୋଟି ଟଙ୍କା ଅଧିକ ମିଳିଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ଡିଏନ ଗ୍ରୁପର ମୁଖ୍ୟ କାର୍ଯ୍ୟାଳୟରେ ଅଧିକାରୀ ଜଗଦୀଶ ନାୟକଙ୍କୁ ପଚରାଉଚରା କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଟଙ୍କା କେଉଁଠୁ ଆସିଲା ସେନେଇ ଆଇଟି ଟିମ୍ ଖୋଳତାଡ଼ ଚଳାଇଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜମି ଅଧିଗ୍ରହଣ ନେଇ ମଧ୍ୟ ଡିଏନ ନାୟକଙ୍କୁ ପଚରାଉଚରା କରାଯାଉଛି। ଚଢ଼ାଉ ବେଳେ ଜବତ ହୋଇଥିବା ପେନ ଡ୍ରାଇଭ ଓ ହାର୍ଡଡିସ୍କକୁ ଆଇଟି ଟିମ୍ ଯାଞ୍ଚ କରୁଥିବା ସୂଚନା ମିଳିଛି। ଏନେଇ ଡିଏନ୍ ଗ୍ରୁପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଟିକସ ଫାଙ୍କି ଅଭିଯୋଗରେ ଭୁବନେଶ୍ୱରସ୍ଥିତ ରିୟଲ ଇଷ୍ଟେଟ୍ ଓ କନଷ୍ଟ୍ରକସନ୍ କମ୍ପାନୀ ଡିଏନ୍ ଗ୍ରୁପ୍ ସହ ଜଡ଼ିତ ୨୦ଟି ସ୍ଥାନରେ ଜୁଲାଇ ୫ ତାରିଖରେ ଏକକାଳୀନ ଚଢ଼ଉ କରିଛି ଆଇଟି ବିଭାଗ।

ଭୁବନେଶ୍ୱର, କଟକ ଓ ପୁରୀରେ କମ୍ପାନୀର ନିର୍ଦ୍ଦେଶକ, ପ୍ରମୋଟର ଓ କର୍ମଚାରୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। କମ୍ପାନୀର ବିଭିନ୍ନ ଆର୍ଥିକ କାରବାର ସହ ଏହାର ଜମି କାରବାର ଓ ପୁଞ୍ଜିନିବେଶ ଉପରେ ଆୟକର ବିଭାଗ ନଜର ରଖିଛି।

ଚଢ଼ାଉ ଜାରି ରହିଛି ଏବଂ ଆଇଟି ବିଭାଗ କେତେ ଅଧିକ ନଗଦ ଟଙ୍କା କିମ୍ବା ଆପତ୍ତିଜନକ ପ୍ରମାଣ ଜବତ କରିବାରେ ସକ୍ଷମ ହେବ ତାହା ସ୍ପଷ୍ଟ ହୋଇନାହିଁ। ଡିଏନ୍ ଗ୍ରୁପ୍ ଓଡ଼ିଶାର ଏକ ଅଗ୍ରଣୀ ରିୟଲ ଇଷ୍ଟେଟ୍ କମ୍ପାନୀ।

ପୂର୍ବରୁ ଏହି କମ୍ପାନୀ ଆର୍ଥିକ ଅନିୟମିତତା ନେଇ ଚର୍ଚ୍ଚାରେ ରହିଆସିଛି। ୨୦୧୭ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ କମ୍ପାନୀ ପରିସରରେ ଚଢ଼ଉ କରିଥିଲା।

ଆଇଟି ବିଭାଗର ଏହି ଚଢ଼ଉ ପରେ କମ୍ପାନୀ ବିରୋଧରେ ନୂଆ ତଥ୍ୟ ପଦାକୁ ଆସିଛି। ଏବେ ଦେଖିବାକୁ ବାକି ରହିଲା ଏସବୁ ତଦନ୍ତର ପରିଣାମ କ’ଣ ହେବ।

Comments are closed.