Latest Odisha News

ଭାରତ-ବାଂଲଦେଶ ଟେଷ୍ଟ ସିରିଜରେ ଏହି ସବୁ ରେକର୍ଡ ଭାଙ୍ଗିପାରେ

ଭାରତ ଓ ବାଂଲାଦେଶ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନିଜ ନିଜ ଦଳର ଘୋଷଣା କରି ସାରିଛନ୍ତି । ୧୯ ସେପ୍ଟମ୍ବରରୁ ଏହି ସିରିଜ ଚେନ୍ନାଇରେ ଆରମ୍ଭ ହେବ । ସିରିଜରେ ଟିମ ଇଣ୍ଡିଆ ଓ ଖେଳାଳିମାନେ ୧୦ଟି ରେକର୍ଡ ନିଜ ନାମରେ କରିପାରନ୍ତି । ଟେଷ୍ଟ କ୍ରିକେଟରେ ୪ର୍ଥ ସଫଳ ଟିମ ହେବା ସୁଯୋଗ ଭାରତ ନିକଟରେ ରହିଛି । ଦକ୍ଷିଣ ଆଫ୍ରିକା ୧୭୯ ବିଜୟ ହାସଲ କରିଥିବା ବେଳେ ଭାରତ ୧୭୮ ମ୍ୟାଚରେ ଜିତିଛି । ଏହି ସିରିଜରେ ଭାରତ ୨ଟି ଯାକ ମ୍ୟାଚ ଜିତିଲେ ଦକ୍ଷିଣ ଆଫ୍ରିକାକୁ ଅତିକ୍ରମ କରିବ । ଅଷ୍ଟ୍ରେଲିଆ ୪୧୪, ଇଂଲଣ୍ଡ ୩୯୭ ଓ ୱେଷ୍ଟଇଣ୍ଡିଜ ୧୮୩ ବିଜୟ ସହ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ।

ଟିମ ଇଣ୍ଡିଆ ଓଭରାଲ ୧୭୮ ମ୍ୟାଚରେ ବିଜୟ ଓ ୧୭୮ ମ୍ୟାଚରେ ପରାଜିତ ହୋଇଛି । ଆଉ ଗୋଟିଏ ମ୍ୟାଚ ଜିତିଲେ ବିଜୟ ପ୍ରତିଶତ ଅଧିକ ହେବ । ଟିମ ଇଣ୍ଡିଆ୨୧୨ ମ୍ୟାଚ ଡ୍ର ରଖିଛି । ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ୧୨ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଭାରତ ୧୧ ଟେଷ୍ଟ ଜିତିଛି । ଶ୍ରୀଲଙ୍କା ୨୦ ବିଜୟ ସହ ପ୍ରଥମ ଏବଂ ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ୧୪ ବିଜୟ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବାଂଲାଦେଶ ବିପକ୍ଷରେ ବିରାଟ କୋହଲି ୧୫୨ ରନ ସଂଗ୍ରହ କଲେ ଟେଷ୍ଟ କ୍ରିକେଟରେ ୯୦୦୦ ରନ କ୍ଲବରେ ସାମିଲ ହେବେ । ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ, ସୁନୀଲ ଗାଭାସ୍କରଙ୍କ ପରେ ସେ ଏହି ଉପଲବ୍ଧି ହାସଲ କରିବାରେ ୪ର୍ଥ ଭାରତୀୟ ହେବେ ।

କୋହଲି ୧୧୩ ଟେଷ୍ଟରେ ୨୯ ଶତକ ହାସଲ କରିଛନ୍ତି । ଆଉ ଗୋଟିଏ ଶତକ ହାସଲ କଲେ ସାର ଡନ ବ୍ରାଡମ୍ୟାନଙ୍କ ଶତକ ରେକର୍ଡକୁ ଅତିକ୍ରମ କରିବେ । ସେହିପରି ବିରାଟ ଆଉ ୫୮ ରନ ସଂଗ୍ରହ କଲେ ଆନ୍ତର୍ଜାତୀୟ କ୍ରିକେଟରେ ୨୭୦୦୦ ରନ ପୂରଣ କରିବେ । ସଚିନ, କୁମାର ସଙ୍ଗକାରା ଓ ରିକି ପଂଟିଂ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।

ଅଷ୍ଟ୍ରେଲିଆର ନାଥାନ ଲାୟନଙ୍କଠାରୁ ଆଗକୁ ଯିବା ଏବଂ ସ୍ପିନର ଭାବେ ସର୍ବାଧିକ ୱିକେଟ ହାସଲରେ ୪ର୍ଥ ସ୍ଥାନ ହାସଲ କରିବା ସୁଯୋଗ ରବିଚନ୍ଦ୍ରନ ଅଶ୍ୱୀନଙ୍କ ନିକଟରେ ରହିଛି । ଲାୟନ ୫୩୦ ୱିକେଟ ଅକ୍ତିଆର କରିଛନ୍ତି । ଅଶ୍ୱୀନ ୫୧୬ ୱିକେଟ ସହ ତାଙ୍କ ପଛକୁ ରହିଛନ୍ତି । ମୁଥୟା ମୁରଲୀଧରନ, ଶେନ ୱର୍ଣ୍ଣ ଓ ଅନୀଲ କୁମ୍ବଲେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ରବୀନ୍ଦ୍ର ଜାଡେଜା ଏହି ସିରିଜରେ ୬ଟି ୱିକେଟ ଅକ୍ତିଆର କରି ୩୦୦ ୱିକେଟ କ୍ଲବରେ ସାମିଲ ହେବାକୁ ଚାହିଁବେ । ଏଥିସହ ସେ ୩୦୦ ୱିକେଟ ଓ ୩୦୦୦ ରନ ହାସଲ କରିବାରେ ବିଶ୍ୱର ଦ୍ୱିତୀୟ ବାମହାତୀ ସ୍ପିନର ଓ ଓଭରାଲ ୪ର୍ଥ ସ୍ପିନର ହେବେ । ଡାନିୟଲ ଭିଟ୍ଟୋରୀ ପ୍ରଥମ ସ୍ଥାନରେ ରହିଛନ୍ତି ।

Comments are closed.