ନୂଆଦିଲ୍ଲୀ: ୧୫ ଅଗଷ୍ଟ ୨୦୨୫, ଦେଶ ସ୍ବାଧୀନତାର ୭୯ତମ ବର୍ଷର ସ୍ବାଦ ଚାଖୁଛି । ଦିଲ୍ଲୀରୁ ପଲ୍ଲୀ ସବୁଠି ଗର୍ବର ସହ ଉଡୁଛି ତ୍ରିରଙ୍ଗା । ଆଜି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ମହାନ ପରେଡରେ, ଭାରତୀୟ ସେନା ଏହାର ଶୃଙ୍ଖଳା, ସାହସ ଏବଂ ଦେଶପ୍ରେମକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲା । କିନ୍ତୁ ଏଥର ପରେଡରେ ଥିବା ଏକ ଛୋଟ ଅତିଥି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯାହାର ମନୋରମ ଦୃଶ୍ୟ ସମସ୍ତଙ୍କ ହୃଦୟ ଜିତିଥିଲା । ଏହି ଛୋଟ ଅତିଥି ଆଉ କେହି ନୁହେଁ ବରଂ ଏକ ଗୁଣ୍ଡୁଚିମୂଷା ଥିଲା । ଯିଏ ଭାରତୀୟ ସେନା ସହିତ ଲାଲକିଲ୍ଲାର ପ୍ରାଚୀରରେ ଉତ୍ତୋଳନ କରାଯାଇଥିବା ଜାତୀୟ ପତାକାକୁ ସଲାମ କରୁଥିବାର ନଜର ଆସିଥିଲା । ଏହି ସମୟରେ, ପିଟିଆଇର ଜଣେ ଫଟୋ ସାମ୍ବାଦିକ ଅତୁଲ ଯାଦବ ତାଙ୍କ କ୍ୟାମେରାରେ ସେହି ଛୋଟ ମୂହୂର୍ତ୍ତଟିକୁ କଏଦ କରିଥିଲେ । ଯାହା ଏବେ ଖୁବ୍ ଭାଇରାଲ ହେଉଛି ।

ତେବେ ସ୍ୱାଧୀନତା ଦିବସ ଅବସରରେ ପ୍ରତିବର୍ଷ ପରି ଏଥର ମଧ୍ୟ ଲାଲକିଲ୍ଲାରେ ଭାରତୀୟ ସେନାର ପରେଡ୍ ଆୟୋଜନ କରାଯାଇଥିଲା। ସୈନିକଙ୍କ ମାର୍ଚ୍ଚପାଷ୍ଟ, ତ୍ରିରଙ୍ଗାର ସଲାମୀ ଏବଂ ଦେଶପ୍ରେମରେ ପରିପୂର୍ଣ୍ଣ ପରିବେଶ ସମସ୍ତଙ୍କୁ ଗର୍ବରେ ଭରି ଦେଇଥିଲା। କିନ୍ତୁ ଏଥର ପରେଡ୍ ସମୟରେ ଏକ କୁନି ଦେଶପ୍ରେମୀ ତାର ଭାରତୀୟ ସେନା ସହିତ ନିଜର ଉପସ୍ଥିତି ପଞ୍ଜିକୃତ କରିଥିଲା । ଯେଉଁଥିରେ ପରେଡ ପାଇଁ ଛିଡା ହୋଇଥିବା ସେନାଙ୍କ ସଭା ଆଗରେ ରହିଥିଲା କୁନି ଅତିଥି ଗୁଣ୍ଡୁଚିମୂଷା । ସୈନିକଙ୍କ ସହିତ ପରେଡରେ ଅଂଶଗ୍ରହଣ କରିଥିବା ବେଳେ ସେ ତାର ଦୁଇ ହାତ ଉପରକୁ ଟେକି ଛିଡା ହୋଇଥିଲା ଏବଂ ସେନା ସହିତ ତ୍ରିରଙ୍ଗାକୁ ସଲାମ କରିଥିଲା ।

ଲାଲକିଲ୍ଲାର ଏହି ସୁନ୍ଦର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଗଲା ଏବଂ କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଲୋକମାନେ ଏହି ଗୁଣ୍ଡୁଚିକୁ ‘ନନ୍ହା(କୁନି) ସୈନିକ’ ଏବଂ ‘ଲାଲକିଲ୍ଲାର ତାରା’ ବୋଲି କହିବା ଆରମ୍ଭ କରିଛନ୍ତି । ଅନେକ ବ୍ୟବହାରକାରୀ ଏହାକୁ ଦେଶପ୍ରେମର ପ୍ରତୀକ ବୋଲି କହିଥିଲେ। ଲାଲକିଲ୍ଲାର ଏହି ପରେଡ ପୁଣି ଥରେ ପ୍ରମାଣିତ କଲା ଯେ ଭାରତର ଗର୍ବ କେବଳ ଏହାର ସେନା କିମ୍ବା ନେତାଙ୍କଠାରେ ନୁହେଁ, ବରଂ ପ୍ରତ୍ୟେକ ଛୋଟ ବଡ଼ ପ୍ରାଣୀ ଏବଂ ନାଗରିକଙ୍କଠାରେ ବାସ କରେ। ଅଜାଣତରେ ପରେଡର ଏକ ଅଂଶ ହୋଇଥିବା ଏହି ଗୁଣ୍ଡୁଚିମୂଷା ଏବେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି।
Comments are closed.